୧୩ ବର୍ଷ ପରେ ମିଳିଲା ନ୍ୟାୟ, ପ୍ରମୋଦିନୀଙ୍କ ଆଖିରେ ଲୁହ

ଜଗତସିଂହପୁର: ତିର୍ତ୍ତୋଲ ଥାନା କନକପୁର ଗାଁର ପ୍ରମୋଦିନୀ ରାଉଳଙ୍କୁ ଏସିଡ୍ ମାଡ଼ ମାମଲାର ରାୟ ପ୍ରକାଶ ପାଇଛି। ୧୩ ବର୍ଷ ପରେ ପ୍ରମୋଦିନୀଙ୍କୁ ରାୟ ମିଳିଛି। ଏହି ବହୁ ଚର୍ଚ୍ଚିତ ଜଘନ୍ୟ ମାମଲାର ରାୟ ଶୁଣାଣି ବେଳେ ଆଜି କୋର୍ଟ ପରିସରରେ ପ୍ରବଳ ଭିଡ଼ ଜମିଥିଲା। ଅନେକ ଆଜିର ଦଣ୍ଡକୁ ସ୍ବାଗତ କରିଥିବା ବେଳେ ଅନେକ ଆହୁରି କଠୋର ଦଣ୍ଡ ସପକ୍ଷରେ ମତ ଦେଇଛନ୍ତି। ପ୍ରମୋଦିନୀଙ୍କ ମା’ କବିତା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଦେବା ପାଇଁ ଉପର କୋର୍ଟରେ ଆବେଦନ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି।

କହିଲେ, ଆଜୀବନ କାରାଦଣ୍ଡ ମିଳିବାର ଥିଲା…

କୋର୍ଟ ଦଣ୍ଡାଦେଶ ଶୁଣାଇବା ପରେ ପ୍ରମୋଦିନୀ ପରିବାର ଲୋକଙ୍କ ସହ କୋର୍ଟ ବାହାରକୁ ଆସି ପ୍ରତିକ୍ରିୟା ରଖିଥିଲେ। ଅଭିଯୁକ୍ତମାନେ ତାଙ୍କୁ ଯେମିତି ନର୍କ ଯନ୍ତ୍ରଣା ଦେଇଛନ୍ତି ସେମାନଙ୍କୁ ମଧ୍ୟ ସେମିତି ଦଣ୍ଡ ମିଳିବା ଦରକାର ଥିଲା। ୧୩ ବର୍ଷର ସଂଘର୍ଷ ବହୁତ ଯନ୍ତ୍ରଣାଦାୟକ ଥିଲା। ପ୍ରତି ମୁହୂର୍ତ୍ତରେ ସେ ଯନ୍ତ୍ରଣା ପାଇଛନ୍ତି। ଜୀବନ ସାରା ଏହା ରହିବ। ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍ ହୋଇଥିଲେ ଭଲ ହୋଇଥାନ୍ତା। ତଥାପି କୋର୍ଟଙ୍କ ରାୟକୁ ସମ୍ମାନ ଜଣାଉଛି ବୋଲି କହି ପ୍ରମୋଦିନୀ କାନ୍ଦି ପକାଇଥିଲେ। ପାଖରେ ଛିଡ଼ା ହୋଇଥିବା ମା କବିତା ଝିଅ ପ୍ରମୋଦିନୀଙ୍କ ଆଖିରୁ ଲୁହ ପୋଛି ଦେଇଥିଲେ। ସେ ନିଜେ ମଧ୍ୟ କାନ୍ଦି ପକାଇଥିଲେ। କହିଥିଲେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ପାଇଁ ଆମେ ଉପର କୋର୍ଟକୁ ଯିବୁ। ସେହିପରି ସ୍ବାମୀ ସରୋଜଙ୍କ ଆଖି ମଧ୍ୟ ଛଳଛଳ ହୋଇ ଯାଇଥିଲା। ସେ କହିଥିଲେ ଅଭିଯୁକ୍ତଙ୍କୁ ଏପରି କଠୋର ଦଣ୍ଡ ମିଳିବା ଦରକାର ଥିଲା, ଯାହାଫଳରେ ଅନ୍ୟ କେହି ଏପରି ଅପରାଧ ଘଟାଇବା ପୂର୍ବରୁ ଅନେକ ଥର ଚିନ୍ତା କରିବ।

ତିର୍ତ୍ତୋଲ ପୁଲିସ ମାମଲା ବନ୍ଦ କରିଦେଇଥିଲା, ପୁଣି ଫାଇଲ୍ ଖୋଲିଲେ ଏସ୍‌ପି ଜୟନାରାୟଣ ପଙ୍କଜ

ଘଟଣା ସଂପର୍କରେ ପ୍ରମୋଦିନୀଙ୍କ ମା’ କବିତା ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ। ଏପ୍ରିଲ ୨୯ ତାରିଖରେ ପୁଲିସ କେସ୍ ନଂ-୭୯/୨୦୦୯ରେ ମାମଲା ରୁଜୁ କରିଥିଲା। ପୁଲିସ୍‌ କିଛି ମାସ ତଦନ୍ତ କଲାପରେ ପ୍ରମାଣ ଯୋଗାଡ଼ ହୋଇପାରୁନି ଦର୍ଶାଇ ମାମଲାଟିକୁ ବନ୍ଦ କରି ଦେଇଥିଲା। ପୁଲିସ୍‌ ଅଭିଯୁକ୍ତକୁ ଫେରାର ଦର୍ଶାଇ ଚାର୍ଜସିଟ୍‌ ଦାଖଲ କରିଥିଲା। ୨୦୧୨ ମେ ୫ ତାରିଖରେ ତତ୍କାଳୀନ ତିର୍ତ୍ତୋଲ ଥାନା ଅଧିକାରୀ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପରେ ମାମଲା ବନ୍ଦ ହୋଇ ଯାଇଥିଲା। କିନ୍ତୁ କିଛିଟା ‌ସୁସ୍ଥ ହେବା ପରେ ପ୍ରମୋଦିନୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ନ୍ୟାୟ ପାଇବାକୁ ନିବେଦନ କରିଥିଲେ। ନ୍ୟାୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପରେ ଜଗତସିଂହପୁର ଜିଲ୍ଲାର ତତ୍‌କାଳୀନ ଏସପି ଜୟନାରାୟଣ ପଙ୍କଜଙ୍କୁ ସାକ୍ଷାତ କରି ପ୍ରମୋଦିନୀ ନ୍ୟାୟ ପାଇଁ ନିବେଦନ କରିଥିଲେ। ୨୦୧୭ ସେପ୍ଟେମ୍ବର ୪ ତାରିଖରେ ଏସ୍‌ପି ଜୟନାରାୟଣ ପଙ୍କଜଙ୍କ ନିର୍ଦ୍ଦେଶକ୍ରମେ ପୁଣି ଫାଇଲ୍ ଖୋଲିଥିଲେ ତତ୍କାଳୀନ ତିର୍ତ୍ତୋଲ ଥାନା ଅଧିକାରୀ ବଳରାମ ନାୟକ। କିନ୍ତୁ ପୂର୍ବରୁ ତଦନ୍ତରେ ଅବହେଳା ପାଇଁ ତିର୍ତ୍ତୋଲର ତତ୍‌କାଳୀନ ଏସ୍‌ଡିପିଓ ଆର୍‌କେ ଜେନା ଓ ଥାନାଅଧିକାରୀ ଶଙ୍କର୍ଷଣ ଦଳାଇଙ୍କୁ ନିଲମ୍ବନ କରାଯାଇଥିଲା। ମାମଲାର ତଦନ୍ତ କରି ୨୦୧୭ ନଭେମ୍ବର ୨୫ ତାରିଖରେ ନୟାଗଡ଼ ଜିଲ୍ଲା ରଣପୁର ଥାନା ଚମ୍ପାଗଡ଼ର ଅନୀଲ ଦଳସିଂହରାୟ ଓରଫ ବିଶ୍ବଜିତକୁ ଗିରଫ କରା ଯାଇଥିଲା। ଏହାର ଠିକ ପରଦିନ ଅର୍ଥାତ ନଭେମ୍ବର ୨୬ ତାରିଖରେ ମୁଖ୍ୟ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଜୋରଗାଡ଼ିଆର ସନ୍ତୋଷ ବେଦାନ୍ତକୁ ଗିରଫ କରିଥିଲା ପୁଲିସ। ୨୦୧୮ ମାର୍ଚ୍ଚ ୩୧ ତାରିଖରେ ପୁଲିସ ଚାର୍ଜସିଟ୍ ଦାଖଲ କରିଥିଲା। ଏହି ମାମଲାରେ ମୋଟ୍ ୨୬ ଜଣ ସାକ୍ଷୀ ଥିବା ବେଳେ ୧୮ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରା ଯାଇଥିଲା।

୨୦୦୯, ଏପ୍ରିଲ ୧୮ର ସେହି କାଳ ଦିନ…

୨୦୦୯ ବେଳକୁ ପ୍ରମୋଦିନୀ ଯୁକ୍ତ ୨ ପ୍ରଥମ ବର୍ଷରେ ପଢୁଥିଲେ। ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ ସେତେବେଳେ ଅର୍ଦ୍ଧ ସାମରିକ ବାହିନୀରେ ଯବାନ ଥିଲା। ଜାମ୍ମୁ କାଶ୍ମୀର କୁପୱାରା ଅଞ୍ଚଳରେ କାର୍ଯ୍ୟ କରୁଥିଲା। କିନ୍ତୁ ସେ ପ୍ରମୋଦିନୀଙ୍କୁ ଏକତରଫା ପ୍ରେମ କରିବା ସହ ଘରକୁ ଆସିଲେ ବାରମ୍ବାର ତାଙ୍କର ପିଛା କରୁଥିଲା। ସାଙ୍ଗମାନଙ୍କ ଜରିଆରେ ପ୍ରେମ ନିବେଦନ କରି ବିଫଳ ବି ହୋଇଥିଲା। ୨୦୦୯ ଏପ୍ରିଲ ୧୪ ପଣା ସଂକ୍ରାନ୍ତି ଦିନ ସନ୍ତୋଷ ପ୍ରମୋଦିନୀଙ୍କ ହାତ ଧରି ପ୍ରେମ ନିବେଦନ କରିଥିଲା। ପ୍ରମୋଦିନୀ କିନ୍ତୁ ତାହାକୁ ରୋକଠୋକ୍‌ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଏହାକୁ ନେଇ ଅପମାନରେ ଜର୍ଜରିତ ସନ୍ତୋଷ ପ୍ରତିଶୋଧ ନେବାକୁ ଯୋଜନା କରିଥିଲା। ୨୦୦୯ ଏପ୍ରିଲ ୧୮ ତାରିଖରେ ଅପରାହ୍ନରେ ସହଯୋଗୀ ଅନୀଲ ଓରଫ ବିଶ୍ବଜିତକୁ ସାଙ୍ଗରେ ଧରି ସନ୍ତୋଷ ସ୍ଥାନୀୟ ଦୋକାନରୁ ଏସିଡ୍ କିଣି ଏକ ନମ୍ବର ବିହୀନ ଗାଡ଼ିରେ ପ୍ରମୋଦିନୀଙ୍କ ପିଛା କରିଥିଲା। ପ୍ରମୋଦିନୀ ତାଙ୍କ ମଉସାଙ୍କ ଘରୁ ସାଇକଲରେ ଘରକୁ ଫେରୁଥିବା ବେଳେ ସନ୍ତୋଷ ତାର ସହଯୋଗୀ ଅନୀଲ ସହ ଏକ ବାଇକରେ ଯାଇ ତାଙ୍କର ବାଟ ଓଗାଳିଥିଲା। ଗାଳିଗୁଲଜ କରିଥିଲା। ‘ଯଦି ମୋର ନୁହେଁ ତାହେଲେ ତୁ କାହାର ନୁହଁ’ ବୋଲି କହି ହାତରେ ଧରିଥିବା ଏସିଡ୍ ବୋତଲ ଖୋଲି ପ୍ରମୋଦିନୀଙ୍କ ମୁଣ୍ଡ ଉପରେ ଢାଳି ଦେଇଥିଲା।

Sambad

ଏଭଳି କାଣ୍ଡ କରି ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ପରେ ସନ୍ତୋଷ କାର୍ଯ୍ୟ କରୁଥିବା ଜମ୍ମୁ କାଶ୍ମୀରକୁ ପଳାଇ ଯାଇଥିଲା। ଏପଟେ ପ୍ର‌ମୋଦିନୀଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଥିବାରୁ ଘଟଣାସ୍ଥଳରେ ସେ ଅଚେତ ହୋଇ ପଡ଼ିଥିଲେ। ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରା ଯାଇଥିଲା। ଗୋଟିଏ ଦିନ କୋମାରେ ରହିବା ପରେ ତାଙ୍କର ଚେତା ଫେରିଥିଲା। ଏସସିବିରେ ପ୍ରାୟ ୫ରୁ ଅଧିକ ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ସେ ନିଜର ଦୃଷ୍ଟିଶକ୍ତି ହରାଇ ବସିଥିଲେ। ଶରୀର ଉପରଭାଗ ମଧ୍ୟ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା। ଏସସିବି ଆଇସିୟୁରେ ସେ ପ୍ରାୟ ୭ ମାସ ଧରି ରହିଥିଲେ। ଏପରିକି ୫ ବର୍ଷ ଯାଏ ଘରୁ ବାହାରି ନଥିଲେ । ଏସ୍‌ସିବିରୁ ଆସିବା ପରେ ବି ପ୍ରମୋଦିନୀଙ୍କ ଗୋଡ଼ରେ ଏସିଡ୍ ପଡ଼ି ସୃଷ୍ଟି ହୋଇଥିବା ଘା’ ଶୁଖି ନଥିଲା। ଧୀରେ ଧୀରେ ଏହି କ୍ଷତ ବଢ଼ୁଥିବାରୁ ଘରେ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ପ୍ରମୋଦିନୀଙ୍କ ମା’ଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ। ସଂକ୍ରମଣ ଆଶଙ୍କାରେ ସେ ବାହାର ଦୁନିଆରୁ ଦୂରେଇ ରହିଥିଲେ। ସବୁ କିଛି ଠିକ୍ ଚାଲିଥିବା ବେଳେ ୨୦୧୪ରେ ପୁଣି ଥରେ ହଠାତ୍ ପ୍ରମୋଦିନୀ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ।

ଆଜୀବନ କାରାଦଣ୍ଡ ହୋଇଥିଲେ ଦୃଷ୍ଟାନ୍ତମୂଳକ ହୋଇପାରିଥା’ନ୍ତା

ଏସିଡ୍ ଫିଙ୍ଗି ଥିବା ଅଭିଯୁକ୍ତଙ୍କୁ ୧୪ ବର୍ଷ ଜେଲ୍ ଦଣ୍ଡ କିଛି କମ୍ ବୋଲି କହିପାରିବା ନାହିଁ। କିନ୍ତୁ ସଂଶୋଧିତ ଆଇନର ଧାରା-୩୨୬(ଏ) ଅନୁସାରେ ଅଭିଯୁକ୍ତକୁ ସର୍ବନିମ୍ନ ୧୦ ବର୍ଷରୁ ଆରମ୍ଭ କରି ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି। ଏଭଳି ଏକ ଜଘନ୍ୟ ଅପରାଧରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଦିଆ ଯାଇଥିଲେ ସମାଜ ପାଇଁ ଏକ ଦୃଷ୍ଟାନ୍ତମୂଳକ ଉଦାହରଣ ହୋଇପାରିଥାନ୍ତା। ଯାହା ଫଳରେ ଅନ୍ୟ କେହି ଏଭଳି ଅପରାଧ ଘଟାଇବା ପୂର୍ବରୁ ତାଙ୍କୁ ଆଇନର ଭୟ ଘାରିଥାନ୍ତା।

ଧରଣୀଧର ନାୟକ, ବରିଷ୍ଠ ଆଇନଜୀବୀ

ସାବାସ୍ ସରୋଜ, ପ୍ରମୋଦିନୀଙ୍କୁ ଜୀବନସାଥୀ ଭାବେ ବାଛି ନେଲେ

ଏସିଡ୍ ମାଡ଼ ପରେ ପ୍ରମୋଦିନୀଙ୍କ ଦୁନିଆ ଛାରଖାର ହୋଇଯାଇଥିଲା। କିନ୍ତୁ ଦେବଦୂତ ଭଳି ତାଙ୍କ ଜୀବନରେ ପ୍ରବେଶ କରିଥିଲେ ଏକ ଘରୋଇ କମ୍ପାନିରେ ଚାକିରି କରିଥିବା ସରୋଜ ସାହୁ। ବନ୍ଧୁତାରୁ ପ୍ରେମ ଓ ପରେ ବିବାହ ପାଇଁ ନିଷ୍ପତ୍ତି ନେଇଥିବା ସରୋଜ ଓ ପ୍ରମୋଦିନୀଙ୍କୁ ନେଇ ସେତେବେଳେ ସାରା ରାଜ୍ୟରେ ଜୋରଦାର ଚର୍ଚ୍ଚା ହୋଇଥିଲା। ଏସ୍‌ସିବିରୁ ଚିକିତ୍ସିତ ହୋଇ ଫେରିବା ପରେ ଘରେ ପ୍ରମୋଦିନୀଙ୍କର ଚିକିତ୍ସା ଚାଲିଥିଲା। ମାତ୍ର ୨୦୧୪ରେ ହଠାତ୍ ସେ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ କଟକର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ଉକ୍ତ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣେ ବନ୍ଧୁଙ୍କୁ ଦେଖା କରିବା ପାଇଁ ସରୋଜ ଆସିଥିଲେ। ସେ ସେହି ଦିନ ରାତିରେ ବନ୍ଧୁଙ୍କ ନିକଟରେ ହସ୍‌ପିଟାଲରେ ରହିଥିଲେ। ଦିନରୁ ରାତି ପର୍ଯ୍ୟନ୍ତ ସେ ପ୍ରମୋଦିନୀଙ୍କୁ ଲକ୍ଷ୍ୟ କରୁଥିଲେ। ହସପିଟାଲର ଏକ ଶଯ୍ୟାରେ ପଡ଼ି ଛଟପଟ ହେଉଥିବା ପ୍ରମୋଦିନୀଙ୍କ ଅବସ୍ଥା ଦେଖି ସେ ଖୁବ୍ ବିଚଳିତ ହୋଇ ପଡ଼ିଥିଲେ। ଏହା ପର ଦିନ ପୁଣି ସେ ପ୍ରମୋଦିନୀଙ୍କୁ ଦେଖିବା ପାଇଁ ହସ୍‌ପିଟାଲ ଆସିଥିଲେ। ସେଠାରେ ସେ ତାଙ୍କ ସହ କଥା ହୋଇ ଘଟଣାକ୍ରମ ପଚାରି ବୁଝିଥିଲେ। ଏମିତି ପ୍ରତ୍ୟେକ ଦିନ ହସ୍‌ପିଟାଲକୁ ଆସି ପ୍ରମୋଦିନୀଙ୍କ ସହ ଆଳାପ କରିବାକୁ ସେ ପସନ୍ଦ କରିଥିଲେ। ଏମିତିକି ସରୋଜ ହସପିଟାଲରେ ରହି ପ୍ରମୋଦିନୀଙ୍କର ସେବା ଯତ୍ନ କରିବାରେ ଲାଗି ପଡ଼ିଥିଲେ। ସେଥିପାଇଁ ସେ ଚାକିରି ଛାଡ଼ିବାକୁ ମଧ୍ୟ ପଛାଇ ନଥିଲେ। ଧୀରେ ଧୀରେ ସେମାନଙ୍କର ବନ୍ଧୁତା ଦୃଢ଼ ହେବାରେ ଲାଗିଥିଲା। ଏହି ବନ୍ଧୁତା ଧୀରେ ଧୀରେ ପ୍ରେମ ସମ୍ପର୍କ ଆଡ଼କୁ ଢ଼ଳି ଥିଲା। ମାତ୍ର ଯେତେବେଳେ ସରୋଜ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ, ଏହାକୁ ଏତେ ସହଜରେ ଗ୍ରହଣ କରିବା ପାଇଁ ମାନସିକ ସ୍ତରରେ ପ୍ରମୋଦିନୀ ପ୍ରସ୍ତୁତ ନଥିଲେ। ଉଭୟ ପରିବାରର ସହମତି ଏଥିପାଇଁ ଆବଶ୍ୟକ ବୋଲି ପ୍ରମୋଦିନୀ ସରୋଜଙ୍କୁ କହିଥିଲେ। ଉଭୟଙ୍କ ପରିବାର ବିବାହ ପାଇଁ ସହମତି ପ୍ରକାଶ କରିବାରୁ ୨୦୧୮ ଫେବ୍ରୁଆରି ୧୪ ତାରିଖରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଥିବା ସିରୋଜ କାଫେରେ ଦୁଇ ଜଣଙ୍କର ନିର୍ବନ୍ଧ ହୋଇଥିଲା। ୨୦୨୧, ମାର୍ଚ୍ଚ ୧ ତାରିଖରେ ଉଭୟଙ୍କର ବିବାହ ପ୍ରମୋଦିନୀଙ୍କ ଘର ତିର୍ତ୍ତୋଲ କନକପୁରରେ ହୋଇଥିଲା।

ସମ୍ବନ୍ଧିତ ଖବର