ଅନିଚ୍ଛା ସତ୍ବେ ଗର୍ଭଧାରଣ ଅଭିଯୋଗ : ପୀଡ଼ିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ଦାଖଲ କର: ହାଇକୋର୍ଟ

କଟକ : ଅନିଚ୍ଛା ସତ୍ବେ ଗର୍ଭବତୀ ହୋଇଥିବା ପୀଡ଼ିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗର୍ଭପାତ ଦ୍ବାରା ପୀଡ଼ିତାଙ୍କ ଜୀବନ ଓ ସ୍ବାସ୍ଥ୍ୟପ୍ରତି ବିପଦ ରହିଛି କି ନାହିଁ, ସେ ନେଇ ନିର୍ଦ୍ଦିଷ୍ଟ ଭାବେ ରିପୋର୍ଟରେ ସ୍ପଷ୍ଟ କରିବାକୁ ହାଇକୋର୍ଟ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଂଗ ପୀଡ଼ିତାଙ୍କ ଜୀବନ ସହିତ ଜଡ଼ିତ। ତେଣୁ, ମାନସିକ ଓ ଶାରୀରିକ ସ୍ଥିତିକୁ ଦୃଷ୍ଟିରେ ରଖି ଗର୍ଭଧାରଣ ଜାରି ରହିବ ବା ନାହିଁ, ସେ ନେଇ ଡାକ୍ତର ପରାମର୍ଶ ଦେବେ। ଆସନ୍ତା ୯ ତାରିଖ ପୂର୍ବରୁ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯିବ। ଜଣେ ସ୍ତ୍ରୀରୋଗ ବିଶେଷଜ୍ଞ ଓ ଜଣେ ବିଶେଷଜ୍ଞ ରେଡିଓଲୋଜିଷ୍ଟ ଯଥାଶୀଘ୍ର ପୀଡ଼ିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଏ ସଂପର୍କିତ ‌ରିପୋର୍ଟ ଭୁବନେଶ୍ବର ଡିସିପିଙ୍କ ମାଧ୍ୟମରେ ଦାଖଲ କରିବେ। ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ପାଇଁ ଭୁବନେଶ୍ବର ଡିସିପି ପଦକ୍ଷେପ ଗ୍ରହଣ କରିବେ। ଜଷ୍ଟିସ ଏସ.କେ.ମିଶ୍ର ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୦କୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ପୀଡ଼ିତା ଅନିଚ୍ଛା ସତ୍ତ୍ବେ ଗର୍ଭବତୀ ହୋଇଥିବାବେଳେ ଗର୍ଭପାତ ପାଇଁ ଅନୁମତି ଲୋଡ଼ି ହାଇକୋର୍ଟରେ ଆବେଦନ କରାଯାଇଥିଲା। ମାମଲାର ଶୁଣାଣି ସମୟରେ ପୀଡ଼ିତା ଦର୍ଶାଇଥିଲେ‌ ଯେ କମ୍ ବୟସ ଓ ଅପରିପକ୍ବ ସ୍ଥିତିରେ ସେ ଗର୍ଭବତୀ ହୋଇଛନ୍ତି। ସେ ଏହି ଗର୍ଭ ଧାରଣ କରିବାକୁ ଚାହାନ୍ତି ନାହିଁ। ଯଦି ଗର୍ଭପାତ ପାଇଁ ତାଙ୍କୁ ଅନୁମତି ନ ଦିଆଯାଏ ତେବେ ତାଙ୍କ ଶିକ୍ଷାଗ୍ରହଣ ବାଧାପ୍ରାପ୍ତ ହେବ ଏବଂ ସେ ବହୁ ଅସୁବିଧାର ସମ୍ମୁଖୀନ ହେବେ। ଅନ୍ୟପକ୍ଷରେ, ପୀଡ଼ିତାଙ୍କ ମେଡିକାଲ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ ନଭେମ୍ବର ୧୧ରେ ସେ ୧୮ ସପ୍ତାହର ଗର୍ଭବତୀ ଥିଲେ। ଅନ୍ୟପକ୍ଷରେ ୨୦ ସପ୍ତାହର ଗର୍ଭ ନଷ୍ଟ ପାଇଁ ଆଇନ ଅନୁମତି ଦେଉଥିବାବେଳେ ପୀଡ଼ିତାଙ୍କ ପ୍ରସଂଗରେ ଏହି ଅବଧି ଅତିକ୍ରମ କରିସାରିଛି। ଏଭଳି ସ୍ଥିତିରେ ଖଣ୍ଡପୀଠ ତୁରନ୍ତ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର