କଟକ: କଟକସଦର ବ୍ଲକ ଅନ୍ତର୍ଗତ ପରମହଂସ ପଞ୍ଚାୟତର ମହୁରା ଠାରେ ଥିବା ୭ ଏକର ୧୪ ଡିସିମିଲ ପୋଖରୀ କେଳେଙ୍କାରୀର ତଦନ୍ତ ବାଟବଣା ହୋଇଯାଇଛି। ୨ ମାସ ହେବ ତଦନ୍ତ ଚାଲିଛି ଯେ, ଫାଇଲ୍ ଭିତରୁ ବାହାରକୁ ଆସିପାରୁ ନାହିଁ। ପୂର୍ବରୁ ଏହି ପୋଖରୀ ନିଲାମ ହେଉଥିବା ବେଳେ ବିବାଦ ହେବାରୁ ପଞ୍ଚାୟତିରାଜ ବିଭାଗର ଉପଶାସନ ସଚିବ (ପତ୍ର ସଂଖ୍ୟା ୨୧୦୬୯ତା-୨୮-୧୦-୨୦୦୦) ଏହି ପୋଖରୀକୁ ନିଲାମ ନକରି ଗ୍ରାମ ପଞ୍ଚାୟତ ଅଧୀନରେ ରଖିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ଫଳରେ ପୋଖରୀର ରକ୍ଷଣାବେକ୍ଷଣ ଗ୍ରାମ ପଞ୍ଚାୟତ କରୁଥିଲା। କିନ୍ତୁ ବିବାଦ ସୃଷ୍ଟି ହୋଇଥିଲା ଯେତେବେଳେ ବର୍ତ୍ତମାନର ସରପଞ୍ଚ ମିନତୀ ବେହେରା ନିଜେ ସଭ୍ୟ ଥିବା ଉତ୍କଳମଣି ଏସ୍ ଏଚ୍ ଜି ସ୍ବୟଂ ସହାୟକ ଗୋଷ୍ଠୀକୁ ୨୦୧୯ ଜୁଲାଇ ୧ ତାରିଖ ଠାରୁ ୨୦୨୨, ଜୁନ୍ ୩୦ତାରିଖ ପର୍ଯ୍ୟନ୍ତ ୨୦ହଜାର ୫୦୦ଟଙ୍କାରେ ପୋଖରୀକୁ ନିଲାମ ଦିଆଯାଇଥିଲା। କିନ୍ତୁ ପୋଖରୀ ଦଳପୂର୍ଣ୍ଣ
ଥିବାରୁ ଏବଂ ସେହି ସମୟରେ ଉନ୍ନୟନ କାର୍ଯ୍ୟ ଚାଲୁ ଥିବାରୁ ଏସ ଏଚ୍ ଜି କୈାଣସି ଆୟ କରିପାରିନଥିଲେ। ଏଭଳି ସ୍ଥିତିରେ ପୋଖରୀକୁ ଉକ୍ତ ଏସ୍ ଏଚ୍ ଜି ଗ୍ରୁପ କୁ ୨ ବର୍ଷ ନିଲାମ ଅବଧି ବୃଦ୍ଧି କରାଯାଇଥିଲା। ପୋଖରୀରେ ଖର୍ଚ୍ଚ ବିବରଣୀ ଅନୁଯାୟୀ ତା-୧୬-୪-୨୧ରେ ୫ ଲକ୍ଷ ଟଙ୍କା ଓ ତା-୩-୫-୨୧ ରେ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହି ଟଙ୍କାରେ ପୋଖରୀ ହୁଡ଼ା କଂକ୍ରିଟ ସହିତ ସୌନ୍ଦର୍ଯ୍ୟକରଣ ହେବ। କିନ୍ତୁ ପୋଖରୀରେ କୈାଣସି କାର୍ଯ୍ୟ ନକରି ସରପଞ୍ଚଙ୍କ ସ୍ବାମୀ ଟଙ୍କା ହଡ଼ପ କରିଥିବା ଅଭିଯୋଗ କରି ପରମହଂସ ରଘୁନାଥ ପୁର, କୁସିଙ୍ଗା ଗ୍ରାମବାସୀ, ୫ ଓ ୬ ନଂ ୱାର୍ଡର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ସଭାନେତ୍ରୀ, ସଂପାଦିକା ଓ ସଭ୍ୟ ମାନେ ଜିଲ୍ଲାପାଳ ଓ ଭିଜିଲାନ୍ସ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ।
ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସଦର ବ୍ଲକ ଉନ୍ନୟନ ଅଧିକାରୀ ରାଜୀବ ଲୋଚନ ପରିଡ଼ା ଏ ବିଡ଼ିଓ ଗିରିଜା ପ୍ରସାଦ ବାରିକଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ତା-୨୫-୧୦-୨୧ ରେ ନିର୍ଦେଶ ଦେଇଥିଲେ। ଏଥିମଧ୍ୟରେ ୨ ମାସରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ରିପୋର୍ଟ ସାର୍ବଜନୀନ ହୋଇନାହିଁ। ଏ ସଂକ୍ରାନ୍ତରେ ଏବିଡିଓଙ୍କୁ ପଚାରିବାରୁ ସେ ଯାହା ଦେଖିଛି, ସବୁ ଲେଖିଛି କହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ। ସରପଞ୍ଚଙ୍କ ସ୍ବାମୀ ଦୈତାରୀ ବେହେରା କହିଛନ୍ତି ଯେ ପୋଖରୀରୁ ପାଣି ଶୁଖେଇ ମାଟି ବାହାର କରାଯାଇଛି। ଏଭଳି ସ୍ଥିତିରେ ତୁରନ୍ତ ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ୫ ଓ ୬ ନଂ ୱାର୍ଡ ବାସିନ୍ଦା ଉଗ୍ରସେନ ଭୂୟାଁ, ତନୁଜା ଭୂୟାଁ, ରଣଜିତ ଜେନା, କୌଶଲ୍ୟା ନାୟକ, ଚିତ୍ରସେନ ଭୂୟାଁ, ପ୍ରମିଳା ରାଉତ, ଦେବେନ୍ଦ୍ର ଦାସ, ସହନେସା ନୁସୁରତ ଜହର, ଲକ୍ଷ୍ମୀ ରାଉତ, ସେବତୀ ରାଉତ, ଗୀତାଞ୍ଜଳି ଦାସ, ସ୍ବର୍ଣ୍ଣଲତା ଦାସ, ଡାଙ୍ଗ ଦାସ, ମାତା ଭୋଇ, ଗଣେଶ ଭୋଇ, ସେବତୀ ରାଉତ, ବୀରବର ଭୋଇ, ଧୀର ଭୋଇ, ସକୁ ଭୋଇ ପ୍ରମୁଖ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/IMG-20211019-WA0006_6.jpg)