ଘରୋଇ ସଂସ୍ଥା କର୍ମଚାରୀଙ୍କୁ ମିଳିବ ଇ-ପରମିସନ୍

ଟ୍ରେଡ୍ ଲାଇସେନ୍ସ ଦେଖାଇବେ ବ୍ୟାବସାୟିକ ପ୍ରତିଷ୍ଠାନ; ବିଭିନ୍ନ ସଂସ୍ଥାରେ ଅଚାନକ ଯାଞ୍ଚ କରିବ ପୁଲିସ୍

କଟକ: ସହରରେ ଆଇଟି, ଶିଳ୍ପାଞ୍ଚଳ କିମ୍ବା ଅନ୍ୟ ଘରୋଇ ସଂସ୍ଥାକୁ ଆଜିଠାରୁ ଅନଲାଇନରେ ମିଳିଛି ଇ-ପରମିସନ। କମିସନରେଟ୍ ପୁଲିସ ଏକ ସ୍ବତନ୍ତ୍ର ଆପ୍ ମାଧ୍ୟମରେ ଏହି ପାସ୍ ସହରର ଘରୋଇ ସଂସ୍ଥାକୁ ଅନଲାଇନରେ ପରମିସନ୍ ଜେନେରେଟ୍ କରି ଯୋଗାଇ ଦେବ। ପରମିସନ୍ ପାଇଁ ଡିସିପିଙ୍କ ଅଫିସକୁ ଘରୋଇ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ଆସିବାକୁ ପଡ଼ିବ ନାହିଁ କି ପୁଲିସର ଟୋଲ୍ ଫ୍ରି ନମ୍ବରରେ ଯୋଗାଯୋଗ କରିବାକୁ ପଡ଼ିବ ନାହିଁ। କିନ୍ତୁ ପାସ୍ ନେବା ପରେ ପ୍ରକୃତରେ ଉକ୍ତ ସଂସ୍ଥାରେ ଧାର୍ଯ୍ୟ ସଂଖ୍ୟା ଅନୁଯାୟୀ କର୍ମଚାରୀ କାମ କରୁଛନ୍ତି ନା ଅଧିକ କରୁଛନ୍ତି, ଏ ନେଇ ଥାନା ଓ୍ବାରି ପୁଲିସ ଅଚାନକ ଯାଞ୍ଚ କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି।
କମିସନରେଟ୍ ପୁଲିସର ନିଷ୍ପତ୍ତି ଅନୁଯାୟୀ, ସହରରେ ଆଇଟି ଅଫିସରେ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ କାମ କରିବାକୁ ଅନୁମତି ମିଳିଛି।  ଶିଳ୍ପାଞ୍ଚଳରେ କ୍ଷେତ୍ରରେ ୩୦ ପ୍ରତିଶତ ଏବଂ ଅନ୍ୟ ସମସ୍ତ ଘରୋଇ ଓ ସିଭିଲ ସୋସାଇଟି ସେକ୍ଟର ସଂସ୍ଥାଗୁଡ଼ିକରେ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ଅନୁମତି ମିଳିଛି। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ସଂସ୍ଥାରେ କେତେ ସଂଖ୍ୟାରେ କର୍ମଚାରୀମାନଙ୍କୁ ଲକଡାଉନ ସମୟରେ ଅଫିସ ଆସିବାକୁ ଅନୁମତି ମିଳିଛି ସେ ସଂକ୍ରାନ୍ତ ତାଲିକା ଡିସିପିଙ୍କକୁ ଇ-ମେଲ୍ ଆଇଡି HYPERLINK “mailto:[email protected][email protected]ମାଧ୍ୟମରେ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି କୋସେଣ୍ଟ ପ୍ରାଇଭେଟ୍ ଲିମିଟେଡର ସହାୟତାରେ ଏକ ସ୍ବତନ୍ତ୍ର ଆପ୍ଲିକେସନ୍ ଆରମ୍ଭ ହୋଇଛି।

ଘରୋଇ ସଂସ୍ଥା କର୍ତ୍ତୃପକ୍ଷ https://cp.erp.quocent.com ଏହି ଲିଙ୍କକୁ କ୍ଲିକ୍ କରି ନିଜ ସଂସ୍ଥାର କର୍ମଚାରୀଙ୍କ ପାଇଁ ଇ-ପରମିସନ୍ ସଂଗ୍ରହ କରିପାରିବେ। ରାଜ୍ୟ ସରକାର ଚଳିତ ବର୍ଷ କରୋନା କାଳରେ ପୂର୍ବଥର ଭଳି କୌଣସି ପାସର ବ୍ୟବସ୍ଥା କରିନଥିବାରୁ ଏଥର ବ୍ୟବସ୍ଥାରେ ସରଳୀକରଣ ପାଇଁ ଏଭଳି ଇ-ପରମିସନ୍ କମିସନରେଟ୍ ପୁଲିସ ଆରମ୍ଭ କରିଛି। ଇ-ପରମିସନ୍ ଅନଲାଇନରେ ଜେନେରେଟ୍ ହେବା ପରେ ସଂସ୍ଥା କର୍ମଚାରୀ ଇ-ପରମିସନ୍ ସହିତ ନିଜ ସଂସ୍ଥାର ପରିଚୟ ପତ୍ର ଦେଖାଇ ଘରୁ ଅଫିସ ଯାଏ ଆସିପାରିବେ। ଏଭଳି ଇ-ପରମିସନ୍ ବ୍ୟବସ୍ଥା ଦ୍ବାରା ଗୋଟିଏ ସଂସ୍ଥା ନିର୍ଦ୍ଦିଷ୍ଟ ଭାବେ କେତେ କର୍ମଚାରୀଙ୍କୁ ଅଫିସ ଆସିବାକୁ ଅନୁମତି ଦେଇଛି, ସେ ସଂକ୍ରାନ୍ତରେ ସମ୍ପୂର୍ଣ୍ଣ ତଥ୍ୟ ଡିସିପିଙ୍କ ନିକଟରେ ରହିବ। ଏବେ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି। କୌଣସି ସଂସ୍ଥା ଏଥିରେ ବ୍ୟତିକ୍ରମ କଲେ କିମ୍ବା ଧାର୍ଯ୍ୟ ସଂଖ୍ୟାଠାରୁ ଅଧିକ କର୍ମଚାରୀଙ୍କୁ ଅଫିସ ଆସିବାକୁ ଅନୁମତି ଦେଲେ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୁଲିସ ଚେତାଇ ଦେଇଛି।

ବ୍ୟବସାୟିକ ପ୍ରତିଷ୍ଠାନ ସହିତ ଜଡ଼ିତ ସେଲ୍ସମ୍ୟାନ କିମ୍ବା ଅନ୍ୟ କୌଣସି କର୍ମଚାରୀ, ଯେଉଁମାନଙ୍କ ସଂସ୍ଥାକୁ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି, ସେମାନେ ନିଜ ସଂସ୍ଥାର ପରିଚୟପତ୍ର କିମ୍ବା ଟ୍ରେଡ୍ ଲାଇସେନ୍ସ ସାର୍ଟିଫିକେଟ୍ କିମ୍ବା ସମ୍ପୃକ୍ତ ସଂସ୍ଥାକୁ ରାଜ୍ୟ ଅନୁମତି ଦେଇଥିବା ସଂକ୍ରାନ୍ତ କୌଣସି କାଗଜପତ୍ର ଦେଖାଇ ଘରୁ ବ୍ୟବସାୟିକ ପ୍ରତିଷ୍ଠାନକୁ ଆସିପାରିବେ ବୋଲି କମିସନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର