ପୁଣି ମାହାଙ୍ଗାରେ ବୈଜୟନ୍ତଙ୍କୁ ବିରୋଧ

ସାଂସଦଙ୍କ ପ୍ରକଳ୍ପ ଉଦ୍‌ଘାଟନ ଉତ୍ସବ ବାତିଲ ପାଇଁ ଜିଲ୍ଲାପାଳଙ୍କୁ ଚିଠି

କଟକ/ନିଶ୍ଚିନ୍ତକୋଇଲି : ପୁଣି ମୁହାଁମୁହିଁ ହୋଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମର୍ଥକ। ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନକୁ କେନ୍ଦ୍ର କରି ପୁଣି ଜୋର ଧରିଛି ରାଜନୀତି। ଗତବର୍ଷ ମେ’ ୩୦ରେ ମାହାଙ୍ଗା ବ୍ଲକ୍‌ ରାହାଣିଆ ଜାତିପୋରିଲୋ ଗ୍ରାମରେ ଏକ ପାଣି ଟାଙ୍କି ଉଦ୍‌ଘାଟନକୁ କେନ୍ଦ୍ର କରି ସାଂସଦ ଶ୍ରୀ ପଣ୍ଡାଙ୍କ ଉପରକୁ ଅଣ୍ଡାମାଡ଼ ହୋଇଥିଲା। ଉଦ୍‌ଘାଟନର ପୂର୍ବ ରାତିରେ ଫଳକ ଷ୍ଟାଣ୍ଡ୍‌କୁ ଭାଙ୍ଗି ଦିଆଯାଇଥିଲା।

ଏହି ଘଟଣା ଜନମାନସରୁ ଏପର୍ଯ୍ୟନ୍ତ ଲିଭିନଥିବା ବେଳେ ଏବେ ନିଶ୍ଚିନ୍ତକୋଇଲି ବ୍ଲକ୍‌ ବୁହାଳୋ ଗ୍ରାମରେ ଏକ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନକୁ ନେଇ ପୁଣି ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ବାତିଲ୍‌ କରିବା ପାଇଁ ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଧ୍ୟକ୍ଷା ସବିତା ଓଝା, ବ୍ଲକ୍‌ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ବ୍ଲକ୍‌ ଉପାଧ୍ୟକ୍ଷା ସବିତା ମହାନ୍ତି, ପୂର୍ବତନ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର ପ୍ରମୁଖ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ସେମାନଙ୍କ ସହିତ ନିଶ୍ଚିନ୍ତକୋଇଲି ପଂଚାୟତ କଲେଜ ପାଇଁ ରହିଥିବା ସାଂସଦଙ୍କ ପ୍ରତିନିଧି ଦେବେନ୍ଦ୍ର କୁମାର ସାହୁ ବି ସାମିଲ ହୋଇଛନ୍ତି। ସାଂସଦଙ୍କ ଗସ୍ତକୁ ବିରୋଧ କରି ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କୁ ସେମାନେ ଚିଠି ଲେଖିଛନ୍ତି।

ଅନ୍ୟପଟେ ଏଭଳି କାର୍ଯ୍ୟକ୍ରମ ଅଥବା ବିରୋଧ ସଂପର୍କରେ ସେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଓ ଆଇନମନ୍ତ୍ରୀ ପ୍ରତାପ ଜେନା। ଯଦି ଏଭଳି କିଛି ପ୍ରକଳ୍ପ ଉଦ୍‌ଘାଟନ ହେଉଛି ତେବେ ତାକୁ ସ୍ୱାଗତ କରିବେ ବୋଲି କହିଛନ୍ତି ଶ୍ରୀ ଜେନା। କିନ୍ତୁ ଜିଲ୍ଲାପାଳଙ୍କୁ ବ୍ଲକ୍‌ ଅଧ୍ୟକ୍ଷା ଓ ଅନ୍ୟମାନଙ୍କ ସ୍ୱାକ୍ଷରରେ ଦିଆଯାଇଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଶ୍ରୀ ଜେନାଙ୍କ ଫଟୋ ରହିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

୨୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଜଳଯୋଗାଣ ପ୍ରକଳ୍ପକୁ ଆସନ୍ତା ୧୧ ତାରିଖରେ ଉଦ୍‌ଘାଟନ କରିବାକୁ ସାଂସଦ ଯୋଜନା କରିଛନ୍ତି। ତେବେ ଏହି କାର୍ଯ୍ୟକ୍ରମକୁ ବାତିଲ ପାଇଁ ଦିଆଯାଇଥିବା ଚିଠିରେ ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତି ସଂପର୍କରେ ଉଲ୍ଲେଖ କରାଯିବା ସହ ସାଂସଦ ସ୍ଥାନୀୟ ଅଞ୍ଚଳର ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କ ସହ ସଂପର୍କ ରଖୁ ନାହାନ୍ତି, ତେଣୁ ତାଙ୍କ ପ୍ରତି ଜନ ଅସନ୍ତୋଷ ରହିଛି ବୋଲି ଅଭିଯୋଗ କରାଯାଇଛି।

ସମ୍ବନ୍ଧିତ ଖବର