ପୁରୀ ହାଜତ ମୃତ୍ୟୁ ମାମଲା: ହାଇକୋର୍ଟରେ ପୁଣି ସତ୍ୟପାଠ ଦାଖଲ କଲେ ପୁରୀ ଏସ୍‌ପି

ମୃତକଙ୍କ ପରିବାର ଲୋକଙ୍କୁ ଧମକ ବା ଦୁର୍ବ୍ୟବହାର ଅଭିଯୋଗ ନାହିଁ, ତିନୋଟି ସ୍ବାଧୀନ ଓ ନିର‌ପେକ୍ଷ ସଂସ୍ଥା ତଦନ୍ତ କରୁଛନ୍ତି

କଟକ: ପୁରୀ ବାସେଳିସାହି ଥାନା ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ପୁରୀ ଏସ୍‌ପି ଡକ୍ଟର କେ.ଭି. ସିଂହ ହାଇକୋର୍ଟରେ ପୁଣି ଏକ ସତ୍ୟପାଠ ଦାଖଲ କରିଛନ୍ତି।
କେ. ରମେଶଙ୍କ ମୃତ୍ୟୁ ଅଭିଯୋଗ ସଂପର୍କିତ ଜନସ୍ବାର୍ଥ ମାମଲାରେ ଏସ୍‌ପି ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଯେ ଏହି ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିସନ୍ ଓ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ କେତେକ ବ୍ୟକ୍ତି ଅଭିଯୋଗ କରିଛନ୍ତି। ଏନ୍‌ଏଚ୍‌ଆର୍‌ସି ଏକ ମାମଲା ରୁଜୁ କରି ପୂର୍ବ‌ ଜୋନ୍ ସ୍ପେସାଲ ରାପୋର୍ଟିଅର ଅବସରପ୍ରାପ୍ତ ଆଇଏଏସ୍ ଡକ୍ଟର ବିନୋଦ ଅଗ୍ରୱାଲଙ୍କୁ ୪ ସପ୍ତାହ ଭିତରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଡକ୍ଟର ଅଗ୍ରୱାଲ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ତଦନ୍ତ କରି ‌ରିପୋର୍ଟ ଦାଖଲ କରିବେ। ଏନ୍‌ଏଚ୍‌ଆର୍‌ସି ନିୟମାବଳୀ ଅନୁସାରେ ଘଟଣାର ବିଚାରବିଭାଗୀୟ ତଦନ୍ତ ପ୍ରସଂଗ ନେଇ ପୁରୀ ଜିଲ୍ଲା ଓ ଦୌରାଜଜଙ୍କ ନିକଟରେ ଏସ୍‌ପି ଆବେଦନ କରିଥିଲେ। ଜିଲ୍ଲା ଜଜ୍ ପୁରୀ ଜେଏମ୍‌ଏଫ୍‌ସିଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଏନ୍‌ଏଚ୍‌ଆର୍‌ସି ନିୟମାବଳୀ ଅନୁସାରେ ଏଚ୍‌ଆର୍‌ପିସି ‌ଡିଏସ୍‌ପିଙ୍କୁ ମଧ୍ୟ ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଇଛି। ବର୍ତ୍ତମାନ ସମୟରେ ଘଟଣାର ତିନୋଟି ସ୍ବାଧୀନ ଓ ନିର‌ପେକ୍ଷ ତଦନ୍ତ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପୀଡ଼ିତ ପରିବାରର ସ୍ଥିତିକୁ ଦୃଷ୍ଟିରେ ରଖି ୫ ଲକ୍ଷ ଟଙ୍କା ଅନ୍ତରୀଣ କ୍ଷତିପୂରଣ ମଞ୍ଜୁର କରାଯାଇଛି। ମୃତକଙ୍କ ଅଭିଭାବକ ପୁଲିସ ହେପାଜତରେ ନାହାନ୍ତି। ସେମାନଙ୍କ ପ୍ରତି କୌଣସି ଦୁର୍ବ୍ୟବହାର ବା ଧମକ ନେଇ କିଛି ଅଭିଯୋଗ ନାହିଁ। ଏସ୍‌ପିଙ୍କ ସତ୍ୟପାଠକୁ ବିଚାର ପାଇଁ ଗ୍ରହଣ କରି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୨କୁ ଧାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ତଦନ୍ତର ଅଗ୍ରଗତି ନେଇ ଅବଗତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ଏହି ଘଟଣାର ତଦନ୍ତ ଅଦାଲତ ନିଜେ ତଦାରଖ କରନ୍ତୁ ବୋଲି ଦର୍ଶାଇ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଛି। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ ଡିଜି, ପୁରୀ ଜିଲ୍ଲାପାଳ, ଏସପି ଓ ବାସେଳିସାହି ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଆଇନଜୀବୀ ଦୀପକ ମହାପାତ୍ର, କବିରାଜ ପ୍ରଧାନ ଓ ପଦ୍ମାଳୟା ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର