ଏବେଠୁ ଶୁଖିଲାଣି କୂଅ, ଜଳଉତ୍ସ; ୨ଶହ ଫୁଟ ଖୋଳିଲେ ବି ବାହାରୁନି ପାଣି

ଟେଣ୍ଡରରେ ଅଟକିଛି ଆଠଗଡ଼, ତିଗିରିଆ ଓ ବାଙ୍କୀବାସୀଙ୍କ ପାନୀୟ ଜଳ ପ୍ରକଳ୍ପର ଭାଗ୍ୟ

କଟକ: ମହାନଦୀ କୂଳରେ ଗାଁ । ହେଲେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ। ଆଠଗଡ଼, ତିଗିରିଆ, ବାଙ୍କୀରରେ ଭୂତଳ ଜଳସ୍ତର ସ୍ଥିତି ଉଦ୍‌ବେଗଜନକ। ଦିନକୁ ଦିନ ଏହି ଅଞ୍ଚଳରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ଏମିତି କେତେକ ଅଞ୍ଚଳ ରହିଛି ଯେଉଁଠି ୩ଶହ ଫୁଟ୍‌ ଖୋଳିବା ପରେ ବାହାରୁଛି ପାଣି। କିନ୍ତୁ ତାହା ବି ପର୍ଯ୍ୟାପ୍ତ ହେଉନି। କେତେକ ଗାଁରେ ଜଳସ୍ରୋତ ଆଦୌ ମିଳୁନି। ଏହାର ସମାଧାନ ପାଇଁ ନିଆଯାଉଛି ନୂଆ ପଦ‌କ୍ଷେପ। କିନ୍ତୁ ତା ଏବେ ଟେଣ୍ଡରରେ ଅଟକିଛି। ମହାନଦୀର ପାଣି ଆଠଗଡ଼, ତିଗିରିଆ ଓ ବାଙ୍କୀ ବ୍ଲକ୍‌ର ୭ଟି ପଞ୍ଚାୟତବାସୀ ପାଇବା ପାଇଁ ଯୋଜନା ହୋଇଛି। ପ୍ରତି ଘରକୁ ପାନୀୟଜଳ ଯୋଗାଣ ହେବ। ଏଥିପାଇଁ ୩ଶହ କୋଟିର ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ମଂଜୁରୀ ମିଳିଥିବାବେଳେ ଟେଣ୍ଡର ମଧ୍ୟ ଡକାଯାଇଛି। ଏଥିପାଇଁ ଯୋଜନା ସରିଥିବାବେଳେ ଯଦିଓ କେଉଁଠି ପ୍ରକଳ୍ପ ହେବ ସେ ନେଇ ସ୍ଥାନ ନିରୂପଣ ସରିନି, ତଥାପି ମହାନଦୀ କୂଳ‌ରେ ଥିବା କନ୍ଦରପୁର ତଥା ସେହି ପାର୍ଶ୍ବବର୍ତ୍ତୀ ଗାଁରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ପାଇଁ ଯୋଜନା କରାଯାଇଛି। ଏଥିପାଇଁ ତିଗିରିଆରୁ କନ୍ଦରପୁର ପର୍ଯ୍ୟନ୍ତ ମହାନଦୀ କୂଳରେ ଥିବା ଗାଁଗୁଡିକରେ ସର୍ଭେ ସରିଛି। ମହାନଦୀର କେଉଁସ୍ଥାନରେ ପାଣିର ସ୍ରୋତ କିପରି ରହିଛି, କେଉଁ ସ୍ଥାନରେ ପ୍ରକଳ୍ପ କଲେ ଭଲ ହେବ, ପାଣିର ମାନ କିପରି ରହିଛି, ଇତ୍ୟାଦିର ଅନୁଧ୍ୟାନ ଓ ପରୀକ୍ଷା-ନିରୀକ୍ଷା କରୁଛି ଟିମ୍‌।

ଏହି ଯୋଜନାରେ ଆଠଗଡ ବ୍ଲକ୍‌ର ୩୪ଟି ଓ ତିଗିରିଆ ବ୍ଲକ୍‌ର ୧୪ଟି ଓ ବାଙ୍କୀ ବ୍ଲକ୍‌ର ୭ଟି ପଞ୍ଚାୟତବାସୀଙ୍କୁ ମିଳିବ ବିଶୁଦ୍ଧ ପାନୀୟଜଳ। ଆଠଗଡ଼ ପାଇଁ କନ୍‌ସଲ୍‌ଟାଣ୍ଟ ଭାବେ ସମର୍ଥ ଇନ୍‌ଫ୍ରାଟେକ୍‌ ଓ ତିଗିରିଆ ପାଇଁ ‘ମାର୍ସ’ ସର୍ଭେ କାମ ଚଳାଇଛି। ‌ମହାନଦୀର କେଉଁ ସ୍ଥାନରେ ପ୍ରକଳ୍ପ କରାଗଲେ ଠିକ୍‌ଭାବରେ ପାଣି ମିଳିପାରିବ ସେ ସବୁକୁ ନେଇ ସର୍ଭେ କରାଯାଇଥିଲା ଓ ଏବେବି ସର୍ଭେ ଚାଲିଛି। ସର୍ଭେ ପରେ ଏହି ପ୍ରକଳ୍ପର ଡିପିଆର ପ୍ରସ୍ତୁତ କରାଯାଇ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ହେଲେ ଉଦ୍‌ବେଗଜନକ ବିଷୟ ହେଲା, ଉଭୟ ଆଠଗଡ଼, ତିଗିରିଆ ଓ ବାଙ୍କୀରେ ମହାନଦୀ କୂଳରେ ଏମିତି ଅନେକ ଗାଁ ରହିଛି ଯେଉଁଠି ଭୂତଳ ଜଳସ୍ତରର ସ୍ଥିତି ଉଦ୍‌ବେଗଜନକ। ଯେତେ ଖୋଲିଲେ ବି ପାଣି ବାହାରୁନି, କେବଳ ପଥର ପଡୁଛି।

ପୁରୁଣ‌ା ତିଗିରିଆ, ମୁଣ୍ଡିଆସାହି, ବିନ୍ଧାଣିମାର ମହିମାଟୁଙ୍ଗୀ ୨ଶହ ଫୁଟ ତଳକୁ ଖୋଲିଲେ ନଳକୂପରୁ ପାଣି ବାହାରୁଛି। ବାଙ୍କୀର କନ୍ତପହଁରାରେ ୨ଶହ ଫୁଟ ଖୋଲିଲେ ବି ପାଣି ବାହାରୁନି। ଡମପଡାର ବିଲିପଡାରେ ସମାନ ଅବସ୍ଥା । କେଉଁଠି ୧୨୦ ଫୁଟ୍‌ ଖୋଳିଲେ ପାଣି ବାହାରୁଛି ତ ପୁଣି ୩ଶହ ଫୁଟ ତଳେ ରହିଛି ଜଳସ୍ତର। ଯଦିଓ ଜଳସ୍ତର ଏବେଠାରୁ ଶୁଷ୍କ ହୋଇନି ତଥାବି ଅନେକ ଗାଁରେ ପାନୀୟ ଜଳ ପ୍ରକଳ୍ପ, ନଳକୂପ ସବୁ ଶୁଖିଗଲାଣି। ଗତବର୍ଷ ବେଣ୍ଟପଦା ପଞ୍ଚାୟତର ବାଲିପଦା ଗାଁରେ ପାନୀୟଜଳ ପ୍ରକଳ୍ପ ପାଇଁ ଖୋଳାଯାଇଥିଲା। କିନ୍ତୁ ଜଳସ୍ରୋତ ମିଳିଲାନି। ବାଙ୍କୀ, ଆଠଗଡ଼, ତିଗିରିଆର ଏହିଭଳି ଶତାଧିକ ଗାଁରେ ଏବେ ଭୂତଳ ଜଳସ୍ତର ଉଦ୍‌ବେଗଜନକ ସ୍ଥିତିରେ ରହିଥିବା ଗ୍ରାମ୍ୟ ଜଳଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଆଠଗଡ଼ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରତି ଘରେ ପାଇପ୍‌ ଯୋଗେ ପାନୀୟଜଳ ପହଞ୍ଚି ପାରିବ।

ସମ୍ବନ୍ଧିତ ଖବର