ନୂଆ କମିସନ୍‌ର ପୱନ୍ କଲ୍ୟାଣଙ୍କ ପ୍ରତିଶ୍ରୁତି, ସମସ୍ତଙ୍କୁ ନେଇ କାମ କରିବି, ସମୟସୀମାରେ ପ୍ରକଳ୍ପ ଶେଷ କରିବି

କଟକ: ସମସ୍ୟା ସମାଧାନକୁ ପ୍ରାଧାନ୍ୟ ଦିଆଯିବ…
କଟକ ମହାନଗର ନିଗମର ଯେଉଁ ସମସ୍ୟା ରହିଛି ଓଡ଼ିଶାର ସବୁ ସହରାଞ୍ଚଳରେ ସେହି ସମାନ ସମସ୍ୟା ରହିଛି। ତେବେ ସିଏମ୍‌ସିରେ ଜଳବନ୍ଦୀ, ଟ୍ରାଫିକ୍‌, ଜବରଦଖଲ ପରି ସମସ୍ୟା ଅତି ଜଟିଳ। ସମସ୍ୟା ଗୁଡିକ ମୋ ପାଇଁ ବଡ ନୁହେଁ। ମାତ୍ର ଏହାର ସମାଧାନ କିପରି ଶିଘ୍ର ଓ ସ୍ଥାୟୀ ଭାବେ କରାଯିବ ତାହା ମୋ ପାଖରେ ଗୁରୁତ୍ବ ରଖେ। ଲୋକଙ୍କ ସମସ୍ତ ସମସ୍ୟାର ସାମାଧାନକୁ ନିଗମରେ ଥିବା ପର୍ଯ୍ୟନ୍ତ ଗୁରୁତ୍ବ ଦେବି।

ଆସନ୍ତା ୩ ମାସ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ…
କଟକର ମୁଖ୍ୟ ସମସ୍ୟା ହେଉଛି ଜଳବନ୍ଦୀ। ସହରରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ବର୍ଷା ଜଳ ନିଷ୍କାସନ ପାଇଁ କେଉଁ ସବୁ କାମ ହୋଇଛି ଓ କଣ ବାକି ରହିଛି ଏହାକୁ ବୁଝିବାକୁ ପଡିବ। ସହରବାସୀ ଯେପରି ଏଥର ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ନ ହେବେ, ଏଥିପାଇଁ ଆସନ୍ତାକାଲିଠାରୁ କାମ ଆରମ୍ଭ କରିବି। ଆସନ୍ତା ବର୍ଷା ତିନି ମାସ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ।
ଲୋକଙ୍କ କବାଟ ପାଖରେ ସିଏମ୍‌ସି ପହଁଚିବ…

ସିଏମ୍‌ସିର ଅନେକ ଯୋଜନା ରହିଛି। ସେଥିରେ ସହରବାସୀ କିପରି ଉପକୃତ ହେଉଛନ୍ତି ତାକୁ ଅନୁଧ୍ୟାନ କରିବି। ସହରବାସୀଙ୍କ ଘରୁ ପ୍ରତିଦିନ ସକାଳେ ସିଏମ୍‌ସି ଅଳିଆ ସଂଗ୍ରହ କରୁଛି। ସେହିପରି ଲୋକଙ୍କ ଘର କବାଟ ପାଖରେ ମହାନଗର ନିଗମର ବିଭିନ୍ନ ସେବା ପହଞ୍ଚାଇବା ଉପରେ ଯୋଜନା ପ୍ରସ୍ତୁତ କରିବି। ସାଧରଣ ଜନତାଙ୍କ ନିକଟକୁ ସିଏମ୍‌ସିକୁ ଯିବାକୁ ପଡିବ।
କାମ କଲେ ସହରବାସୀ ଆମକୁ ବିଶ୍ବାସ କରିବେ…

ସହରବାସୀଙ୍କ ସମସ୍ୟାକୁ ନିଜର ସମସ୍ୟା ଭାବି ଆମକୁ କାମ କରିବାକୁ ପଡିବ। ସାଧାରଣ ଲୋକଟିଏ କେଉଁ ଅବସ୍ଥାରେ ସିଏମ୍‌ସିକୁ ତାର ସମସ୍ୟା ନେଇ ଆସୁଛି ଏହାକୁ ବୁଝି ନିଗମର ଅଧିକାରୀ ଓ କର୍ମଚାରୀ କାମ କଲେ ଆମ ପ୍ରତି ସମସ୍ତଙ୍କ ବିଶ୍ବାସ ବଢିବ। ସହରବାସୀ ସିଏମ୍‌ସି ଉପରେ ବିଶ୍ବାସ ରଖନ୍ତୁ। ଆଗାମୀ ଦିନରେ ସହରବାସୀଙ୍କ ସହଯୋଗକୁ ନେଇ ସିଏମ୍‌ସି ଆଗକୁ ଯିବ।
ପ୍ରକଳ୍ପ ଗୁଡିକ ସମୟରେ ଶେଷ କରିବା ପାଇଁ ଉଦ୍ୟମ କରିବି…

କଟକରେ ଏସ୍‌ସିବିକୁ ଏମ୍‌ସ ପ୍ଲସ୍‌ କରିବା, ନେତାଜୀ ବସ ଟର୍ମିନାଲ, ତାଳଦଣ୍ଡା କେନାଲ ପରି ଅନେକ ବଡ ବଡ ପ୍ରକଳ୍ପର କାମ ଆରମ୍ଭ ହୋଇଛି। ତେବେ ପ୍ରକଳ୍ପର ଗୁରୁତ୍ବକୁ ନେଇ ଏହାର କାମକୁ ପ୍ରାଧାନ୍ୟ ଦିଆଯିବ। ଯେଉଁ କାମ ପାଇଁ ସମୟ ସୀମା ରହିଛି ତାହା କିପରି ସମୟ ମଧ୍ୟରେ ଶେଷ ହେବ ତା ଉପରେ ଅଧିକ କାମ କରିବି।

ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ଯିବି…
ସିଏମ୍‌ସିରେ କାମ କରିବା ପାଇଁ ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ ଦରକାର। ଏହାର ନବନିର୍ବାଚିତ ମେୟର ଓ ୫୯ ଜଣ କର୍ପୋରେଟରଙ୍କୁ ସାଙ୍ଗରେ ନେଇ ଆଗକୁ ଯିବି। ସବୁ ସମସ୍ୟାର ସମାଧାନ ଆମେ ଏକାଠି ହୋଇ କରିବୁ। ଏଥିପାଇଁ ସହରବାସୀଙ୍କ ସହଯୋଗ ଓ ଭଲ ପାଇବା ସେମାନଙ୍କ ଠାରୁ ଆବଶ୍ୟକ କରୁଛି।

ଟେନିସ୍‌ ପ୍ରତି ଦୁର୍ବଳତା ରହିଛି…
ପିଲାଟି ଦିନରୁ ଖେଳ ପ୍ରତି ମୋର ଆକର୍ଷଣ ରହିଛି। ତେବେ ସ୍କୁଲ ଓ କଲେଜ ସମୟରେ ଟେନିସ୍‌ ଖେଳ ପ୍ରତି ଆଗ୍ରହ ବଢିବାରୁ ଏହାକୁ ଖେଳିବା ଆରମ୍ଭ କରିଥିଲି। କଟକର ବାରବାଟୀ ଓ ଇଣ୍ଡୋର‌ ଷ୍ଟାଡିୟମ ସହ ଅନେକ କ୍ଲବ୍ ରହିଛି। ଏଠାରେ ଟେନିସ୍‌ ଖେଳକୁ ଅଧିକ ଉପଭୋଗ କରିବି।

ସମ୍ବନ୍ଧିତ ଖବର