ରାଜଧାନୀ ରାସ୍ତାରେ ସାହସ ଦେଖାଇଥିବା କଟକ ଝିଅକୁ ସମ୍ବର୍ଦ୍ଧନା

କଟକ: ଭୁବନେଶ୍ବରର ରାଜରାସ୍ତାର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଗତ ଶୁକ୍ରବାର ସନ୍ଧ୍ୟାରେ ସାହସିକତାର ସହ ଜଣେ ଲୁଟେରାକୁ କାବୁ କରିଥିବା କଟକ ବାଦାମବାଡ଼ି ଥାନା ଅନ୍ତର୍ଗତ ଝାଞ୍ଜିରୀମଙ୍ଗଳା ଅଞ୍ଚଳର ଝିଅ ପ୍ରଜ୍ଞା ରାୟଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ତାଙ୍କର ଧୈର୍ଯ୍ୟ ଓ ସାହସିକତା ପାଇଁ ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍‌ ପ୍ରଜ୍ଞାଙ୍କୁ ସମ୍ମାନିତ ଓ ପୁରସ୍କୃତ କରିଛନ୍ତି। ଲୁଟେରାଙ୍କ ସହ ଲଢ଼େଇ କରି ପ୍ରଜ୍ଞା ନିଜର ଫୋନ ଫେରି ପାଇବା ନାରୀ ନିର୍ଯାତନା ଓ ସମାଜରେ ନିର୍ଯାତିତ ଝିଅ, ମହିଳାମାନଙ୍କ ପାଇଁ ସକରାତ୍ମକ ବାର୍ତ୍ତା ଓ ସାହସ ଯୋଗାଇବ ବୋଲି ବିଧାୟକ କହିଛନ୍ତି। ଏହି ଅବସରରେ ପ୍ରଜ୍ଞାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା।

ନିଜ ପାଇଁ ନିଜେ ଅଣ୍ଟା ଭିଡ଼ିବାକୁ ପଡ଼ିବ: ପ୍ରଜ୍ଞା

ଝାଞ୍ଜିରୀମଙ୍ଗଳାର ଦେବୁ କଲ୍ୟାଣ ରାୟ ଓ ଗୀତାଞ୍ଜଳୀ ରାୟଙ୍କ ଝିଅ ପ୍ରଜ୍ଞାଙ୍କୁ ଏବେ ମାତ୍ର ୨୦ ବର୍ଷ। ସେ କିଟ ବିଶ୍ୱବିଦ୍ୟାଳୟର ଜର୍ଣ୍ଣାଲିଜିମର ତୃତୀୟ ବର୍ଷର ଛାତ୍ରୀ। ଗତ ଶୁକ୍ରବାର ସନ୍ଧ୍ୟାରେ ସେ ନିଜ ଘରୁ ଓଲା ମାଧ୍ୟମରେ କଟକରୁ ଭୁବନେଶ୍ୱର କିଟ୍‌ ସ୍କୋୟରରେ ପହଞ୍ଚିବା ପରେ ସେଠାରୁ ଜୟଦେବ ବିହାର ଯିବା ପାଇଁ ଲୋକାଲ ଅଟୋରେ ବସିଥିଲେ। ହଠାତ ଜଣେ ଯୁବକ ଆସି ଅଟୋରେ ବସିବା ପରେ ଅଟୋ ଚାଳକ ଗାଡି ଷ୍ଟାର୍ଟ କରିଥିଲେ। ଯୁବକ ଜଣକ ପ୍ରଜ୍ଞାଙ୍କ ବାମ ହାତରୁ ତାଙ୍କ ଫୋନ ଛଡାଇ ନେଇ ଅଟୋରୁ ଡିଆଁ ମାରିଥିଲେ। ଚଳନ୍ତା ଅଟୋରୁ ପ୍ରଜ୍ଞା ବି ଡିଆଁ ମାରି ଯୁବକଙ୍କ ପିଛା କରିଥିଲେ। ଯୁବକ ଜଣକୁ ତାର ଅନ୍ୟ ସହଯୋଗୀ ବାଇକରେ ଅପେକ୍ଷା କରିଥିଲା। ଫୋନ ଛଡାଇ ନେଇଥିବା ଯୁବକ ତା’ର ସହଯୋଗୀ ବାଇକ ପଛରେ ବସିଯାଇଥିଲା। ହେଲେ ବାଇକଟି ଷ୍ଟାର୍ଟ ହୋଇ ନଥିଲା। ଏହା ଦେଖି ପ୍ରଜ୍ଞା ବାଇକଟିକୁ ଗୋଇଠା ମାରିଥିଲେ। ଫଳରେ ଦୁଇ ଜଣ ଲୁଟେରା ତଳେ ପଡିଯାଇଥିଲେ। ପ୍ରଥମେ ପ୍ରଜ୍ଞା ନିଜ ଫୋନ ଲୁଟେରାଠୁ ଛଡାଇ ଆଣିବା ପରେ ତାକୁ ମାଡ଼ ମାରିଥିଲେ। ସ୍ଥାନୀୟ ଲୋକେ ବି ଏକଜୁଟ ହୋଇ ଲୁଟେରାକୁ ମାଡ ମାରିବା ସହ ପୁଲିସକୁ ଜଣାଇଥିଲେ। ହେଲେ ସହଯୋଗୀ ଲୁଟେରା ସେଠାରୁ ଖସି ପଳାଇଥିଲା। ଚଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଫୋନ ଛଡ଼ାଇ ଥିବା ଲୁଟେରାକୁ ଗିରଫ କରି ମାମଲା ରୁଜୁ କରିଥିଲା। ଏନେଇ ପ୍ରଜ୍ଞା କୁହନ୍ତି ଯେ ପିଲାବେଳୁ ମା’ ଖବର କାଗଜରୁ ଏଭଳି ବହୁତ ଘଟଣା ପଢ଼ି କି ମୋତେ ଶୁଣାନ୍ତି।

ହେଲେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଘଟଣା ମୋ ସହ ଘଟିବ ବୋଲି କେବେ କଳ୍ପନା କରି ନଥିଲି। ସେତେବେଳେ ସେମିତି କିଛି ଚିନ୍ତା ନ କରି ଲୁଟେରାର ପିଛା କରିଥିଲି ଏବଂ ତାର ବାଇକକୁ ଗୋଇଠା ମାରିଥିଲି। ସେମାନେ ପଡିଯିବା ପରେ ସ୍ଥାନୀୟ ଲୋକେ ସହଯୋଗ କରି ଲୁଟେରାକୁ କାବୁ କରି ନେଇଥିଲେ। ପୁଲିସ ଅଧିକାରୀ କହିଥିଲେ ଯେ ଏହି ଲୁଟେରା ନାଁରେ ଆଗରୁ ବହୁ ମାମଲା ରହିଛି। ହେଲେ ତାକୁ ଧରିବ‌ାରେ ସକ୍ଷମ ହେଉ ନଥିଲେ। ମୋର ଏଭଳି ସାହସିକତା ଯୋଗୁଁ ଲୁଟେରା ଧରା ପଡିଥିବାରୁ ପୁଲିସ ଅଧିକାରୀ ମାନେ ମୋର ବହୁ ପ୍ରଶଂସା କରିଥିଲେ। ପରେ ଏହି ଘଟଣା ସୋସିଆଲ ମିଡିଆରେ ମଧ୍ୟ ଛାଇ ଯାଇଥିଲା। ବହୁ ଲୋକେ ପ୍ରଶଂସା ମଧ୍ୟ କରିଛନ୍ତି। ଏଥିପାଇଁ ବହୁତ ଖୁସି ଲାଗୁଛି। ପିଲାବେଳୁ ବାପା ମା’ ସବୁବେଳେ କହି ଆସିଛନ୍ତି ଯେ ନିଜ ପାଇଁ ସବୁବେଳେ ନିଜକୁ ଅଣ୍ଟା ଭିଡ଼ିବାକୁ ପଡିବ। ପରେ ଅନ୍ୟ କେହି ସାହାଯ୍ୟ କରିବେ। ମୁଁ ନିଜେ ସାହସ ଦେଖାଇବାରୁ ହିଁ ଆଜି ମୋ ଫୋନ ଫେରି ପାଇବା ସହ ଲୁଟେରା ମଧ୍ୟ ଦଣ୍ଡ ପାଇଛି।

ସମ୍ବନ୍ଧିତ ଖବର