ଫୁଲନଖରା: ଗ୍ରାମାଞ୍ଚଳରେ ମାଳମାଳ ବେଆଇନ ଇଟାଭାଟି ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ଇଟାଭାଟିର ଧୂଆଁ ଓ ଧୂଳି ଯୋଗୁଁ ଦୈନନ୍ଦିନ ଜୀବନଯାତ୍ରା ଦୁର୍ବିସହ ହୋଇପଡ଼ିଲାଣି। ଚିମ୍ନି ଧୂଆଁରେ ଲୋକେ ଅଣନିଶ୍ବାସୀ ହୋଇପଡ଼ିଥିଲା ବେଳେ ସଂଖ୍ୟାଧିକ ଟ୍ରକ୍, ଟ୍ରାକ୍ଟର୍ ଚଳାଚଳ ଯୋଗୁଁ ରାସ୍ତାଘାଟ କ୍ଷତିଗ୍ରସ୍ତ ହେବା ସହିତ ପ୍ରବଳ ଧୂଳିରେ ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି। ସମସ୍ତ ପ୍ରକାର ନୀତିନିୟମକୁ ଉଲ୍ଲଂଘନ କରି ଏହି ଭାଟି ଗଢ଼ି ଉଠିଥିଲେ ବି ପ୍ରଶାସନ ପକ୍ଷରୁ ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଅନେକ ସ୍ଥାନରେ ଇଟାଭାଟିଗୁଡ଼ିକ ଜନବସତିର ଅତି ନିକଟରେ ରହିଥିବା ବେଳେ ଧାତବ ଚିମ୍ନି ଲଗାଇ ପରିବେଶକୁ ଉତ୍ତପ୍ତ କରିବାରେ ଲାଗିଛନ୍ତି।
ଭାଟିକୁ ଚଳାଚଳ କରୁଥିବା ବୃହତ୍ ଯାନଦ୍ବାରା ସର୍ବସାଧାରଣ ରାସ୍ତା କ୍ଷତିଗ୍ରସ୍ତ ହେଉଥିଲାବେଳେ ଗୋଚର ଓ ସରକାରୀ ଜମି ଜବରଦଖଲ ହେଉଛି। ବାରଙ୍ଗ ବ୍ଲକ୍ରେ ମୋଟ ୩୯ଟି ଭାଟି ରହିଥିଲାବେଳେ ସେଥି ମଧ୍ୟରୁ ମାତ୍ର ୨ଟି ବୈଧ। ଏପରି ମାଳ ମାଳ ବେଆଇନ ଇଟାଭାଟି ବିଷୟରେ ବିଭିନ୍ନ ସଂଗଠନ, ପୁଲିସ ଓ ପ୍ରଶାସନ ଅବଗତ ଥାଇ ନିରବ ରହିବା ଘଟଣା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। କୁରାଙ୍ଗଶାସନ ପଞ୍ଚାୟତ ଅନ୍ତର୍ଗତ କ୍ବାଇଁଲୋ, ଗଙ୍ଗେଶ୍ବରଗଡ଼, ନଛିପୁର, ଖରାଖିଆ ଆଦି ଗ୍ରାମରେ ଏ ଧରଣର ବେଆଇନ ଇଟାଭାଟି ଚାଲିଛି। ଏହି ସମସ୍ତ ଭାଟିଗୁଡ଼ିକରେ କାର୍ଯ୍ୟରତ ବାହାର ରାଜ୍ୟର ଶ୍ରମିକମାନେ ଶିକ୍ଷା ଓ ସ୍ବାସ୍ଥ୍ୟ ପରି ସର୍ବନିମ୍ନ ମୌଳିକ ସୁବିଧା ନପାଇ ଅତି ଦୟନୀୟ ଜୀବନ ନିର୍ବାହ କରୁଥିବା ଦେଖାଯାଉଛି।
ସେମାନେ ଯାହା କୁହନ୍ତି..
ପ୍ରଦୂଷଣ ସୃଷ୍ଟି କରୁଥିବା ଇଟାଭାଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏନ୍ଜିଟି ଗତ ୨୦୧୫ ମେ’ ୬ ତାରିଖରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିଦେର୍ଶ ଦେଇଥିଲେ। ହେଲେ, ତାହା କାର୍ଯ୍ୟକାରୀ ହେଲା ନାହିଁ। ସେହିପରି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ପ୍ରମାଣପତ୍ର ନନେଇ ଭାଟି ଚଳାଇଲେ ଉକ୍ତ ଭାଟିକୁ ‘ଡି’ ବର୍ଗରେ ଅନ୍ତର୍ଭୁକ୍ତ କରି ୧.୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରିବାକୁ ଅଦାଲତଙ୍କ ନିର୍ଦ୍ଦେଶ ଅଛି। କିନ୍ତୁ ତାହା ପାଳନ ହେଉନଥିବାରୁ ବେଆଇନ ଭାଟି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।
ଅଭିରାମ ପାତ୍ର
ବହୁସଂଖ୍ୟକ ଇଟାଭାଟି ଯୋଗୁଁ ଆମ ଅଞ୍ଚଳ ନର୍କ କୁଣ୍ତରେ ପରିଣତ ହୋଇଛି। ସେମାନଙ୍କ କାର୍ଯ୍ୟକଳାପରେ ଆମେ ଅତିଷ୍ଠ। ଦିନ କି’ ରାତିରେ ଟିକେ ଶାନ୍ତିରେ ଶୋଇବା ଆମ ପାଇଁ କଷ୍ଟକର ହେଲାଣି। ଜନତାଙ୍କ ସମସ୍ୟା ପାଇଁ ଭାଟି ମାଲିକଙ୍କ ଆଦୌ ଚିନ୍ତା ନାହିଁ।
କ୍ଷୀରୋଦ ଚନ୍ଦ୍ର ପାତ୍ର
ଆମ ଅଞ୍ଚଳ ବାରଙ୍ଗ ବ୍ଲକ୍ର ସବୁଠାରୁ ଉନ୍ନତ ଅଞ୍ଚଳ ହୋଇଥିଲା ବେଳେ ସଂଖ୍ୟାଧିକ ଇଟାଭାଟି ଯୋଗୁଁ ବୃଦ୍ଧି ପାଇଥିବା ପ୍ରଦୂଷଣ ମାତ୍ରା ଚରମ ସୀମାରେ ପହଞ୍ଚିଛି। ବିଶେଷ କରି ଗ୍ରୀଷ୍ମ କାଳରେ ଆମେ ଏକ ପ୍ରକାର ଗୃହବନ୍ଦୀ ଜୀବନ ବିତାଉଛୁ। ଭାଟି ମାଲିକମାନେ ଜନତା, ପ୍ରଶାସନ ଓ ପୁଲିସକୁ ଆଦୌ ଭ୍ରୁକ୍ଷେପ କରୁ ନାହାନ୍ତି।
ପ୍ରତାପଚନ୍ଦ୍ର ପଣ୍ତା