କଟକ: କଟକ ପୌର ନିଗମର ମେୟର ସୁବାସ ସିଂହଙ୍କ ପାଇଁ ପ୍ରସ୍ତୁତ ହେଉଛି କ୍ବାର୍ଟର୍ସ‌୍। ପୂର୍ବରୁ ବରିଷ୍ଠ ଆଇଏଏସ୍ ଅଧିକାରୀମାନେ ରହୁଥିବା ଗଡ଼ଖାଇ ପରିସରସ୍ଥିତ ଜିଏଡି ଏସ୍‌ଓ-୬ ନମ୍ବର କ୍ବାର୍ଟର୍ସରେ ମେୟର ଶ୍ରୀ ସିଂହ ରହିବେ। ପୂର୍ବରୁ ଝୋଲ୍ଲା ସାହିସ୍ଥିତ ସାରଙ୍ଗଧର ପା‌ର୍କ ସମ୍ମୁଖରେ ମେୟରଙ୍କ କ୍ବାର୍ଟର୍ସ ରହିଥିଲେ ବି ତାହା ଏବେ ଆଉ ସୁବାସଙ୍କ ପାଇଁ ବ୍ୟବହାର ହେବ ନାହିଁ। ଗଡ଼ଖାଇ ପରିସର କ୍ବାର୍ଟର୍ସରେ ସୁବାସ ରହିବା ପାଇଁ ସେଠାରେ ଏବେ ୩୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ଉନ୍ନତୀକରଣ ଓ ମରାମତି କାମ ଚାଲିଛି। କ୍ବାର୍ଟର୍ସ ଭିତର ବ୍ୟବସ୍ଥାକୁ ନୂଆ ରୂପ ଦିଆଯିବା ସହିତ ବଗିଚାକୁ ହଟା ଯାଇ ସେଠାରେ ଏକ ସ୍ଥାୟୀ ସଭା କକ୍ଷ ନିର୍ମାଣ କରାଯାଉଛି। କ୍ବାର୍ଟର୍ସର ଉନ୍ନତୀକରଣ ଓ ମରାମତି କାମ ପୂର୍ତ୍ତ ବିଭାଗ ତରଫରୁ କରାଯାଉଛି। ଏବେ ଜିଏଡି ଏସ୍‌ଓ-୮ କ୍ବାର୍ଟର୍ସରେ କମିସନର ନିଖିଲ୍‌ ପୱନ୍‌ କଲ୍ୟାଣ ରହୁଥିବା ବେଳେ ଏହାର ଗୋଟିଏ କ୍ବାର୍ଟର୍ସ ପର କ୍ବାର୍ଟର୍ସକୁ ମେୟରଙ୍କ ପାଇଁ ପ୍ରସ୍ତୁତ କରାଯାଉଛି। କ୍ବାର୍ଟର୍ସର ଶୌଚାଳୟରୁ ଆରମ୍ଭ କରି ଛାତ, ଚଟାଣର ଉନ୍ନତୀକରଣ ସହ ଆଲୋକ ଓ ପାଣି ଯୋଗାଣ ବ୍ୟବସ୍ଥାର କାମ ଚାଲିଛି। କ୍ବାର୍ଟର୍ସ ସମ୍ମୁଖ ଭାଗରେ କାଚରେ ନିର୍ମିତ ଏକ ଘରକୁ ସୁରକ୍ଷା କର୍ମୀଙ୍କ ପାଇଁ ପ୍ରସ୍ତୁତ କରାଯାଉଛି। କ୍ବାର୍ଟର୍ସ ସାମନାରେ ୭ ଶହରୁ ଅଧିକ ବର୍ଗଫୁଟର ଏକ ସଭା ଗୃହ ନିର୍ମାଣ କରାଯାଉଛି।

Advertisment

ସେଠାରେ ସିମେଣ୍ଟରେ ଏକ ସଭା ମଞ୍ଚ ମଧ୍ୟ କରାଯାଇଛି। ଏଠାରେ ସହରବାସୀଙ୍କ ଅଭିଯୋଗ ଶୁଣିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଥିବା କୁହାଯାଉଛି। ୩ ମାସ ହେଲା ଏହାର କାମ ଆରମ୍ଭ ହୋଇଥିବା ବେଳେ ଆଉ କିଛି ଦିନ ମଧ୍ୟରେ ଏହା ସରି ଯିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ ୨୦୨୨ ଏପ୍ରିଲ ୭ରେ ସୁବାସ ସିଂହ ପୌର ନିଗମ‌‌ର ମେୟର ଭାବେ ଶପଥ କରିଥିଲେ। ଦାୟିତ୍ବ ନେବା ପରେ ମେୟରଙ୍କ କ୍ବାର୍ଟର୍ସ ପାଇଁ ଏହାକୁ ଚୟନ କରି ଏଥିପାଇଁ ନିଗମ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗର ଅନୁମତି ଲୋଡା ଯାଇଥିଲା। କିନ୍ତୁ ଏଠାରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ରହି ଆସୁଥିବା ବେଳେ ଏବେ ଏହି କ୍ବାର୍ଟର୍ସ ପାଇଁ ୩୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ହେବାର ଯଥାର୍ଥତାକୁ ନେଇ ପ୍ରଶ୍ନ ଉଠୁଛି। ଏତେ ଟଙ୍କା ବ୍ୟୟ କରିବା ପାଇଁ କେଉଁ ବ୍ୟବସ୍ଥା ତଥା ନିୟମ ଆଧାରରେ ସ୍ବୀକୃତି ମିଳିଛି, ତାହାକୁ ନେଇ ବି ପ୍ରଶ୍ନ ଉଠୁଛି। ମେୟର ସୁବାସ ସିଂହଙ୍କର ନିଜ ଘର କାଳୀଗଳିରେ ରହିଛି। ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ସେ ସହରର ମଧ୍ୟ ଭାଗ‌ (ଝୋଲ୍ଲା ସାହି)ରେ ଥିବା ମେୟରଙ୍କ କ୍ବାର୍ଟର୍ସକୁ ବ୍ୟବହାର କରି ପାରିଥାନ୍ତେ। କିନ୍ତୁ ଗଡ଼ଖାଇ ପରିସରକୁ ଯିବାର ଯଥାର୍ଥତାକୁ ନେଇ ବି ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି।

ନିଜ ଘର ଅଛି, କ୍ବାର୍ଟର୍ସ କାହଁକି?
କଟକରେ ତ ସୁବାସ ସିଂହଙ୍କ ଘର ଅଛି, ସେ ସେଠି କ୍ବାର୍ଟର୍ସ କାହିଁକି ନେଲେ ବୋଲି ପ୍ରଶ୍ନ କରିଛନ୍ତି କଟକ ପୌର ପରିଷଦର ଶେଷ ସିଧାସଳଖ ନିର୍ବାଚିତ ଅଧ୍ୟକ୍ଷ ତଥା ବରିଷ୍ଠ ରାଜନେତା ତ୍ରିଲୋଚନ କାନୁନଗୋ। କିନ୍ତୁ ଏହା ମେୟରଙ୍କ ବ୍ୟକ୍ତିଗତ ପସନ୍ଦ ଅଥବା ନିଷ୍ପତ୍ତ ହୋଇପାରେ ବୋଲି ଶ୍ରୀ କାନୁନଗୋ କହିଛନ୍ତି।

ପୌର ନିଗମକୁ ଏବେ ବହୁତ ଟଙ୍କା ଆସୁଛି
ପୌର ନିଗମକୁ ଏବେ ବହୁତ ଟଙ୍କା ଆସୁଛି। ଯିଏ ଯେପରି ଇଚ୍ଛା କଲା, ସେପରି ତାକୁ ଖର୍ଚ୍ଚ କରିଲା। ଯେଉଁ କ୍ବାର୍ଟର୍ସରେ ମେୟର ସୁବାସ ସିଂହ ରହିବେ, ସେ ସଂପର୍କରେ ସେ ନିଜେ ନିଷ୍ପତ୍ତି ନେଇଥିବେ। ଏଥିରେ ମୁଁ ଆଉ କ’ଣ କହିବି ବୋଲି କହିଛନ୍ତି କଟକର ପ୍ରଥମ ମେୟର ନିବେଦିତା ପ୍ରଧାନ।

ଲୋକଙ୍କ ଅଭିଯୋଗ ଶୁଣାଣି ବ୍ୟବସ୍ଥା କରାଯାଇଛି
ଆଉ କିଛି ଦିନ ଭିତରେ ନୂଆ କ୍ବାର୍ଟର୍ସ ପ୍ରସ୍ତୁତ ହେଲେ ମୁଁ ସେଠାକୁ ଯିବି। ଖୁବଶୀଘ୍ର କାମ ସରିଯିବ। ସହରବାସୀଙ୍କ ସମସ୍ୟା ଶୁଣିବା ପାଇଁ ସେଠାରେ ଆନୁସଙ୍ଗିକ ବ୍ୟବସ୍ଥା କରାଯାଉଛି ବୋଲି ମେୟର ସୁବାସ ସିଂହ କହିଛନ୍ତି।

ମେୟର୍‌ଙ୍କ ଝୋଲାସାହି କ୍ବାର୍ଟର୍ସ ଏବେ ଷ୍ଟୋର ରୁମ୍‌

ଝୋଲାସାହିସ୍ଥିତ ସାରଙ୍ଗଧର ପାର୍କ ସମ୍ମୁଖରେ ଥିବା ପୌର ନିଗମର ଏକ ଘରକୁ ମ୍ୟୁନିସିପାଲ ଅଧ୍ୟକ୍ଷ ଓ ନିଗମର ମେୟରଙ୍କ ରହିବା ପାଇଁ ରଖା ଯାଇଥିଲା। ସେହି ଘ‌ରକୁ ପୂର୍ବତନ ପୌର ଅଧ୍ୟକ୍ଷ ତ୍ରିଲୋଚନ କାନୁନ୍‌ଗୋ ଓ ପୌର ନିଗମର ପ୍ରଥମ ମେୟର ନିବେଦିତା ପ୍ରଧାନ ବ୍ୟବହାର କରୁଥିଲେ। ପୂର୍ବତନ ମେୟର ସୌମେନ୍ଦ୍ର ଘୋଷ, ଅନିତା ବେହେରା ଓ ମିନାକ୍ଷୀ ବେହେରା ବି ଏହାକୁ ସେମାନଙ୍କ କାର୍ଯ୍ୟାଳୟ ଭାବେ ବ୍ୟବହାର କରୁଥିଲେ। ଅର୍ଥାତ ସେମ‌ାନେ ନିଜନିଜର ଘରେ ରହୁଥିବା ବେଳେ ସେଠାକୁ ଆସି ଲୋକଙ୍କ ଅଭିଯୋଗ ଶୁଣିବା ସହ ଅନ୍ୟ ଅଫିସ କାର୍ଯ୍ୟ ବି କରୁଥିଲେ। ପ୍ରାୟ ୩ ବର୍ଷ ଧରି ନିର୍ବାଚନ ହୋଇ ନ ପାରିବା ଯୋଗୁଁ ଏହି ଘର ବ୍ୟବହାର ହୋଇ ପାରି ନଥିଲା। ଘରର ଛାତ ଓ କାନ୍ଥ ବି ନଷ୍ଟ ହେବାରେ ଲାଗିଛି। ଗଲା କିଛି ବର୍ଷ ହେଲା ଏହାକୁ ଷ୍ଟୋର୍ ରୁମ୍ ଭାବେ ବ୍ୟବହାର କରାଯାଉଛି।