କଟକ: ବଲିଉଡ଼ ସିନେମାରେ ଅଭିନୟ କରିଛନ୍ତି କଟକର ପ୍ରଜ୍ବଳ ସାହୁ। ଦେଶର ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ପୁଅ ଭୂମିକାରେ ବଲିଉଡ଼ର ବଡ଼ ପରଦାରେ ନଜର ଆସିଛନ୍ତି ପ୍ରଜ୍ବଳ। ୧୩ ବର୍ଷ ବୟସରେ ବଲିଉଡ଼ ସିନେମା ଜ୍ବିଗାଟୋ ଚଳଚିତ୍ରରେ ଅଭିନୟ କରିଛନ୍ତି ପ୍ରଜ୍ବଳ। ମାର୍ଚ୍ଚ ୧୭ ତାରିଖରେ ଏହି ଚଳଚିତ୍ରଟି ରିଲିଜ ହୋଇଥିବା ବେଳେ ନିଜର ଅଭିନୟ ପାଇଁ ଢ଼େର ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି ପ୍ରଜ୍ବଳ। ପ୍ରଜ୍ବଳ ହେଉଛନ୍ତି ରାଜ୍ୟର ବିଶିଷ୍ଟ ଶିଳ୍ପଦ୍ୟୋଗୀ, ରୁଚି ମସଲା ଉଦ୍ୟୋଗର ପ୍ରତିଷ୍ଠାତା ଡକ୍ଟର ଶରତ ସାହୁ ଓ ସଂଗୀତା ସାହୁଙ୍କ ନାତି। କଟକର କଲ୍ୟାଣନଗରରେ ରହୁଥିବା ଅରବିନ୍ଦ ସାହୁ ଓ ଶାଲିନୀ ସାହୁଙ୍କ ପୁଅ ପ୍ରଜ୍ବଳଙ୍କୁ ଏବେ ମାତ୍ର ୧୩ ବର୍ଷ। ସେ ଏବେ ଉଟି ଠାରେ ଥିବା ଗୁଡ଼୍ ସେପର୍ଡ ଇଣ୍ଟରନ୍ୟାସନାଲ ସ୍କୁଲର ୭ମ ଶ୍ରେଣୀର ଛାତ୍ର। ୨୦୨୨ରେ ସେ ଭୁବନେଶ୍ବରର କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ପଢ଼ୁଥିବା ବେଳେ ସ୍କୁଲ ପରିସରରେ ଏହି ବଲିଉଡ଼ ଚଳଚିତ୍ର ପାଇଁ ଅଡିସନ ଅନୁଷ୍ଠିତ ହୋଇଥିଲା। ପ୍ରଜ୍ବଳଙ୍କ ଅଭିନୟ ଆଧାରରେ ତାଙ୍କୁ ଏହି ଚଳଚ୍ଚିତ୍ର ପାଇଁ ଚୟନ କରାଯାଇଥିଲା। ୨୦୨୨, ଏପ୍ରିଲ ମାସରେ ଭୁବନେଶ୍ବର ସ୍ଥିତ ଭରତପୁର ଠାରେ ଏହି ଚଳଚ୍ଚିତ୍ରର ସୁଟିଂ କରାଯାଇଥିଲା।
/sambad/media/post_attachments/wp-content/uploads/2023/03/WHATSAPP-IMAGE-2023-03-18-AT-84412-PM091417-199x300-1.jpg)
ନନ୍ଦିତା ଦାସଙ୍କ ଦ୍ବାରା ନିର୍ଦେଶିତ ଓ ସମୀର ନେର୍, ଦୀପକ ସେଗଲ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ପ୍ରଖ୍ୟାତ ହାସ୍ୟ ଅଭିନେତା କପିଲ ଶର୍ମା, ଅଭିନେତ୍ରୀ ସାହାନା ଗୋସ୍ବାମୀ ମୁଖ୍ୟ ଭୂମିକାରେ ରହିଥିବା ବେଳେ ପ୍ରଜ୍ବଳ ସାହୁ ତାଙ୍କ ପୁଅ ଭୂମିକାରେ ଅଭିନୟ କରୁଛନ୍ତି। ଚଳଚ୍ଚିତ୍ରଟି ଗୋଟିଏ ମଧ୍ୟବିତ୍ତ ପରିବାରର କାହାଣୀ ଉପରେ ଆଧାରିତ। କପିଲ ଶର୍ମା ଜଣେ ଖାଦ୍ୟ ଡେଲିଭରି ବୟର ଅଭିନୟ କରିଥିବା ବେଳେ କିପରି ଭାବେ ସେଥିରୁ ସେ ପରିବାର ଭରଣପୋଷଣ କରୁଛନ୍ତି ତାହାକୁ ନେଇ ଚଳଚ୍ଚିତ୍ରର କାହାଣୀ ଗଢି ଉଠିଛି। ଚଳଚ୍ଚିତ୍ରରେ କପିଲଙ୍କ ଏକମାତ୍ର ପୁଅ ଭାବେ ପ୍ରଜ୍ବଳ ଅଭିନୟ କରୁଥିବା ବେଳେ ତାଙ୍କୁ ପ୍ରଥମେ ଦୁଷ୍ଟ ଓ ଜିଦି ସ୍ବଭାବର ଦର୍ଶାଯାଇଛି। କିନ୍ତୁ ପରେ ସେ କିପରି ବାପାଙ୍କ ପରିସ୍ଥିତିକୁ ବୁଝି ବାପାଙ୍କୁ ସହାୟତ କରୁଛନ୍ତି ତାହା ଉପରେ ଚଳଚ୍ଚିତ୍ରର କାହାଣୀ ଆଗକୁ ବଢୁଛି। କପିଲ ଶର୍ମା ବି ପ୍ରଜ୍ବଳଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇନ୍ତି। ଏ ସଂପର୍କରେ ପ୍ରଜ୍ବଳ କହିଛନ୍ତି ଯେ ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର। ପାଠପଢ଼ା ବଜାୟ ରଖିବା ସହ ଆଗାମୀ ଦିନରେ ଚଳଚ୍ଚିତ୍ରରେ ଅଭିନୟ ପାଇଁ ସୁଯୋଗ ମିଳିଲେ ତାହାକୁ ବି ହାତ ଛଡ଼ା କରିବିନି। ପରିବାରର ସମସ୍ତେ ତାଙ୍କୁ ଏଥିପାଇଁ ଉତ୍ସାହିତ କରିଛନ୍ତି। ପାଠ ପଢ଼ା ସହ ବିଟ୍ ବକ୍ସିଂରେ ମଧ୍ୟ ପ୍ରଜ୍ବଳଙ୍କର ଦକ୍ଷତା ରହିଛି। ଭବିଷ୍ୟତରେ ଜଣେ ସଫଳ ଉଦ୍ୟୋଗୀ ହେବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଏହା ସହିତ ଅଭିନୟରେ ସଫଳତା ହାସଲ ତାଙ୍କର ଲକ୍ଷ୍ୟ ବୋଲି ପ୍ରଜ୍ବଳ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Cuttack-Boy-in-Zwigato-Movie_Thumbnail.jpg)