କଟକ: ଶିଖରପୁର ନିୟୁ ଜସ୍ମିନ୍ ହୋଟେଲ୍ରେ ଘଟିଥିବା ଏକ ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳଙ୍କ ବିରୋଧରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀକୁ ଶ୍ରୀ ବିଶ୍ବାଳ ଧସେଇ ପଶିବା, ସେଠାରେ ପ୍ରଥମେ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହେବା ଓ ପରେ ମିଳାମିଶା ହେବା ଘଟଣା ଚର୍ଚ୍ଚାର ଖୋରାକ୍ ଯୋଗାଇଛି।
ସୂଚନା ଅନୁଯାୟୀ, ଚିଟ୍ଫଣ୍ଡ ଦୁର୍ନୀତିରେ ପୂର୍ବତନ ବିଧାୟକ ଶ୍ରୀ ବିଶ୍ବାଳଙ୍କ ସମ୍ପୃକ୍ତି ଓ ତାଙ୍କ କାର୍ଯ୍ୟକଳାପ ବିରୋଧରେ ଆଇନଜୀବୀ ସତ୍ୟ ମହାନ୍ତି ଓ ଫରୋଜ ଖୁଣ୍ଟିଆଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ସେ ଦୁହେଁ ତଥ୍ୟ ରଖୁଥିଲା ବେଳେ ହଠାତ୍ ଶ୍ରୀ ବିଶ୍ବାଳ ସେଠାରେ ପହଞ୍ଚି ଏଠାରେ କ’ଣ ଚାଲିଛି ବୋଲି ପ୍ରଶ୍ନ କରିଥିଲେ। ଶ୍ରୀ ବିଶ୍ବାଳଙ୍କ ଏଭଳି ଉପସ୍ଥିତି ସମସ୍ତଙ୍କୁ ଚକିତ କରିଦେଇଥିଲା। ଶ୍ରୀ ବିଶ୍ବାଳ ମାଇକ୍ରୋ ଫୋନ୍ ଧରି ସେଠାରେ ବକ୍ତବ୍ୟ ରଖିବା ଆରମ୍ଭ କରିଥିଲେ।
ସତ୍ୟ ମହାନ୍ତି ଓ ଫିରୋଜ ଖୁଣ୍ଟିଆଙ୍କ ସହ ତାଙ୍କର କୌଣସି ବିବାଦ ନାହିଁ, ବରଂ ପୂର୍ବରୁ ଶ୍ରୀ ଖୁଣ୍ଟିଆ ତାଙ୍କୁ ଯାହା ପରାମର୍ଶ ଦେଇଥିଲେ ତାହାକୁ ବି ସେ କାର୍ଯ୍ୟକାରୀ କରିଥିବା ସୂଚାଇଥିଲେ। କିନ୍ତୁ ସେଠାରେ ଉପସ୍ଥିତ ଥିବା ପୂର୍ବତନ ଛାତ୍ର ନେତା ଜ୍ୟୋତିରଂଜନ ରାୟ, ଶୁଭେନ୍ଦୁ ମହାନ୍ତି ଓ ପ୍ରଭାତ ତ୍ରିପାଠୀ ପ୍ରମୁଖ ଶ୍ରୀ ବିଶ୍ବାଳଙ୍କୁ ଜୋର୍ଦାର ବିରୋଧ କରିଥିଲେ। ହେଲେ, ସତ୍ୟ ମହାନ୍ତି ଓ ଫିରୋଜ ଖୁଣ୍ଟିଆ ଚୁପ୍ ରହିବାରୁ ଶ୍ରୀ ରାୟ, ଶ୍ରୀ ମହାନ୍ତି ଓ ଶ୍ରୀ ତ୍ରିପାଠୀ ସେଠାରୁ ଚାଲିଯାଇଥିବା ଦେଖିବାକୁ ମିଳିଥିଲା। ପରେ ସତ୍ୟ ମହାନ୍ତି ଭାଇଚାରାର କଥା କହି ପ୍ରଭାତଙ୍କ ବିରୋଧରେ ସେ ଚାଉଳିଆଗଞ୍ଜ ଥାନାରେ ଦେଇଥିବା ଏତାଲା ପ୍ରତ୍ୟାହାର କରିନେବେ ବୋଲି କହିଥିଲେ। ପ୍ରଭାତ ବି ସତ୍ୟ ମହାନ୍ତି ଓ ଫିରୋଜ ଖୁଣ୍ଟିଆଙ୍କ ନାମରେ ଯେଉଁ ଏତଲା ଦେଇଥିଲେ ତାହାକୁ ପ୍ରତ୍ୟାହାର କରିନେବେ ବୋଲି କହିଥିଲେ। ଶେଷରେ ଏଭଳି ଏକ ବୁଝାମଣା ଭିତରେ ସାମ୍ବାଦିକ ସମ୍ମିଳନୀ ଶେଷ ହୋଇଥିଲା।