ଦୁର୍ଦ୍ଦଶାରେ ଦୀପ କାରିଗର, କୌଳିକ ବୃତ୍ତି ବଞ୍ଚାଇବାକୁ ସଂଘର୍ଷ

କଟକ: ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି। ମାସକ ପୂର୍ବରୁ ଦୀପ କାମ ଆରମ୍ଭ କରିଥାନ୍ତି କାରିଗର। ଗ୍ରାହକଙ୍କ ଲମ୍ବା ଧାଡି ମଧ୍ୟ ଲାଗିଥାଏ କାରିଗରଙ୍କ ପାଖରେ। ହେଲେ ଚଳିତ ବର୍ଷ ମୁଣ୍ଡରେ ହାତ ଦେଇ ବସିଛନ୍ତି ମାଟି ଦୀପ କାରିଗର। ପୂର୍ବରୁ ଏହି ସମୟରେ କାମରୁ ଫୁରସତ ମିଳୁ ନଥିବାବେଳେ ଏବର ସ୍ଥିତି ସମ୍ପୂର୍ଣ୍ଣ ବିପରୀତ। ଯେଉଁଠି କାରିଗରଙ୍କୁ ପୂର୍ବରୁ ୧ଶହରୁ ଅଧିକ ଅର୍ଡର ଆସୁଥିଲା ସେଠି ଏବେ ଗୋଟିଏ ବି ଅର୍ଡର ନାହିଁ। ବିଡାନାସୀ ଠାରେ ବାସ କରୁଥିବା ୩ଶହରୁ ଅଧିକ କୁମ୍ଭକାର ପରିବାର ଏବେ ନିଜ କୌଳିକ ବୃତ୍ତି ବଂଚାଇ ରଖିବାକୁ ସଂଘର୍ଷ କରୁଛନ୍ତି। ପୂର୍ବରୁ ଏହି ଅଞ୍ଚଳରେ ଘରେ ଘରେ ମାଟି ଜିନିଷ ତିଆରି କାମ ଚାଲିଥିବା ବେଳେ ଏବେ କିଛି ମାତ୍ରାରେ ପରିବାର ଏହି କାମକୁ ବଜାୟ ରଖିଛନ୍ତି।

ତେବେ ମାଟି, ଝାଟି ଓ ବାଲି ଦର ଦିନକୁ ଦିନ ବଢ଼ୁଥିବାବେଳେ ଏହି କାମ କରି ପରିବାର ପୋଷିବା କାରିଗରଙ୍କ ପାଇଁ କଷ୍ଟକର ହୋଇପଡିଛି। ପୂର୍ବରୁ ଯେଉଁଠି ଦୀପାବଳି ସମୟରେ କାରିଗର ୧ ଲକ୍ଷରୁ ଅଧିକ ଦୀପ ତିଆରି କରୁଥିଲେ ଚଳିତ ବର୍ଷ ତାହା ୧୦ ହଜାର ଛୁଇଁ ନାହିଁ। ଦୀପ ସମେତ ଝୁଣା ଦାନୀ, କଳସ, ସରା ଆଦି ତିଆରି କରିଥାନ୍ତି କାରିଗର। ଦୀପ ଦର ୧ ଟଙ୍କାରୁ ୫୦ ଟଙ୍କା, କଳସ ଦର ୬ ଟଙ୍କାରୁ ୧୦ ଟଙ୍କା, ସରା ଦର ୧ ରୁ ୨ ଟଙ୍କାରେ ବିକ୍ରି ହୋଇଥାଏ। ତେବେ ଏହି ଦୀପାବଳି ସମୟରେ କାରିଗର ନିଜ ସବୁ ଖର୍ଚ୍ଚ ବାଦ୍‌ ୪୦ ରୁ ୫୦ ହଜାର ଟଙ୍କା ରୋଜଗାର କରୁଥିବା ବେଳେ ଚଳିତବର୍ଷ ବେପାର ଗୋଲକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି କାରିଗର।

Sambad

ଗ୍ରାହକ ମୁହଁ ଫେରାଉଛନ୍ତି
କୋଭିଡ଼ ଯୋଗୁଁ ସମ୍ପୂର୍ଣ୍ଣ ବେପାର ମାନ୍ଦା। ଯେଉଁଠି ଗ୍ରାହକ ଦୀପ ପାଇଁ ଧାଡ଼ି ଲଗାଉଥିଲେ ଏବେ ମୁହଁ ଫେରାଇ ନେଉଛନ୍ତି। ପରିବାର ପୋଷିବା କଷ୍ଟକର ହୋଇଯାଇଛି। ବର୍ଷ ତମାମ୍‌ ଏହି କାମ କରି ଆସୁଥିବାବେଳେ କାଁ ଭାଁ ଦୀପ ତିଆରି କରିଛି। ସରକାର କୁମ୍ଭାରଙ୍କ ପ୍ରତି ଦୃଷ୍ଟି ଦେବାସହ ସମସ୍ତ ସୁବିଧା ଯୋଗାଇଦେବା ନିହାତି ଆବଶ୍ୟକ।
ସୁରେନ୍ଦ୍ର ବେହେରା, ମାଟି କାରିଗର

ସରକାର ଦୃଷ୍ଟି ଦଅନ୍ତୁ
ଦୀପ ତିଆରି କରିଛି ହେଲେ ଏହା ବିକ୍ରି ହେବ କି ନାହିଁ ସେହି ଚିନ୍ତା ଘାରିଛି। ହେଲେ ଏହି କାମ କରିବା ପାଇଁ ମନ ଭାଙ୍ଗିନି। ଏବେ ମାଟି କାରିଗରଙ୍କ ଦୁର୍ଦ୍ଦଶାର ମୁଖ୍ୟ କାରଣ କରୋନା ମହାମାରୀ। ବେପାର ନଥିବାରୁ ଗ୍ରାହକ ବି ଜିନିଷ କିଣି ନେବାକୁ ପଛଘୁଞ୍ଚା ଦେଉଛନ୍ତି। ଦର ବୃଦ୍ଧି ମଧ୍ୟ ହାତ ବାନ୍ଧି ଦେଇଛି। ହେଲେ ଏହା ଆମ କୌଳିକ ବୃତ୍ତି ରହିଥିବାରୁ ବହୁ କ‌ଷ୍ଟରେ ଏହାକୁ ବଜାୟ ରଖିଛି। ସରକାର କୌଣସି ପ୍ରକାର ସହାୟତା କଲେ ଆମେ ଏହି କାମକୁ ବଂଚାଇ ରଖି ପାରନ୍ତୁ।
ନଗେନ୍‌ ବେହେରା, ମାଟି କାରିଗର

Sambad

ଗୋଟିଏ ବି ଦୀପ ତିଆରି କରିନାହିଁ
୩୦ ବର୍ଷ ହେଲା ଏହି କାମ କରି ଆସୁଥିବା ବେଳେ ଚଳିତବର୍ଷ ପ୍ରଥମକରି ଦୀପ ତିଆରି କରିନାହିଁ। ଗତବର୍ଷ ଦୀପ ତିଆରି କରିବା ପରେ ଗ୍ରାହକ ଏହାକୁ କିଣି ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ‌‌କେବଳ ପୂଜା ପାଇଁ ଆବଶ୍ୟକ କଳସ ତିଆରି କରିଛି। ହେଲେ ତାହା ମଧ୍ୟ ବିକ୍ରି ହେବ କି ନାହିଁ ସନ୍ଦେହରେ ରହିଛି। ଏହି କାମରୁ ଯାହା ରୋଜଗାର ହୋଇଥାଏ ସେଥିରେ ପରିବାର ଚଳେ ହେଲେ ଏବେ ପରିସ୍ଥିତି ଯୋଗୁଁ ରୋଜଗାର ବାଟ ପୁରା ବନ୍ଦ ହୋଇଯାଇଛି। ସରକାରଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ ହୋଇ ପଡିଛି।
ନରେନ୍ଦ୍ର ବେହେରା, ମାଟି କାରିଗର

କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ପ୍ରୟାସ କରୁଛୁ
ଏହି କାମକୁ ନେଇ ଆମର ପରିଚୟ। ହେଲେ ପରିସ୍ଥିତି ବାଧ୍ୟ କରୁଛି ଏହି କାମ ବନ୍ଦ କରିବାକୁ। ଦୀପାବଳିର କିଛି ଦିନ ପୂର୍ବରୁ ହିଁ ଗ୍ରାହକଙ୍କ ଭିଡ଼ ଜମିଥାଏ। ହେଲେ ଏବେ ତାହା ସମ୍ପୂର୍ଣ୍ଣ ଭାବେ ଓଲଟା ହୋଇଯାଇଛି। ଯେଉଁଠି ପୂର୍ବରୁ ୨୦ ହଜାରରୁ ଅଧିକ ଦୀପ ତିଆରି କରୁଥିଲି ଏବେ ୮ ହଜାର ଦୀପ ମଧ୍ୟ ତିଆରି ହୋଇନାହିଁ। ବିକ୍ରି ହେବା ନେଇ ମନରେ ଭୟ ମଧ୍ୟ ରହିଛି। ଏହି କାମରୁ ଯାହା ରୋଜଗାର କରିଥାଉ ସେଥିରେ ପରିବାର ଚଳିଯାଏ। ହେଲେ ତାହା ଏବେ ବହୁ କଷ୍ଟକର ହୋଇଯାଇଛି। କୌଣସି ଭାବେ ସରକାରୀ ସହୟତା ମିଳିଲେ କୌଳିକ ବୃତ୍ତିକୁ ବଞ୍ଚାଇ ରଖି ପାରନ୍ତୁ।
ଟୁକୁନା ବେହେରା, ମାଟି କାରିଗର

ସମ୍ବନ୍ଧିତ ଖବର