କଟକ: ୧୮୭୫ ମସିହାରେ ଶେଖ୍‌ବଜାର ଅଞ୍ଚଳ‌ରେ ପାର୍ବଣ ପୂଜାର ଶୁଭାରମ୍ଭ। ପ୍ରଥମେ ଅସ୍ଥାୟୀ ଚାଳଘର ନିର୍ମ‌ାଣ ହୋଇ ହରପାର୍ବତୀ ପୂଜା ଆୟୋଜନ କରାଯାଉଥିଲା। ଶେଖ୍‌ବଜାର ଅଞ୍ଚଳର ପ୍ରତିଷ୍ଠିତ ପରିବାର ସୁର୍‌ ବଂଶଧର ଓ ସ୍ଥାନୀୟ ବାସିନ୍ଦାଙ୍କ ମିଳିତ ଉଦ୍ୟମରେ ପୂଜା ପାଇଁ ସ୍ଥାୟୀ ମଣ୍ଡପ ନିର୍ମାଣ ହେଲା। ୧୯୦୨ ମସିହାରୁ ଦୁର୍ଗାପୂଜା ଆରମ୍ଭ ହୋଇ ଅଦ୍ୟାବଧି ଚାଲିଛି। ୧୯୯୧ମସିହାରେ କମିଟି ପକ୍ଷରୁ ସ‌ାଢ଼େ ୩ କ୍ବିଣ୍ଟାଲ୍‌ ଓଜନର ଚାନ୍ଦିମେଢ଼ ତିଆରି ହୋଇଛି। ଏହା କଟକର ଦ୍ବିତୀୟ ଚାନ୍ଦିମେଢ଼ ଭାବେ ପରିଗଣିତ। ପୂର୍ବରୁ ଚାନ୍ଦିମେଢ଼ ଭସାଣି ‌ଶୋଭାଯାତ୍ରାରେ ସହର ପରିକ୍ରମା କରୁ ନ ଥିବା ବ‌େଳେ ଶେଖ୍‌ବଜାର ପ୍ରଥମ କରି ଚାନ୍ଦିମେଢ଼କୁ ସହର ପରିକ୍ରମା କରାଇଥିଲା। ଚାନ୍ଦିମେଢ଼ ବ୍ୟତୀତ ଦୁର୍ଗା ଓ ପାର୍ଶ୍ବ ଦେବଦେବୀଙ୍କ ପାଇଁ ୪୦କିଲୋ ଓଜନର ଗହଣା ଓ ସାଜ ରହିଛି। ୨୦୦୫ ମସିହାରେ ଦୁର୍ଗାଙ୍କ ସମେତ ସମସ୍ତ ପାର୍ଶ୍ବ ଦେବଦେବୀ, ମହିଷାସୁରଙ୍କ ପାଇଁ ସୁନାମୁକୁଟ ତିଆରି ହୋଇଛି। ପୂର୍ବତନ ସଂପାଦକ ସ୍ବର୍ଗତ ‌କେଶବ ବେହେରାଙ୍କ ଉଦ୍ୟମରେ ସୁନା ମୁକୁଟ କାର୍ଯ୍ୟ ସଂପାଦିତ ହୋଇଥିଲା। ମୁକୁଟରେ ବ୍ୟବହୃତ ସୁନାର ପରିମାଣ ୬କିଲୋରୁ ଅଧିକ ହେବ। ସୁନାମୁକୁଟ ନିର୍ମାଣରେ ମଧ୍ୟ ଶେଖ୍‌ବଜାର ଦ୍ବିତୀୟ କମିଟି। ୨୦୧୬ ମସିହାରେ ଚାନ୍ଦିମେଢ଼ ପାଇଁ ୫ ଶହ ଗ୍ରାମ ଓଜନର ସୁନା ମୟୂର ଚନ୍ଦ୍ରିକା ତିଆରି କରାଯାଇ ମେଢ଼ର ‌ଶୋଭାବର୍ଦ୍ଧନ କରୁଛି। କମିଟି ପକ୍ଷରୁ ୨୦୨୨ରେ ଚାନ୍ଦିମେଢ଼ରେ ପାଖାପାଖି ୬୮କିଲୋ ଚାନ୍ଦି ବ୍ୟବହାର କରାଯାଇ ମେଢ଼ର ନବୀକରଣ କରାଯାଇଛି ଓ ଭସାଣି ‌‌ଶୋଭାଯାତ୍ରା ପାଇଁ ଏକ ଅତ୍ୟାଧୁନିକ ହାଇଡ୍ରୋଲିକ୍ ଚେସିସ୍ ନିର୍ମାଣ କରାଯାଇଛି। ସଂପ୍ରତି ସଭାପତି ଭାବେ ବରି‌ଷ୍ଠ ମୁରବି ରାଜକିଶୋର ନାୟକ ଓ ସଂପାଦକ ଭାବେ ଦକ୍ଷ ସଂଗଠକ କ‌ିଶୋର ବେହେରା ପୂଜା ଆୟୋଜନର ଦାୟିତ୍ବ ନେଇଛନ୍ତି।

Advertisment

ପୂଜା କମିଟି କର୍ମକର୍ତ୍ତା- ସଭାପତି-ରାଜକି‌ଶୋର ନାୟକ, ଉପସଭାପତି- ରଘୁନାଥ ବେହେରା ଓ କୁମାର ରାୟ, ସାଧାରଣ ସଂପାଦକ-କିଶୋର ବେହେରା, ବଜାର କମିଟି ସଂପାଦକ-ଦିଲ୍ଲୀପ ବେହେରା, ପଞ୍ଚାୟତ କମିଟି ସଭାପତି-ଜାନକୀନାଥ ମହାନ୍ତି, ଶୃଙ୍ଖଳା କମିଟି ସହସଂପାଦକ-ସୁଜିତ ବେ‌ହେରା, କୋଷାଧ୍ୟକ୍ଷ-ଦିଲ୍ଲୀପ ନାରାୟଣ ଗୁଟୁ(ବାପି), ଉପଦେଷ୍ଟାମଣ୍ଡଳୀ:- ଆଶୀର୍ବାଦ ବେହେରା(ମୁଖ୍ୟ ଉପଦେଷ୍ଟା), ପଙ୍କଜଲୋଚନ ମହାନ୍ତି, ଧୀରେନ୍ଦ୍ର କୁମାର ଜେଠୀ, ଡାକ୍ତର ବାଳକୃଷ୍ଣ କୁଅଁର, ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ, ଦେବପ୍ରସାଦ ମିଶ୍ର, ବିକ୍ରମ ମହାପାତ୍ର, କାର୍ଯ୍ୟକାରୀ କମିଟି ଓ ପଞ୍ଚାୟତ କମିଟି ସଭ୍ୟ- ବୀରେନ୍ଦ୍ର ଗିରି, ବସନ୍ତ ବେହେରା, ହରେକୃଷ୍ଣ ଦାସ, ଦେବାଶିଷ ପାଣିଗ୍ରାହୀ, ରମେଶ ସେଠୀ, ପୂର୍ଣ୍ଣଚନ୍ଦ୍ର ସାହୁ, ଜ୍ଞାନରଞ୍ଜନ ସ୍ବାଇଁ, ଜିତେନ୍ଦ୍ର ତରାଇ, ଲକ୍ଷ୍ମୀଧର ରଣା, ପ୍ରଣବ ଦଳେଇ, ଦିଲ୍ଲୀପ ମଙ୍ଗରାଜ, ସଚ୍ଚିଦାନନ୍ଦ ବେ‌ହେରା, ବିଜୟ ବେହେରା, ଶୁଭେନ୍ଦୁ ଦାସ, ଅଭୟ ବେହେରା, ମହେଶ୍ବର ବେହେରା, ନିହାର ରଞ୍ଜନ ସାମନ୍ତରାୟ, ଜ୍ୟୋତିରଞ୍ଜନ ସାମନ୍ତରାୟ, ମୁଖ୍ୟ ପୂଜକ- ରାଜେନ୍ଦ୍ରନାଥ ସାମନ୍ତରାୟ, ସହକାରୀ ପୂଜକ- ଶିବେନ୍ଦ୍ର ନାରାୟଣ ସାମନ୍ତରାୟ।

publive-image Sambad

ଚଳିତବର୍ଷର ଯୋଜନା- ଚଳିତବର୍ଷ ପୂଜା ପାଇଁ ୨୧ଲକ୍ଷ ଟଙ୍କାର ବଜେଟ୍‌ ତିଆରି ହୋଇଛି। ଦୁର୍ଗାପୂଜାରେ ୮ଟି ଲାଇଟ୍ ଗେଟ୍‌ ସମେତ ସଂପୂର୍ଣ୍ଣ ଅଞ୍ଚଳକୁ ଆଲୋକମାଳା‌ରେ ସଜାଯିବ। ବିଜୟାଦଶମୀରେ ୨ହଜାର ଲୋକଙ୍କୁ ଦହିପଖାଳ ପ୍ରସାଦସେବନ ବ୍ୟବସ୍ଥା କରାଯିବ। ଭସାଣି ‌‌ଶୋଭାଯାତ୍ରାରେ ବିଭିନ୍ନ କିସମର ପାରମ୍ପରିକ ବାଜା ସାମିଲ ହେବ। ଶୃଙ୍ଖିଳତ ତଥା ନିଶାମୁକ୍ତ ଭସାଣି କରାଯିବାକୁ କମିଟି ପକ୍ଷରୁ ଚୂଡାନ୍ତ ହୋଇଛି।

ସ୍ବତନ୍ତ୍ର ପରମ୍ପରା-ମା’ କଟକ ଚଣ୍ଡୀ ହେଉଛନ୍ତି‌ ଶେଖ୍‌ବଜାରର ଗ୍ରାମଦେବତୀ। ବିବାହ ବ୍ରତଠୁ ଆରମ୍ଭ କରି ପର୍ବପର୍ବାଣୀ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମା’ କଟକ ଚଣ୍ଡୀଙ୍କୁ ଅଗ୍ରଧିକାର ଦିଆଯାଏ। ଦୁର୍ଗାପୂଜାରେ ମହାନବମୀ ଦିନ ମା’ କଟକ ଚଣ୍ଡୀଙ୍କ ମୁଖ୍ୟ ପୂଜକ ଦ୍ବାରା ମା’ଙ୍କ ପାଖରେ ୧୦୮ଆଳତି ସଂପନ୍ନ କରାଯାଏ। ମା’ଙ୍କୁ ବଙ୍ଗୀୟ ମତରେ ପୂଜା କରାଯାଏ। ଦଶମୀ ଦିନ ମା’ଙ୍କ ପାଖରେ ସିନ୍ଦୂର ଖେଳ ହୁଏ। ଦଶମୀ ପୂଜା ସରିବା ପରେ ଅଞ୍ଚଳର ଶହେରୁ ଅଧିକ ମହିଳା ମା’ଙ୍କ ପାଖରେ ସିନ୍ଦୂର ଖେଳ କରିବା ପରମ୍ପରା ଚଳିଆସୁଛି।

ସାମାଜିକ କାର୍ଯ୍ୟ- ପୂଜା ପାର୍ବଣ ଆୟୋଜନ କରିବା ସହିତ କଟକଚଣ୍ଡୀ ରୋଡ୍‌ ଶେଖ୍‌ବଜାର ପୂଜା କମିଟି ସମାଜ ପ୍ରତି ରହିଥିବା କର୍ତ୍ତବ୍ୟକୁ ଗୁରୁତ୍ବ ଦେଇଆସିଛି। ପୂଜା କମିଟି ପକ୍ଷରୁ ରକ୍ତଦାନ ଶିବିର, ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା, ବନ୍ୟା, ବାତ୍ୟା ଭଳି ଦୁର୍ବିପାକ ସମୟରେ ପୀଡ଼ିତକୁ ଖାଦ୍ୟ, ପାନୀୟ ବଣ୍ଟନ ଆଦି କାର୍ଯ୍ୟ କରାଯାଉଛି। ଗତ କୋଭିଡ୍ ସମୟରେ କମିଟି ପକ୍ଷରୁ ବାହାର ଲୋକଙ୍କ ପାଇଁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା।