କଟକ: ଘରେ ଯେତେ ରକମ ଖାଦ୍ୟ ହୋଇଥାଉ, ଲୋଭ କିନ୍ତୁ ଥାଏ ଚଟ୍ପଟି, ଷ୍ଟ୍ରିଟ୍ଫୁଡ୍ ଉପରେ। ବାହାଘର ଓ ଭୋଜିଭାତରେ ଗୁପ୍ଚୁପ୍, ଦହିବରା, ଚାର୍ଟ ତ ନିଶ୍ଚିତ। ହେଲେ, ସମସ୍ତଙ୍କ ପସନ୍ଦ ଖଟାପାଣି ଯୁକ୍ତ ଗୁପ୍ଚୁପ୍ର ପ୍ରସ୍ତୁତି ପ୍ରଣାଳୀ ଥରେ ସ୍ବଚକ୍ଷୁରେ ଦେଖିଲେ, ତାହା ଆଉ ବୋଧହୁଏ ଖାଇବାକୁ ଇଛା ହେବନି। ସବୁଦିନ ପାଇଁ ଗୁପ୍ଚୁପକୁ ନା’ କରି ଦେବେ। ସମସ୍ତେ ଏହା ଜାଣନ୍ତି, ଦେଖନ୍ତି, ମାତ୍ର କିଭଳି ଏହା ବ୍ୟବସ୍ଥିତ ହେବ, ଲୋକେ କିଭଳି ସ୍ବାସ୍ଥ୍ୟକର ଗୁପ୍ଚୁପ ପାଇପାରିବେ ତା’ର ଉତ୍ତରଦାୟିତ୍ବ କଥା ଭୁଲି ଯା’ନ୍ତି। ଗୁପ୍ଚୁପ୍ ବିକ୍ରି କରୁଥିବା ଅଧିକାଂଶ ଲୋକ ବିହାର ଓ ଝାଡ଼ଖଣ୍ଡରୁ ଆସି ଏଠାରେ ବିଭିନ୍ନ ବସ୍ତି ଅଞ୍ଚଳରେ ରହି ଏହା ବିକ୍ରି କରୁଥିବା ବେଳେ ଏହାର ପ୍ରସ୍ତୁତି ପ୍ରତି କେହି କେବେ ଦୃଷ୍ଟି ଦେଇଥିବା ନଜରକୁ ଆସିନାହିଁ।
ଆଜି ‘ସମ୍ବାଦ’ ଟିମ୍ ସହରର ବିଭିନ୍ନ ସ୍ଥାନରେ ପ୍ରସ୍ତୁତ ହେଉଥିବା ଗୁପ୍ଚୁପ ଭାଟିରେ ପହଞ୍ଚି ‘ଗ୍ରାଉଣ୍ଡ୍ ଜିରୋ’ରୁ ରିପୋର୍ଟ ପ୍ରସ୍ତୁତ କରିଥିଲା। ସହରର ବିଶିନାବାର ନିକଟସ୍ଥ ନାକେଇପଡ଼ିଆ, ରାଣୀହାଟ ଶଗଡ଼ିଆସାହି, ଛତ୍ରବଜାର କେନାଲ କୂଳରେ ପ୍ରସ୍ତୁତ ହେଉଥିବା ଗୁପଚୁପ ଭାଟି ତା’ ଭିତରୁ କେତେଟି। ନାକେଇ ପଡ଼ିଆର ଗୋଟିଏ ପଟେ ଶ୍ମଶାନ ଥିବା ବେଳେ ଅନ୍ୟପାଖରେ ପ୍ରତିଦିନ ଗଦା ହେଉଛି ସହରର କୁଢ କୁଢ ଆବର୍ଜନା। ନାକରେ କପଡା ନ ଦେଲେ ୫ ମିନିଟ୍ ଠିଆ ହେବା କଷ୍ଟକର। ମାଛି ଭଣ, ପଲ ପଲ କାଉ, ବୁଲା କୁକୁରଙ୍କ ଭିଡ। ଏଭଳି ଏକ ଅସ୍ବାସ୍ଥ୍ୟକର ପରିବେଶରେ ପ୍ରସ୍ତୁତି ହେଉଥିଲା ଲୋକ ଖାଉଥିବା ଗୁପ୍ଚୁପ। ଯେଉଁ ଠେଲାଗୁଡିକରେ ଗୁପଚୁପ ବିକ୍ରି ହୁଏ, ସେଗୁଡିକ ମୁକୁଳା ପଡ଼ିଥିଲା। କେଉଁଠି ମଟର ସିଝା ଅବା ଆଳୁ ଖୋଲା ପଡିଥିଲା ତ’ ଆଉ କାହାର ଗୁପ୍ଚୁପ ଡବାର ଛପର ଖୋଲା ଥିଲା।
ଯେଉଁ ପାତ୍ରରେ ଖଟାପାଣି ପ୍ରସ୍ତୁତ ହୁଏ ସେଗୁଡିକ ବି ମୁକୁଳା ପଡ଼ିଥିଲା ଓ ପାଖରେ କୁକୁର ବୁଲୁଥିଲେ। ଲୁଣ, ମଶଲା ବଟୁଆ କଥା ନକହିଲେ ଭଲ। ଚଟଣି, ଖଟାପାଣି ଡବା ବି ଖୋଲା ପଡିଥିଲା। ଛୋଟ ଛୋଟ ଜରିପାଲ ଟଙ୍ଗା କୁଡିଆଘର..। ତା’ ଭିତରେ ବସିବା, ଶୋଇବା ଚାଲିଥିଲା; ସେଇଠି ଅଟା ଚକଟା, ଗୁପ୍ଚୁପ୍ ବେଲା ବି ଚାଲିଥିଲା। ଏଭଳି ଅସ୍ବାସ୍ଥ୍ୟକର ପରିବେଶରେ ତିଆରି ହୋଇ ବଜାରକୁ ଯାଉଥିବା ଖାଦ୍ୟ ଉପରେ କାହାରି ବି ନଜର ନପଡ଼ିବା ଆଶ୍ଚର୍ଯ୍ୟ କଲା ଭଳି ଚିତ୍ର ଦେଉଛି। ଏଠାରେ ପାଖାପାଖି ୪୦ ପରିବାର ଦୀର୍ଘ ୨୦ ବର୍ଷ ହେବ ରହି ଗୁପ୍ଚୁପ ପ୍ରସ୍ତୁତ କରି ଆସୁଛନ୍ତି। ସମସ୍ତେ ପ୍ରାୟ ବିହାର ଅବା ଝାଡଖଣ୍ଡର। ସେମାନଙ୍କ କହିବା କଥା, ସେମାନେ ଭଲ ଜାଗାରେ ରହିବାକୁ ଚାହାନ୍ତି। ମାତ୍ର କୋଇଲା ଜାଳି ସେମାନେ ଗୁପଚୁପ ଛାଣୁଥିବାରୁ ଧୂଆଁ ହେଉଛି। ଜନବସତି ଭିତରେ ରହି ଏହା କଲେ ଲୋକ ଧୂଆଁ ଯୋଗୁଁ ଅଭିଯୋଗ କରିବେ। ଅପରପକ୍ଷରେ, ସେମାନେ ରହୁଥିବା ସ୍ଥାନରେ ଏମ୍ସିସି (ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର୍) ଥିବାରୁ ସବୁଦିନ ସିଏମ୍ସି ଆବର୍ଜନା ପକାଉଛି। ସେମାନେ ବହୁବାର ଅଭିଯୋଗ କଲେ ବି କିଛି ସୁଫଳ ମିଳନାହିଁ। ସେହିଭଳି ପାର୍କ ସମ୍ମୁଖ ଡ୍ରେନ୍ ପାର୍ଶ୍ବରେ ୧୫ରୁ ଅଧିକ ପରିବାରେ ଗୁପ୍ଚୁପ୍ ପ୍ରସ୍ତୁତ କରୁଛନ୍ତି। ସେମାନେ ମଧ୍ୟ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିବେଶରେ ଏହା ପ୍ରସ୍ତୁତ କରୁଛନ୍ତି। ରାଣୀହାଟ ଶଗଡ଼ିଆ ସାହିରେ ରହୁଥିବା ୨୦ ପରିବାରର ମଧ୍ୟ ସମାନ ପରିସ୍ଥିତି। ଦୀର୍ଘ ୪୦ ବର୍ଷ ହେବ ସେମାନେ ଏଠାରେ ରହି ଗୁପ୍ଚୁପ ବିକ୍ରି କରୁଥିଲେ ମଧ୍ୟ କୌଣସି ପରିଚୟପତ୍ର ପାଇନାହାନ୍ତି। ସିଏମ୍ସି ଏମାନଙ୍କୁ ଚିହ୍ନଟ କରି ବ୍ୟବସ୍ଥିତ କଲେ ସେମାନେ ସ୍ବାସ୍ଥ୍ୟକର ପରିବେଶରେ ରହି ଗୁପ୍ଚୁପ୍ ପ୍ରସ୍ତୁତ କରିପାରନ୍ତେ ବୋଲି କହିଛନ୍ତି। ଷ୍ଟ୍ରିଟଫୁଡ୍ କିଭଳି ବ୍ୟବସ୍ଥିତ ଓ ସ୍ବାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ କରାଯାଇପାରିବ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହୋଇଛି।