ସହର ଆବର୍ଜନାରେ ୩୭ ପ୍ରତିଶତ ପଲିଥିନ୍‌, ୬ ମାସ ଧରି ସିଏମ୍‌ସିର ଚଢ଼ଉ ବନ୍ଦ

ମାଲଗୋଦାମରୁ ସାହି ଦୋକାନ; ପଲିଥିନ୍‌ ଯାହାକୁ ଯେତେ

କଟକ: ଯେଉଁଆଡେ ଦେଖିବ ସେଆଡ଼େ ଗଦା ଗଦା ପଲିଥିନ୍‌। ସାହି ରାସ୍ତାରୁ, ନାଳନର୍ଦ୍ଦମା, ପାର୍କ, ନଦୀକୂଳ.. ଯେଉଁଠିକୁ ଯିବ ସେଠାରେ ମିଳିବ ପଲିଥିନ୍‌। ଏପରିକି ଗାଈ ଓ କୁକୁରଙ୍କ ପେଟରୁ ବି ବାହାରୁଛି ପଲିଥିନ୍‌। ସହରକୁ ବିଷାକ୍ତ ପଲିଥିନ୍‌ କବଳରୁ ମୁକ୍ତ କରିବା ପାଇଁ ସିଏମ୍‌ସି ପକ୍ଷରୁ ବିଭିନ୍ନ ସମୟରେ ପ୍ରସ୍ତୁତ ହୋଇଛି ଅନେକ ଯୋଜନା ଓ ଗଠନ କରାଯାଇଛି ଏକାଧିକ ସ୍କ୍ବାଡ୍‌। ମାତ୍ର ସବୁ କିଛି ଦିଗହରା ‌ହୋଇଛି। ମାଲଗୋଦାମର ଜରିଗୋଦାମରୁ ଆରମ୍ଭ କରି ଗଳିକନ୍ଦିର ଦୋକାନରେ ଏବେ ଯାହାକୁ ଯେତେ ପଲିଥିନ୍‌। ଚଳିତବର୍ଷ ଆରମ୍ଭରୁ ସିଏମ୍‌ସି ପକ୍ଷରୁ ସହରରେ ପଲିଥିନ୍‌ ଚଢ଼‌ଉ ବନ୍ଦ ରହିଛି। ଏହାର ସୁଯୋଗ ନେଇ ପଲିଥିନ୍‌ ବ୍ୟବସାୟୀ ତାଙ୍କ କାୟା ବିସ୍ତାର କରିବାରେ ଲାଗିପଡ଼ିଛନ୍ତି। ସହରକୁ ପଲିଥିନ୍‌ ମୁକ୍ତ କରିବା ପାଇଁ ୨୦୧୦ରୁ ସିଏମ୍‌ସି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ କରାଯାଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ୨୦୧୮ ଗାନ୍ଧୀ ଜୟନ୍ତୀରୁ ପଲିଥିନ୍‌ ଓ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବିକ୍ରି ଓ ବ୍ୟବହାର ଉପରେ ରୋକ୍‌ ଲଗାଇଥିଲେ। ଏହା ପରଠାରୁ ୨୦୧୯ରେ ପଲିଥିନ୍‌ ଚଢ଼ଉ କିଛିମାତ୍ରାରେ କରାଗଲା। ୨୦୨୦ରୁ ୨୦୨୧ ମଧ୍ୟଭାଗକୁ କୋଭିଡ୍‌ ପାଇଁ ଚଢ଼ଉ ବନ୍ଦ ଥିଲା। କରୋନା ସ୍ଥିତିରେ ସୁଧାର ଆସିବା ପରେ ଗତବର୍ଷ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ସିଏମ୍‌ସି ପକ୍ଷରୁ ମାଲଗୋଦାମ ଓ ସହରର ବିଭିନ୍ନ ଅଞ୍ଚଳରେ ପଲିଥିନ୍‌ ଚଢ଼ଉକୁ ‌ଜୋରଦାର୍‌ କରାଗଲା। ହେଲେ ଚଳିତବର୍ଷ ପଲିଥିନ୍‌ ଚଢ଼ଉ କାର୍ଯ୍ୟକ୍ରମ ଶୀତଳଭଣ୍ଡାରକୁ ଚାଲିଯାଇଛି।

ଏହାର ପ୍ରଭାବରେ ସହରର ସବୁ ଦୋକାନରେ ଏବେ ମିଳୁଛି ପଲିଥିନ୍‌। ସହରରେ ପ୍ରତିଦିନ ୩ଶହ ଟନ୍‌ରୁ ଅଧିକ ଆବର୍ଜନା ବାହରୁଥିବା ବେଳେ ଏହାର ୩୭ ପ୍ରତିଶତ କେବଳ ପଲିଥିନ୍‌। ଯାହର ପରିମାଣ ୭୪ଟନ୍‌ରୁ ଅଧିକ ହେବ। ପ୍ରତିଦିନ ଏତେ ପରିମାଣର ପଲିଥିନ୍‌ ସହରରୁ ବାହାରୁଥିବା ବେଳେ ଏହା ମାଟି, ପାଣି, ପବନକୁ ଦୂଷିତ କରିବା ସହ ପଶୁପକ୍ଷୀଙ୍କଠାରୁ ଆରମ୍ଭ କରି ସହରବାସୀଙ୍କ ସ୍ବାସ୍ଥ୍ୟ ଉପରେ ମଧୢ କୁପ୍ରଭାବ ପକାଉଛି। ବିଶେଷ କରି ପଲିଥିନ୍‌ ପାଇଁ ସହର ମଧ୍ୟରୁ ଜଳ ନିଷ୍କାସନରେ ସମସ୍ୟା ହେବା ସହ ଜଳବନ୍ଦି ପରିସ୍ଥିତି ସୃଷ୍ଟି ହେଉଛି। ପଲିଥିନ୍‌ ବ୍ୟବହାର ଉପରେ ରୋକ୍‌ ଲଗାଇବା ପାଇଁ ଅନେକ ଯୋଜନା ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ଠିକ୍‌ ଭାବେ ପାଳନ କରାଯାଉ ନଥିବା ଅଭିଯୋଗ ହୋଇଛି। ସିଏମ୍‌ସି ନିର୍ବାଚନ ଓ ଅନ୍ୟାନ୍ୟ କାରଣ ପାଇଁ ପଲିଥିନ୍‌ ଚଢ଼ଉ ବନ୍ଦ ଥିଲା। ଏବେ ଏହାକୁ ବ୍ୟାପକ କରାଯିବ ବୋଲି ସିଏମ୍‌ସି ଡେପୁଟି କମିସନର୍‌ (ଏନ୍‌ଫୋର୍ସମେଣ୍ଟ) ଅଜୟ କୁମାର ମହାନ୍ତି କହିଛନ୍ତି। ସହରର ପରିବେଶକୁ ସୁସ୍ଥ ରଖିବା ସହ ଜଳବନ୍ଦି ସମସ୍ୟା ଦୂର କରିବା ଦିଗରେ ପଲିଥିନ୍‌ ଚଢ଼ଉକୁ ଯୋରଦାର୍‌ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର