ସମସ୍ୟାରେ ପୋଷ୍ଟାଲ୍‌ କଲୋନି ବାସିନ୍ଦା, ଘରୁ ବାହାରିଲେ ମଇଳା ପାଣି

କଟକ: ସିଡିଏ ସେକ୍ଟର-୬ସ୍ଥିତ ପୋଷ୍ଟାଲ୍‌ କଲୋନି ରାସ୍ତାରେ ବହୁଦିନ ହେଲା ମଇଳା ପାଣି ଲହଡ଼ି ମାରୁଥିବା ବେଳେ ଏହାର କିଛି ପ୍ରତିକାର କରାଯାଉ ନ ଥିବାରୁ ଲୋକମାନେ ଯିବାଆସିବା କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାନବାହାନ ଚଳାଚଳରେ ଅସୁବିଧା ଦେଖା ଦେଉଛି। ମୁଖ୍ୟରାସ୍ତା କଡ଼ରେ ଥିବା ଏକ ସ୍ବେରେଜ ଚାମ୍ବର ଜାମ୍‌ ହୋଇ ତା’ଭିତରୁ ମଇଳା ସବୁ ରାସ୍ତା ଉପରକୁ ବୋହୁଛି। ତ୍ଵରିତ ପ୍ରତିକାର କରାଯାଇ ନ ଥିବାରୁ ଏହି ମଇଳା ପାଣି ଦିନ ଦିନ ଧରି ରାସ୍ତାରେ ଲହଡ଼ି ମାରୁଛି। ଏପରିକି ରାସ୍ତାର ଦୁଇପାର୍ଶ୍ବରେ ବହୁ ଦୂର ଯାଏ ମଇଳା ପାଣି ଲହଡ଼ି ମାରୁଛି। ବିଶେଷ କରି ନିକଟରେ ଥିବା ପୋଷ୍ଟାଲ କଲୋନି ଗେଟ୍‌ ସାମ୍ନାରେ ଆଣ୍ଠୁଏ ଉଚ୍ଚର ମଇଳା ପାଣି ଜମା ହୋଇ ରହିବା କାରଣରୁ ଅନ୍ତେବାସୀମାନେ ଘରୁ ବାହାରିବା କଷ୍ଟକର ହୋଇ ପଡ଼ୁଛି। ଜରୁରୀ କାମ ଥିଲେ ସେମାନେ ବାଧ୍ୟ ହୋଇ ମଇଳା ପାଣିରେ ପଶି ଯିବାଆସିବା କରୁଛନ୍ତି ଓ ବିଭିନ୍ନ ପ୍ରକାର ଚର୍ମରୋଗର ଶିକାର ହେଉଥିବା ଅଭିଯୋଗ ହେଉଛି। ପାଖାପାଖି ୧୫୦ ପରିବାର ଏହି ମଇଳା ପାଣିରେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଏ ନେଇ ସେମାନେ ସିଏମ୍‌ସି ନିକଟରେ ବହୁବାର ଅଭିଯୋଗ କଲା ପରେ ବି କିଛି ସୁଫଳ ମିଳୁ ନଥିବା ଅଭିଯୋଗ କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସିଡିଏ ଅଞ୍ଚଳରେ ଏବେ ଦିନକୁଦିନ ସ୍ବେରେଜ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ୁଥିବା ବେଳେ ପ୍ରଶାସନ ତାହାର ନିରାକରଣ ପ୍ରତି ଦୃଷ୍ଟି ଦେବା ବଦଳରେ ନିରବଦ୍ରଷ୍ଟା ସାଜିଛି। ତେଣୁ ଲୋକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ିବାରେ ଲାଗିଛି। ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର