କଟକ: ଦିନର ସବୁ ସମୟରେ କାଠଯୋଡି ଭିତରକୁ ସିଧାସଳଖ ଛାଡ଼ି ଦିଆଯାଉଛି ଡ୍ରେନର ଦୂଷିତ ପାଣି। ବିଶୋଧନ ନକରି ସହରର ମୁଖ୍ୟ ଡ୍ରେନ ଏମ୍ଏସ୍ଡ଼ବ୍ଲୁ-୧ର ଦୂଷିତ ପାଣି କାଠଯୋଡି ମଧୁର ପାଣିକୁ ବିଷାକ୍ତ କରି ଚାଲିଛି। ଏଥିପାଇଁ ଖାନନଗର ତଥା କାଠଯୋଡି କୂଳବର୍ତ୍ତି ଅଞ୍ଚଳରେ ସଂକ୍ରାମକ ରୋଗ ବ୍ୟାପୁଛି। ହାଇକୋର୍ଟ ଆଉ ଗ୍ରିନ ଟ୍ରିବୁନାଲ୍ଙ୍କ ନିର୍ଦ୍ଦେଶର ଖୋଲା ଉଲ୍ଲଂଘନ ହେଉଛି। ମାତ୍ର ଏ ବାବଦରେ ଜିଲ୍ଲା ପ୍ରଶାସନ, କଟକ ମହାନଗର ନିଗମ ପ୍ରଶାସନ ସଂପୂର୍ଣ୍ଣ ବେଫିକର। ସହରରୁ ବାହାରୁ ଥିବା ଆବର୍ଜନା ପାଣିକୁ ବିନା ବିଶୋଧନରେ ଖାନନଗର ନିକଟରେ କାଠଯୋଡ଼ିକୁ ଛଡା ଯାଉଛି। ଦିନରାତି ୨୪ ଘଣ୍ଟା ନଦୀକୁ ଏଭଳି ଭାବେ ଦୂଷିତ ଜଳ ଛଡା ଯାଉଥିବାରୁ ଏହା ଏବେ କାଠଯୋଡ଼ିକୁ ବିଷାକ୍ତ ନଦୀରେ ପରିଣତ କଲାଣି। କାଠଯୋଡ଼ି ନଦୀ କଟକକୁ ଏକ ବିେଶଷ ପରିଚୟ ଦେଇଛି। କଟକର ସୀମା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହା ଲମ୍ବିଛି। ନରାଜ ନିକଟରୁ ଏହା ମହାନଦୀରୁ ବାହାରି ବୟାଳିଶମୌଜା ପର୍ଯ୍ୟନ୍ତ ଯାଇଛି। ସେଠାରୁ ଆଗକୁ ଏହା ଧୀରେ ଧୀରେ ଶୁଖିଯାଇଛି। ସହରର ମୁଖ୍ୟ ଡ୍ରେନ ଏମ୍ଏସ୍ଡବ୍ଲୁ-୧ରୁ ବାହାରିଥିବା ୧.୩ କିଲୋମିଟର ଦୀର୍ଘ ସଂଯୋଗ ଡ୍ରେନ ଖାନନଗର ଦୁର୍ଗା ଘର ନିକଟରେ କାଠଯୋଡ଼ିରେ ମିଶିଛି। ନଦୀ ମଧ୍ୟକୁ ଦୂଷିତ ପାଣି ପ୍ରବାହକୁ ନିୟନ୍ତ୍ରଣ କରିବାକୁ ଖାନନଗର ଠାରେ ରହିଛି ଏକ ଚେକ୍ ଗେଟ୍।
ଆବଶ୍ୟକତାକୁ ଦେଖି ଏଠାରେ ନଦୀକୁ ପାଣି ଛାଡିବାର ନିୟମ ରହିଛି। ହେଲେ ଦୀର୍ଘ ବର୍ଷଧରି ଦିନର ସବୁ ସମୟରେ ନଦୀକୁ ଦୂଷିତ ପାଣି ଛାଡାଯାଉଛି। ବିନା ବିଶୋଧନ ବା ପ୍ରକ୍ରିୟାକରଣରେ ସହରର ଦୂଷିତ ପାଣି ଏଠାରେ ନଦୀକୁ ଯାଉଛି। ଏଭଳି କାରଣରୁ କାଠଯୋଡ଼ି ପାଣି ଏବେ ଆଉ ବ୍ୟବହାର ଯୋଗ୍ୟ ହୋଇ ରହିନାହିଁ। କାଠଯୋଡି ପାଣିରେ ଗାଧୋଇଲେ ଲୋକଙ୍କ ଦେହରେ ଧଳାଧଳା ଦାଗ ସହିତ ଚର୍ମ ରୋଗ ଦେଖା ଯାଉଛି। ଦୂଷିତ ପାଣି ଯୋଗୁଁ ଅନେକ ସମୟରେ ପାଣିରେ ମାଛ ମରି ଭାସୁଛନ୍ତି। କାଠଯୋଡି ପାଣିକୁ ଜମିରେ ବ୍ୟବହାର କଲେ ଚାଷ ଜମିର ଉର୍ବରତା ମଧ୍ୟ ନଷ୍ଟ ହେଉଥିବା ଅଭିଯୋଗ ହେଉଛି। କାଠଯୋଡିକୁ ଗତ ୧୧ବର୍ଷରୁ ଅଧିକ ବର୍ଷ ଧରି ଖାନନଗରଠାରେ ଦୂଷିତ ଜଳ ଛଡାଯାଉଛି। ଏହା ନଦୀକୁ ବିଷାକ୍ତ କରି ଦେଇଛି। ଜାଇକା ପ୍ରକଳ୍ପ ଶେଷ ହେବା ପର୍ଯ୍ୟନ୍ତ ଏପରି ହେବ ବୋଲି ପ୍ରଶାସନ କହୁଛି। ଏହାପରେ ଯଦି ସହରର ବର୍ଷାଜଳ ଛଡା ଦୂଷିତ ପାଣି କାଠଯୋଡିକୁ ଛଡାଯାଏ ତେବେ ଏହାକୁ ନେଇ ଏକ ବଡ ଆନ୍ଦୋଳନ କରାଯିବ ବୋଲି ଖାନନଗର-ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟିର ସାଧାରଣ ସଂପାଦକ ପ୍ରଫୁଲ୍ଲ କୁମାର ସାହୁ କହିଛନ୍ତି। ନଦୀକୁ ଦୂଷିତ ଜଳ ଛାଡିବା ଉପରେ ଗ୍ରିନ ଟ୍ରିବୁନାଲ୍ଙ୍କ ବାରଣ ରହିଛି। ହେଲେ ସିଏମ୍ସି ଏହାକୁ ଭାଙ୍ଗୁଥିବା ବେଳେ ଜିଲ୍ଲା ପ୍ରଶାସନ ଆଖିବୁଜି ଦେଇଛି। ଏଭଳି ସ୍ଥିତି ଲାଗି ରହିଲେ କାଠଯୋଡି ଆଉ କିଛି ବର୍ଷ ମଧ୍ୟରେ ଏକ ମୃତ ଦୂଷିତ ନଈର ମାନ୍ୟତା ପାଇବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/KATHAJODI-RE-MISUCHI-NARDAMA-PANI-4075206.jpg)