ସଜେଇ ହେଉଛି ବାଲିଯାତ୍ରା ପଡ଼ିଆ, ବିନୟଙ୍କ ନିଆରା ପ୍ରୟାସ, ଗଡ଼ଗଡ଼ିଆ ଘାଟରେ ଭାସିବ ୧୫ ଫୁଟ୍‌ର ଡଙ୍ଗା; ଶୋଭା ପାଇବ ଶ୍ରୀକ୍ଷେତ୍ର

କଟକ: କାର୍ତ୍ତିକ ପୂର୍ଣ୍ଣିମାରେ ମହାନଦୀର ଗଡ଼ଗଡିଆ ଘାଟରେ ପ୍ରଦର୍ଶନ ହେବ ୧୫ ଫୁଟର ଡଙ୍ଗା। ଏହି ଡଙ୍ଗାକୁ ତିଆରି କରିଛନ୍ତି ବିନୟ କୁମାର ଦାସ। ୧୧ ଫୁଟ ଉଚ୍ଚ, ୧୫ ଫୁଟ ଲମ୍ବ ଓ ୪ ଫୁଟ ଓସାରର ଏହି ଡଙ୍ଗା ଉପରେ ରହିଛି ପୁରୀ ଶ୍ରୀମନ୍ଦିରର ମଡେଲ। ଜଗତସିଂହପୁରର ମୂଳ ବାସିନ୍ଦା ବିନୟ ଏବେ କଟକର ସିଡିଏ ସେକ୍ଟର -୧୦ ଅଞ୍ଚଳରେ ରହୁଛନ୍ତି। ବେଣୁଧର ଦାସ ଓ ବିନୋଦିନୀ ଦାସଙ୍କ ପୁଅ ବିନୟଙ୍କ ବୟସ ୩୭ ବର୍ଷ। ପେସାରେ ବ୍ୟବସାୟୀ ହୋଇଥିଲେ ବି ଚିତ୍ର ଆଙ୍କିବା ଓ ସଚେତନତା କାର୍ଯ୍ୟକ୍ରମରେ ନିଜକୁ ସାମିଲ ‌କରିବା ହେଉଛି ତାଙ୍କର ନିଶା। ବିନୟଙ୍କ ସହ ତାଙ୍କ ସଂସ୍ଥାର ୬ ଜଣ କର୍ମଚାରୀ ମିଶି ଏହି ଡଙ୍ଗା ତିଆରି କରିଛନ୍ତି। ଡଙ୍ଗା ପ୍ରସ୍ତୁତିରେ ପ୍ଲାଏ, ବାଉଁଶ ଓ ସୋଲ ବ୍ୟବସାୟ ହୋଇଛି। ଆକର୍ଷଣୀୟ କରିବା ପାଇଁ ଭଳି କି ଭଳି ରଙ୍ଗ ଦିଆଯିବା ସହ ଚୁମକି, ଲଟକଣ ଇତ୍ୟାଦି ବ୍ୟବହାର ହୋଇଛି।

ଏହି ଡ଼ଙ୍ଗା ରିଆରି କରିବାରେ ପ୍ରାୟ ୭୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଗଲା ୧୫ ଦିନ ହେଲାଣି ସେ ଏଥିପାଇଁ ପ୍ରତ୍ୟେକ ଦିନ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରି ଆସୁଛନ୍ତି। କାର୍ତ୍ତିକ ପୂର୍ଣ୍ଣିମା ଦିନ ଗଡ଼ଗଡିଆ ଘାଟରେ ରୀତିନୀତି ଅନୁଯାୟୀ ପୂଜାର୍ଚନା କରି  ଡ଼ଙ୍ଗା ଭସା ଯିବା ପରେ ଏହି ଡ଼ଙ୍ଗାକୁ ବାଲିଯାତ୍ରା ଉପରପଡିଆରେ ଥିବା ବିନୟଙ୍କ ଆଡଭାନ୍ସଡ ଏ ଟୁ ଜେଡ୍‌ ସଲ୍ୟୁସନ ପ୍ରାଇଭେଟ ଲିମିଟେଡ୍‌ ଷ୍ଟଲ୍‌ରେ ୮ ଦିନ ଧରି ପ୍ରଦର୍ଶନ କରାଯିବ। ଏ ସଂପର୍କରେ ବିନୟ କୁହନ୍ତି ଯେ ଚିତ୍ର ଆଙ୍କିବା ସଉକ ତାଙ୍କର ପିଲା ବେଳୁ ରହି ଆସିଛି। ୫ ବର୍ଷ ତଳେ ସେ ଛୋଟ ଡ଼ଙ୍ଗା ତିଆରି ପାଇଁ ଉଦ୍ୟମ କରିଥିଲେ ବି ତାହା ସଫଳ ହୋଇ ପାରି ନଥିଲା। ଯୁବପିଢ଼ିଙ୍କୁ ଐତିହ୍ୟ, ସଂସ୍କୃତି ପରମ୍ପରା ବିଷୟରେ ଅବଗତ କରାଇବା ତାଙ୍କର ଲକ୍ଷ୍ୟ ବୋଲି ବିନୟ କୁହନ୍ତି।

ସମ୍ବନ୍ଧିତ ଖବର