ସିଏମ୍‌ସିର ‘ଫୋଷ୍ଟାକ୍‌’ ଯୋଜନା ଦିଗହରା, ୮ ମାସରେ ଗୋଟିଏ କାର୍ଯ୍ୟକ୍ରମରେ ସୀମିତ

କଟକ: କଟକ ସହରର ରାସ୍ତାକଡ଼ର ଦୋକାନ ଠାରୁ ଆରମ୍ଭ କରି ବଡ଼ ବଡ଼ ହୋଟେଲ ପର୍ଯ୍ୟନ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ସୁରକ୍ଷିତ ଖାଦ୍ୟ ଯୋଗାଣ ବ୍ୟବସ୍ଥା ପାଇଁ ମହାନଗର ନିଗମ ପକ୍ଷରୁ ଗତ ଜାନୁଆରିରେ ଆରମ୍ଭ ହୋଇଥିଲା ‘ଫୁଡ୍‌ ସେଫ୍ଟି ଟ୍ରେନିଂ ଆଣ୍ଡ ସାର୍ଟିଫିକେସନ୍‌’ (ଫୋଷ୍ଟାକ୍‌) ଯୋଜନା। ଏଥିରେ ବ୍ୟବସାୟୀଙ୍କୁ ଖାଦ୍ୟ ପ୍ରସ୍ତୁତି ପାଇଁ ସାମଗ୍ରୀ କିଣା ଠାରୁ ଖାଦ୍ୟ ପ୍ରସ୍ତୁତି ଓ ବିକ୍ରି କରିବା ଉପରେ ପ୍ରଶିକ୍ଷଣ ସହିତ ସଚେତନ କରାଯିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ଇତିମଧ୍ୟରେ ୮ମାସ ବିତି ଯାଇଥିଲେ ବି ସିଏମ୍‌ସି ପକ୍ଷରୁ ମାତ୍ର ଥରେ କାର୍ଯ୍ୟକ୍ରମ ଆୟୋଜନ କରି କର୍ତ୍ତୃପକ୍ଷ ହାତ ଟେକି ଦେଇଛନ୍ତି। ଏହି ଯୋଜନାରେ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ, ଖାଦ୍ୟ ପ୍ରସ୍ତୁତ ହେଉଥିବା ସ୍ଥାନ, ଖାଦ୍ୟ ପରିବେଷଣ, ଏଥିରେ ବ୍ୟବହାର ହେଉଥିବା ପାଣି ଆଦି ବିଷୟରେ ସଚେତନ କରାଯିବାର ଲକ୍ଷ୍ୟଥିଲା। କଟକ ସହର ଓ ଏହାର ଆଖପାଖ ଅଞ୍ଚଳରେ ଗତ ଦେଢବର୍ଷ ମଧ୍ୟରେ ୨୫ରୁ ଅଧିକ ନକଲି ଓ ଅପମିଶ୍ରିତ କାରଖାନା ଠାବ କରାଯାଇଛି। ନକଲି କାରଖାନା ମଧ୍ୟରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତକାରୀ କାରଖାନା ଅଧିକ ରହିଛି। ନକଲି ସାମଗ୍ରୀ ବଜାରରେ ବିକ୍ରି ହେଉଥିବା ବେଳେ ଏହାକୁ ସହଜରେ ସାଧାରଣ ଲୋକ ଓ ଖାଦ୍ୟ ବ୍ୟବସାୟୀ ଧରିପାରୁ ନାହାନ୍ତି।

ବି‌ଶେଷ ଭାବେ ରାସ୍ତା କଡ଼ର ଖାଦ୍ୟ ଦୋକାନୀଙ୍କୁ ଏହାକୁ ନେଇ ସଚେତନ କରାଇବାକୁ ସିଏମସି ପକ୍ଷରୁ ଏପରି ଯୋଜନା ଆରମ୍ଭ ହୋଇଥିଲା। ଏଥିପାଇଁ ସିଏମସି ପକ୍ଷରୁ ଦୋକାନୀଙ୍କୁ ଅନ୍‌ଲାଇନ୍‌ରେ ନାମ ପଞ୍ଜୀକରଣ କରିବାକୁ କୁହାଯାଇଥିଲା। ପ୍ରଥମ ପ୍ରର୍ଯ୍ୟାୟରେ ସିଏମସିର ୧୨, ୧୩, ୧୪ ଓ ୧୮ ନମ୍ବର ୱାର୍ଡ ସହିତ ହାଇକୋର୍ଟ ପରିସର ଓ ବାହାର ଅଞ୍ଚଳର ଖାଦ୍ୟ ଦୋକାନୀଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଇଥିଲା। ପରବର୍ତ୍ତି ସମୟରେ ସହରର ଅନ୍ୟ ଅଞ୍ଚଳରେ ଏହାକୁ ଆୟୋଜନ କରିବାକୁ ନିଗମ ଯୋଜନା କରିଥିଲା। ମାତ୍ର ଏହା ମଧ୍ୟରେ ୮ମାସ ବିତି ଯାଇଥିଲେ ବି ନିଗମର ଏହି ଯୋଜନା ଏକପ୍ରକାର ଦିଗହରା ହୋଇଯାଇଛି। ସହରବାସୀଙ୍କୁ ଅପମିଶ୍ରିତ ଖାଦ୍ୟରୁ ବଞ୍ଚିତ କରିବା ପାଇଁ ସିଏମ୍‌ସି ପକ୍ଷରୁ ଏହି ଯୋଜନାକୁ ସକ୍ରିୟ ଭାବେ କାର୍ଯ୍ୟକାରୀ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର