ଯାତାୟାତ ବନ୍ଦ କରାଇବାରୁ ଉତ୍ତେଜନା, ଏନ୍‌ଆର୍‌ଆର୍‌ଆଇ ଫାଟକରେ ବୈଜ୍ଞାନିକ-ମହିଳା କର୍ପୋ‌ରେଟର୍‌ ମୁହାଁମୁହିଁ

କଟକ: ଏନ୍‌ଆର୍‌ଆର୍‌ଆଇର ଗୋଟିଏ ଫାଟକ ସମ୍ମୁଖ ରାସ୍ତା ଜାଇକା ନିର୍ମାଣ କରୁଥିବାରୁ ଅନ୍ୟ ଫାଟକ ଦେଇ ପଛ ଗାଁର ଲୋକମାନେ ଯାତାୟାତ କରିଥାନ୍ତି। ଆଜି ଉକ୍ତ ଦ୍ବିତୀୟ ଫାଟକକୁ ଏନ୍‌ଆର୍‌ଆଇର ଜଣେ ବୈଜ୍ଞାନିକ ସୁରକ୍ଷାକର୍ମୀ ଲଗାଇ ବନ୍ଦ କରି ଦେବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ମହିଳା କର୍ପୋରେଟର୍‌ ପହଞ୍ଚି ଏହାର ପ୍ରତିବାଦ କରିବାରୁ ସଂପୃକ୍ତ ବୈଜ୍ଞାନିକ ଓ ମହିଳା କର୍ପୋରେଟର୍‌ଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ପ୍ରତିବାଦରେ ମହିଳା କର୍ପୋରେଟର୍‌ଜଣକ ନିଜ ସମର୍ଥକଙ୍କ ସହ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ଚୌଦ୍ବାର-କଟକ ବିଧାୟକ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିବା ପରେ ରାସ୍ତା ଖୋଲିଥିଲା ଓ କର୍ପୋରେଟର୍‌ ଧାରଣାରୁ ହଟିଥିଲେ। ସୂଚନା ମୁତାବକ, ୫୫ନଂ ୱାର୍ଡ କର୍ପୋରେଟରଙ୍କ ଉଦ୍ୟମ ଯୋଗୁଁ ଜାଇକା ଗତ କିଛିଦିନ ହେଲୋ ଏନ୍‌ଆର୍‌ଆର୍‌ଆଇ ପ୍ରଥମ ପ୍ରବେଶ ପଥ ରାସ୍ତା ନିର୍ମାଣ କରୁଛି। ଏହି ରାସ୍ତାପାର୍ଶ୍ବରେ ଏନ୍‌ଆର୍‌ଆର୍‌ଆଇ ଅଡିଟୋରିୟମ୍‌ ରହିଛି। ପୂର୍ବରୁ ଯେତେବେଳେ ବି ଏହି ରାସ୍ତା ନିର୍ମାଣ ହୋଇଛି, ସେତେବେଳେ ଏନ୍‌ଆର୍‌ଆର୍‌ଆଇ କର୍ତ୍ତୃପକ୍ଷ ସଂସ୍ଥାନର ମୁଖ୍ୟ ପ୍ରବେଶ ପଥ ଲୋକଙ୍କ ଯିବାଆସିବା ପାଇଁ ଖୋଲିଥାନ୍ତି। ପଛ ଗାଁର ୨ହଜାରରୁ ଅଧିକ ଲୋକ ଓ ଏନ୍‌ଆର୍‌ଆର୍‌ଆଇ କଲୋନି ବାସିନ୍ଦା ଏହି ରାସ୍ତାରେ ଯାତାୟାତ କରିଥାଆନ୍ତି। ଆଜି ରାସ୍ତା ନିର୍ମାଣ ଚାଲିଥିଲା ବେଳେ ଏନ୍‌ଆର୍‌ଆର୍‌ଆଇର ବୈଜ୍ଞାନିକ ଏମ୍.ଜେ ବେଗ୍ ସୁରକ୍ଷାକର୍ମୀଙ୍କ ସହିତ ପହଞ୍ଚି ଗେଟ୍ ବନ୍ଦ କରିଦେଇ ସ୍ଥାନୀୟ ଲୋକଙ୍କୁ ଛାଡ଼ି ନଥିଲେ।

ଲୋକେ ଏହାକୁ ନେଇ ଆପତ୍ତି କରିବାରୁ, ଅଧିକ ତର୍କ କଲେ ସୁରକ୍ଷାବଳ ଦ୍ବାରା ପଦକ୍ଷେପ ନିଆଯିବ ବୋଲି ସେ ଧମକ ଦେଇଥିବା କହ୍ନେଇପୁର ଓ ଭଦୀମୂଳ ବାସିନ୍ଦା ଅଭିଯୋଗ କରିଥିଲେ। ଏହି ଖବର ପାଇ ୫୫ ନଂ ୱାର୍ଡ କର୍ପୋରେଟର୍‌ ବିଶ୍ବବନ୍ଦିତା ପଣ୍ଡା ଘଟଣାସ୍ଥଳରେ ପହଞ୍ଚି କାହିଁକି ଲୋକଙ୍କୁ ଛାଡ଼ିବ ନାହିଁ ବୋଲି ପଚାରିଥିଲେ। ଏଥିରେ ବୈଜ୍ଞାନିକ ଶ୍ରୀ ବେଗ୍ ଉତ୍ତେଜିତ ହୋଇ ‘ମୁଁ ଛାଡିବି ନାହିଁ। ସେମାନେ ଉପରେ ଆସନ୍ତୁ କି ବନ୍ଧରେ ଯାଆନ୍ତୁ..’ ବୋଲି କହି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ବୋଲି କର୍ପୋରେଟର୍‌ ଶ୍ରୀମତୀ ପଣ୍ଡା ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଶ୍ରୀମତୀ ପଣ୍ଡା ନିଜ ସମର୍ଥକ ଓ କର୍ମୀମାନଙ୍କୁ ନେଇ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। କଟକ-ଚୈଦ୍ବାର ବିଧାୟକ ସୈାଭିକ ବିଶ୍ବାଳ ଏଥିରେ ହସ୍ତକ୍ଷେପ କରି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ପରେ ଫାଟକ ଖୋଲିଥିଲା ଓ କର୍ପୋରେଟର୍‌ ଧାରଣାରୁ ଉଠିଥିଲେ। ଧାରଣା ପ୍ରତ୍ୟାହାର ହେବା ପରେ କର୍ପୋରେଟର୍‌ ଶ୍ରୀମତୀ ପଣ୍ଡା ଜାଇକା କରୁଥିବା ରାସ୍ତା ‌‌‌‌‌‌‌‌କାମର ତଦାରଖ କରିଛନ୍ତି। ଏ ସମ୍ପର୍କରେ ଏନ୍‌ଆର୍‌ଆର୍‌ଆଇ ନିର୍ଦେଶକ ଡକ୍ଟର ଭାସ୍କର ପାତ୍ରଙ୍କୁ ପଚାରିବାରେ ସେ କହନ୍ତି, ଲୋକଙ୍କ ଯିବା ଆସିବା ବନ୍ଦ କରିବା ପାଇଁ ମୁଁ କାହାକୁ ଫାଟକ ବନ୍ଦ କରିବାକୁ କହିନାହିଁ। ସମାଧାନ ହୋଇଗଲା… ଛାଡ଼ନ୍ତୁ…। ତେବେ, ନିର୍ଦେଶକଙ୍କ ଅନୁମତି କିମ୍ବା ନିର୍ଦ୍ଦେଶ ନଥାଇ ଶ୍ରୀ ବେଗ୍ କେଉଁ କ୍ଷମତାରେ ବାସିନ୍ଦା ଓ ନାରୀନେତ୍ରୀଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କଲେ ତାକୁ ନେଇ ୫୫ନଂ ୱାର୍ଡରେ ଉତ୍ତେଜନା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର