ଆଠଗଡ଼: ଜେନାପଦା ଶାଳବଣୀ ଜଙ୍ଗଲ ମଧ୍ୟରେ ଅଜଣା ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର

ଆଠଗଡ: ଜେନାପଦା ଶାଳବଣୀ ଜଙ୍ଗଲ ମଧ୍ୟରେ ଜଣେ ଅଜଣା ଗର୍ଭବତୀ ମହିଳାଙ୍କୁ କେହି ହତ୍ୟା କରି ଫୋପାଡି ଦେଇଥିବା ଅଭିଯୋଗ ହୋଇଛି। ଆଠଗଡ଼ ଥାନା ଅନ୍ତର୍ଗତ ୬୫ ନମ୍ବର ରାଜ୍ୟ ରାଜପଥ ଜେନାପଦା ଶାଳବଣୀ ଜଙ୍ଗଲ ମଧ୍ୟରେ ମହିଳାଙ୍କ ମୃତଦେହ ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ଦେଖିବାକୁ ପାଇଥିଲେ। ତେବେ ସ୍ଥାନୀୟ ଲୋକେ ତୁରନ୍ତ ଏ ସମ୍ପର୍କରେ ଆଠଗଡ଼ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।

ପ୍ରାଥମିକ ତଦନ୍ତରୁ ପୁଲିସ ଅନୁମାନ କରୁଛି ଯେ ମହିଳାଙ୍କୁ ଦୁଇରୁ ତିନିଦିନ ମଧ୍ୟରେ କେହି  ହତ୍ୟା କରି ଜଙ୍ଗଲରେ ଫୋପାଡି ଦେଇଛି। ମହିଳା ଜଣଙ୍କ ଗର୍ଭବତୀ ଥିବା ଜାଣିବାକୁ ମିଳିଛି। ଅନ୍ୟପଟେ ମହିଳାଙ୍କ ପରିଚୟ ଜଣା ନପକାଇବାକୁ ହତ୍ୟାକାରୀମାନେ ମହିଳାଙ୍କ ମୁହଁକୁ ନଷ୍ଟ କରିଥିବା ପୁଲିସ କହିଛି । ତେବେ ବ୍ୟବଚ୍ଛେଦ ପରେ ହତ୍ୟା କେବେ କେଉଁ ସମୟରେ ହୋଇଛି ତାହା ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଫିସର ବିଶ୍ବଜିତ ଜେନା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏହି ଜେନାପଦା ଶାଳବଣୀ ଜଙ୍ଗଲ ରାସ୍ତା ଏବେ ଚୋରି, ଡକାୟତି ପାଇଁ ହଟସ୍ପଟ ପାଲଟିଛି ।

ଗତ ୧୦ ଦିନ ତଳେ ଏହି ରାସ୍ତାରେ ଏକ ଟ୍ରକ ଡ୍ରାଇଭରକୁ ମାଡମାରି ୫.୪୫ ଲକ୍ଷ ଟଙ୍କା ଲୁଟ ହୋଇଥିବା ବେଳେ ପୂର୍ବରୁ ଅନେକ ବାର ଏହି ରାସ୍ତାରେ ଚୋରି, ରାହାଜାନୀ ହେଉଥିବା ସୂଚନା ରହିଛି। ପୁଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ତେବେ ପୁଲିସ ହତ୍ୟାକାରୀମାନଙ୍କୁ ଧରିବାରେ କେତେ ସଫଳ ହେଉଛି ତାକୁ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର