ଶିଶୁଭବନ କୋଭିଡ୍‌ ହସ୍‌ପିଟାଲ୍‌ ଦାୟିତ୍ବରେ ପ୍ରଫେସର୍‌, ସିଟି ହସ୍ପିଟାଲ୍‌ରେ ଖୋଲିବ ୧୨୫ ବେଡ୍‌ର ସ୍ବତନ୍ତ୍ର କୋଭିଡ୍ ହସ୍‌ପିଟାଲ୍

କଟକ: କରୋନା ସଂକ୍ରମଣ ଉପର ମୁହାଁ ହେଉଥିବା ବେଳେ ସିଟି ହସପିଟାଲରେ ସ୍ବତନ୍ତ୍ର କୋଭିଡ୍ ହସପିଟାଲ୍ ଖୋଲିବାକୁ ଯୋଜନା କରାଯାଇଛି। କାଜୁଆଲିଟିର ଉପର ମହଲାରେ ୧୨୫ ବେଡର କୋଭିଡ୍ ହସପିଟାଲ୍ ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଉଛି। ଏ ସଂକ୍ରାନ୍ତରେ ହସପିଟାଲ୍ କର୍ତ୍ତୃପକ୍ଷ ଆଲୋଚନା କରୁଥିବା ବେଳେ ଖୁବ ଶୀଘ୍ର ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ଓମିକ୍ରନ୍ ସଂକ୍ରମଣ ଅଧିକ ସଂଖ୍ୟାରେ ହେବାର ଆଶଙ୍କା କରାଯାଉଥିବାରୁ ରୋଗୀଙ୍କୁ ଏଠି ଭର୍ତ୍ତି କରି ଚିକିତ୍ସା କରାଯିବା ନେଇ ହସପିଟାଲ ପକ୍ଷରୁ ସୂଚନା ମିଳିଛି। କରୋନାର ପ୍ରଥମ ଲହର ସମୟରେ ସିଟି ହସପିଟାଲ ମୁଖ୍ୟ କୋଠାର ତଳ ମହଲାରେ ଏକ ଫ୍ଲୁ ରୁମ ଖୋଲିଥିଲା। ଏବେ ମେଡିସିନ୍ ଆଉଟଡୋର, ଚେଷ୍ଟ ଆଣ୍ଡ ଟିଭି ଆଉଟଡୋରରେ ସ୍କ୍ରିନିଂ ହେଉଛି। କୌଣସି ଲକ୍ଷଣ ଥିଲେ ସ୍ବାବ୍ ନମୁନା ସଂଗ୍ରହ ହୋଇ କରୋନା ପରୀକ୍ଷା କରାଯାଉଛି। ଯଦି ରିପୋର୍ଟ ପଜିଟିଭ୍ ଆସୁଛି ତେବେ ରୋଗୀଙ୍କୁ ହସପିଟାଲ ବାହାରେ ଥିବା କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଉଛି। କିନ୍ତୁ ଏବେ ଓମିକ୍ରନ୍ ଦ୍ରୁତ ଗତିରେ ବ୍ୟାପିବାର ଆଶଙ୍କା ଥିବାରୁ ସିଟି ହସପିଟାଲରେ କୋଭିଡ ହସପିଟାଲ ପ୍ରସ୍ତୁତି ପାଇଁ ଯୋଜନା କରାଯାଇଛି। କାଜୁଆଲିଟି ଉପର ମହଲାରେ ୧୨୫ ବେଡର କୋଭିଡ୍ ହସପିଟାଲ୍ କରାଯିବାକୁ ଯୋଜନା କରାଯାଉଛି। ତିନୋଟି ସିଫ୍ଟରେ ଡାକ୍ତର ଓ କର୍ମଚାରୀମାନେ ଡ୍ୟୁଟି କରିବେ। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଭାବେ ୧୫ ଜଣ ଡାକ୍ତର ରହିବେ। ୩୦ ଜଣ ନର୍ସ ଓ ପାରା ମେଡିକାଲ୍ ଷ୍ଟାଫ୍ ନିୟୋଜିତ ହେବେ। ସେହିପରି ୨୪ ଜଣ ଆଟେଣ୍ଡାଣ୍ଟଙ୍କୁ କୋଭିଡ୍ ହସିପାଟଲରେ ନିଯୁକ୍ତ କରାଯିବ।

ରୋଗୀ ସ୍କ୍ରିନିଂ ପରେ ଏଠି ହିଁ କରୋନାର ଚିକିତ୍ସା କରାଯିବ। ସିଡିଏମଓ ଡାକ୍ତର ସତ୍ୟବ୍ରତ ଛୋଟରାୟ କହିଛନ୍ତି ଯେ କଟକ ସହରରେ ଆକ୍ଟିଭ େକସକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ହସିଟାଲ୍ ଖୋଲାଯିବ। ଏହାବାଦ୍ କଣ୍ଟ୍ରୋଲ ରୁମ ସହିତ ଆମ୍ବୁଲାନ୍ସ ଚାଲିବ। ରୋଗୀ ସଂକ୍ରମଣକୁ ଦୃଷ୍ଟିରେ ରଖାଯାଇ ପଦକ୍ଷେପ ଗ୍ରହଣ କରାଯିବ। ସମାନ ବ୍ୟବସ୍ଥା ଶିଶୁଭବନରେ ବି କରାଯାଉଛି। ୨୦୨୦ ଏପ୍ରିଲରୁ ଶିଶୁଭବନର ଡାଇରିଆ ଓାର୍ଡ-୩ର ଉପର ମହଲାରେ ୧୨ ବେଡର ଏକ ଆଇସୋଲେସନ୍ କେନ୍ଦ୍ର କାର୍ଯ୍ୟ କରୁଛି। ଏଠି କେବଳ ସନ୍ଦିଗ୍ଧଙ୍କୁ ରଖାଯାଉଛି। କିନ୍ତୁ ସ୍ବାବ୍ ନମୁନା ପଜିଟିଭ୍ ଚିହ୍ନଟ ହେବା ପରେ ଶିଶୁ ରୋଗୀଙ୍କୁ ବାହାରେ ଥିବା କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଉଛି। ଶିଶୁଭବନ ପେ’ ମେଡିକାଲ୍ ଓାର୍ଡକୁ କୋଭିଡ୍ ହସପିଟାଲ୍ କରାଯାଇଥିବା ବେଳେ ଖୁବ ଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି। ଏଠି କରୋନା ରୋଗୀଙ୍କୁ ଚିକିତ୍ସା କରାଯିବ। ପେଡିଆଟ୍ରିକ ବିଭାଗର ଜଣେ ପ୍ରଫେସରଙ୍କୁ କୋଭିଡ ହସପିଟାଲର ମୁଖ୍ୟ ଭାବେ ନିଯୁକ୍ତ କରାଯିବ। ନର୍ସ ଓ ପାରାମେଡିକାଲ୍ ଷ୍ଟାଫଙ୍କ ଅଭାବ ଥିବାରୁ ଶିଶୁଭବନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏ ସଂକ୍ରାନ୍ତରେ ଚିଠି ଲେଖାଯାଇଛି। ପ୍ରତି ୫ଟି ବେଡ୍ ପିଛା ଜଣେ ଲେଖାଏ ନର୍ସଙ୍କୁ ନିଯୁକ୍ତ କରାଯିବ। ଖୁବ ଶୀଘ୍ର ନୂଆ କର୍ମଚାରୀଙ୍କୁ ଶିଶୁଭବନରେ ନିୟୋଜିତ କରାଯିବ ବୋଲି ଶିଶୁଭବନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର