ରାଜ୍ୟରେ ରାତି ଶବ ବ୍ୟବଚ୍ଛେଦ ବ୍ୟବସ୍ଥା କେବେ? ବ୍ୟବଚ୍ଛେଦ ଗୃହର ଦୟନୀୟ ସ୍ଥିତି; ରାତି ପାଇଁ ବ୍ୟବସ୍ଥା ନାହିଁ

କଟକ: ବ୍ରିଟିଶ ଅମଳର ଶବ ବ୍ୟବଚ୍ଛେଦ ଆଇନରେ ପରିବର୍ତ୍ତନ ହୋଇଛି। ଏଣିକି କେବଳ ଦିନ ନୁହେଁ, ରାତିରେ ବି ଶବ ବ୍ୟବଚ୍ଛେଦ ହୋଇ ପାରିବ। କେନ୍ଦ୍ର ସରକାରଙ୍କ ଏଭଳି ନିୟମ ଆସିବା ପରେ ସବୁ ମହଲରେ ଆଶ୍ବସ୍ତି ପ୍ରକାଶ ପାଇଛି। ହେଲେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟକୁ ବି ନିୟମ କରିବାକୁ ପଡିବ। କିନ୍ତୁ ଏ ସଂକ୍ରାନ୍ତରେ ରାଜ୍ୟ ସରକାର ନିୟମ କରି କେବେଠାରୁ ନୀତିଗତ ଭାବେ ନିଷ୍ପତ୍ତି କାର୍ଯ୍ୟକାରୀ କରିବେ, ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ। ଅନ୍ୟପଟେ ରାତିରେ ଶବ ବ୍ୟବଚ୍ଛେଦ ପାଇଁ ଭିତ୍ତିଭୂମିର ବିକାଶ ହେବା ବି ଜରୁରୀ। କିନ୍ତୁ କଟକ ସମେତ ରାଜ୍ୟର ଅଧିକାଂଶ ବ୍ୟବଚ୍ଛେଦ ଗୃହ ଯେଭଳି ସ୍ଥିତିରେ ରହିଛି, ସେଥିରେ ରାତି ଶବ ବ୍ୟବଚ୍ଛେଦ କାର୍ଯ୍ୟକାରୀ କରିବା ନିକଟ ଭବିଷ୍ୟତରେ କଷ୍ଟକର ବୋଲି ମତ ପ୍ରକାଶ ପାଇଛି। ରାଜ୍ୟର ସ୍ବାସ୍ଥ୍ୟ ରାଜଧାନୀ କଟକକୁ ଉଦାହରଣ ଭାବେ ନେଲେ, ସେଥିରେ ରାଜ୍ୟର ଦୟନୀୟ ସ୍ଥିତି ଧରା ପଡି ଯାଉଛି। କଟକ ମହାନଗର ସମେତ ଜିଲ୍ଲାର ୮ଟି ବ୍ଲକ୍‌ ଏବେ ବି ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ଡାକ୍ତରଖାନା ଉପରେ ନିର୍ଭରଶୀଳ। ମାହାଙ୍ଗାଠାରୁ ଆରମ୍ଭ କରି ନିଆଳି, ବାରଙ୍ଗ ପର୍ଯ୍ୟନ୍ତ କେଉଁଠି ବି ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ନାହିଁ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସିଟି ହସ୍ପିଟାଲରେ ବି ଶବବ୍ୟବଚ୍ଛେଦ ବ୍ୟବସ୍ଥା ହୋଇ ପାରିନି। ଏସ୍‌ସିବି, ଆଚାର୍ଯ୍ୟ ହରିହର, ଶିଶୁଭବନ, ବିଭିନ୍ନ ଘରୋଇ ହସ୍ପିଟାଲ ସହ ଅନ୍ୟ ସ୍ଥାନରେ ହେଉଥିବା ଦୁର୍ଘଟଣା, ଅପମୃତ୍ୟୁରେ ଶବ ବ୍ୟବଚ୍ଛେଦ ପାଇଁ ଏସସିବି ଆସୁଛି। ଫଳରେ ଏଠାରେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି। ଏସ୍‌ସିବିରେ ସକାଳ ସାଢେ ୧୦ଟା ୧୧ଟାରେ ଶବ ବ୍ୟବଚ୍ଛେଦ ଆରମ୍ଭ ହେଉଛି। ଏକାଥ‌ରକେ ସର୍ବାଧିକ ୪ଜଣଙ୍କ ବ୍ୟବଚ୍ଛେଦ ବ୍ୟବସ୍ଥା ରହିଛି। ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଖୁବ ବେଶୀରେ ୧୫ଟି ଶବ ବ୍ୟବଚ୍ଛେଦ ସମ୍ଭବ ହେଉଛି। କାରଣ ଶବକାଟିବା ପାଇଁ ଏଠି ମାତ୍ର ଜଣେ ବ୍ୟକ୍ତି ଅଛନ୍ତି। କଟକ ଜିଲ୍ଲାର ୧୪ଟିରୁ ୩ଟି ବ୍ଲକ ଆଠଗଡ଼, ବଡମ୍ବା ଓ ବାଙ୍କୀରେ ଶବବ୍ୟବଚ୍ଛେଦ ବ୍ୟବସ୍ଥା ରହିଛି। ଆଠଗଡ଼ ଉପରେ ତିଗିରିଆ, ବଡମ୍ବା ଉପରେ ନରସିଂହପୁର ଓ ବାଙ୍କୀ ଉପରେ ଡମପଡା ବ୍ଲକ ନିର୍ଭର କରୁଛି। ବାକି ୮ଟି ବ୍ଲକ୍‌ କଟକ ସଦର, ଟାଙ୍ଗୀ-ଚୌଦ୍ବାର, ନିଆଳି, କଣ୍ଟାପଡା, ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ବାରଙ୍ଗ ଓ କଟକ ସହରବାସୀରେ ଶବ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ଆସିବାକୁ ପଡୁଛି। ବାଙ୍କୀ, ବଡ଼ମ୍ବାରେ ଥିବା ଶବ ବ୍ୟବଚ୍ଛେଦ ଗୃହର ଚିତ୍ର ତାହାର ଦୟନୀୟ ସ୍ଥିତି ବର୍ଣ୍ଣନା କରୁଛି। ସେଠି ରାତିରେ କିଭଳି ବ୍ୟବଚ୍ଛେଦ ହେବ, ତାହା ଆଶଙ୍କାରେ। ଏଡିଏମ୍‌ଓ ଡାକ୍ତର ଉମେଶ ରାୟ କହିବା ଅନୁଯାୟୀ ରାତିରେ ବ୍ୟବଚ୍ଛେଦ ବ୍ୟବସ୍ଥା ସଂପର୍କରେ ସରକାରଙ୍କ ନିର୍ଦ୍ଦେଶନାମା ଆସିନି। ଆସିଲେ ତାହାକୁ କାର୍ଯ୍ୟକାରୀ କରାଯିବ।

ସମ୍ବନ୍ଧିତ ଖବର