ବିଡିଓଙ୍କୁ ଘେରିଲେ ଲୋକ

ଟାଙ୍ଗୀ : ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଞ୍ଚଳରେ ଫନି ପୀଡିତ ଆଦିବାସୀ ମାନଙ୍କୁ ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି ସିପିଏମ ପକ୍ଷରୁ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସିପିଏମ ନେତା ତଥା ଶାଳଗାଁ ପଞ୍ଚାୟତ ର ସମିତି ସଭ୍ୟ ରମେଶ କୁମାର ବେହେରାଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ବେଳେ ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରୁ ଦୁଇ ଶହରୁ ଅଧିକ ଆଦିବାସୀ ଏଥିରେ ସାମିଲ ହୋଇଥିଲେ। ବ୍ଲକ ଅଞ୍ଚଳର ଆଦିବାସୀ ପଲ୍ଲୀରେ ଥିବା ବହୁ ଫନି ପୀଡ଼ିତ ପରିବାରଙ୍କୁ ଏଯାବତ ପ୍ରଶାସନ ପକ୍ଷରୁ ରିଲିଫ ସାମଗ୍ରୀ ପ୍ରଦାନ କରାଯାଇନଥିବା, ପାନୀୟ ଜଳ ଯୋଗାଇ ଦିଆଯାଇନଥିବା, ଚାଳ ଛପର ଉଡ଼ି ଯାଇଥିଲେ ସୁଧା ଜରିପାଲ ପ୍ରଦାନ କରାଯାଇନଥିବା ଓ ରାଜସ୍ୱ ନିରୀକ୍ଷକ ବିଭିନ୍ନ ଆଦିବାସୀ ସାହି  କ୍ଷୟକ୍ଷତି ର ଆକଳନ କରିବା ପାଇଁ ଯାଇନଥିବା ଅଭିଯୋଗ ହୋଇଛି। ବିକ୍ଷୋଭକାରୀ ଟାଙ୍ଗୀ-ଚୌଦ୍ୱାର ବିଡିଓ ବିନୋଦ କୁମାର ସେନାପତିଙ୍କୁ ଘେରିଥିବା ବେଳେ ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଅବିନାଶ ରାଉତ ପହଞ୍ଚି ବିକ୍ଷୋଭ କାରୀଙ୍କ ସହିତ ଆଲୋଚନା କରିଥିଲେ। ରିଲିଫରୁ ବଞ୍ଚିତ ଆଦିବାସୀ ପରିବାରର ତାଲିକା ନେବାସହ ଖୁବଶୀଘ୍ର ତଦନ୍ତ କରାଯାଇ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ବିକ୍ଷୋଭରେ ବରିଷ୍ଠ ସିପିଏମ ନେତା ତଥା ଜିଲ୍ଲା ସମ୍ପାଦକ ବଦ୍ରିନାରାୟଣ ଦାସ, ଡମ୍ବରୁଧର ସାହୁ, ରଶ୍ମିରଞ୍ଜନ ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର