ଚାରି ପଟ ମୁକୁଳା, ଅସୁରକ୍ଷିତ କଟକ ରେଳଷ୍ଟେସନ

କଟକ: ମୁକୁଳା ପଡ଼ିଛି କଟକ ରେଳଷ୍ଟେସନ। ସୁରକ୍ଷା ବ୍ୟବସ୍ଥା ସବୁ ଆଡୁ ଢିଲା। ନିକଟରେ ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା ପାଇଁ କଟକ ରେଳ ଷ୍ଟେସନରେ ମକ୍‌ ଡ୍ରିଲ ହୋଇଥିବା ବେଳେ ବର୍ତ୍ତମାନର ବ୍ୟବସ୍ଥା ବାସ୍ତବରେ ସ୍ଥିତି ମୁକାବିଲା ପାଇଁ କେତେ ପ୍ରସ୍ତୁତ, ତାହାକୁ ନେଇ ପ୍ରଶ୍ନ ଉଠୁଛି। ରେଳଷ୍ଟେସନ ୧ ନଂ ଓ ୨ ନଂ‌ ଗେଟ୍‌ରେ ସୁରକ୍ଷା ପାଇଁ ଅତ୍ୟାଧୁନିକ ଲଗେଜ୍ ସ୍କାନର ଲାଗିଛି। ସେଥିପାଇଁ କର୍ମଚାରୀ ବି ନିୟୋଜିତ ଅଛନ୍ତି। ମାତ୍ର ପ୍ଲାଟଫର୍ମ ଭିତରକୁ ପ୍ରବେଶ କରୁଥିବା କୌଣସି ଯାତ୍ରୀଙ୍କ ଲଗେଜ୍ ସ୍କାନ କରିବାକୁ କୁହାଯାଉ ନାହିଁ। କେହି ଯାତ୍ରୀ ଚାହିଁଲେ ସେ ନିଜ ଇଚ୍ଛାରେ କରୁଛନ୍ତି। ସେହିଭଳି ମୁଖ୍ୟ ଫାଟକ ସମ୍ମୁଖ ରାସ୍ତା ସଂପ୍ରସାରଣ କରାଯାଉନାହିଁ। ଏଠାରେ ଟ୍ରାଫିକ ସମସ୍ୟା ଉପୁଜୁଛି। ସୌନ୍ଦର୍ଯ୍ୟକରଣ ପାଇଁ ଥିବା ଜଳଫୁଆର ବି ଅଚଳ ହୋଇ ପଡିଛି। ସବୁଠୁ ଅଧିକ ବିପର୍ଯ୍ୟସ୍ତ ରହିଛି ପୂର୍ବାଞ୍ଚଳ ଫାଟକ। ଦୀର୍ଘ ଦିନର ଦାବି ପରେ ପୂର୍ବାଞ୍ଚଳ ‌ଲୋକଙ୍କ ପାଇଁ ଏହି ଫାଟକ ଖୋଲି ଥିଲା। ଟିକଟ ଘର ସ୍ଥାପନ ହୋଇଥିଲା। ଫଳ‌ରେ କଟକ ପୂର୍ବାଞ୍ଚଳ, ଜଗତସିଂହପୁର ଓ ଅନ୍ୟ ଜିଲ୍ଲାର‌ ‌ଲୋକେ ଏହି ଫାଟକ ଦେଇ ଜାତୀୟ ରାଜପଥରୁ ଆସି ସହଜରେ ନିଜର ଗନ୍ତବ୍ୟସ୍ଥଳକୁ କିଭଳି ଯାଇପାରିବେ ସେ ନେଇ ବ୍ୟବସ୍ଥା କରାଯାଇଥିଲା। ଏହା ଯାତ୍ରୀଙ୍କ ପାଇଁ ସୁଗମ ମଧ୍ୟ ଥିଲ‌ା। ମାତ୍ର ବର୍ଷ କେଇଟା ପରେ ପୂର୍ବାଞ୍ଚଳ ଫାଟକ ଏକ ପ୍ରକାର ଅଚଳ ହୋଇ ପଡିଛି। ରେଳବାଇ କର୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏ ପଟ ଦେଇ ଯାତ୍ରୀ ଯିବାକୁ ଡରୁଛନ୍ତି।

ପୂର୍ବାଞ୍ଚଳ ଫାଟକରେ ଏସ୍କାଲେଟର ଭଳି ଅତ୍ୟାଧୁନିକ ବ୍ୟବସ୍ଥା ଥିଲେ ବି ଯାତ୍ରୀ ଏହାର ସୁବିଧା ନେଇ ପାରୁ ନାହାନ୍ତି। ପୂର୍ବାଞ୍ଚଳ ଫାଟକ ପଟେ ଅସୁରକ୍ଷିତ ରାସ୍ତ‌‌ା, ସୁରକ୍ଷା ଓ ପରିବହନର ସୁବିଧା ନଥିବାରୁ ଏହି ଫାଟକ ଥାଇ ନଥିଲା ପରି ରହିଛି। ପୂର୍ବାଞ୍ଚଳ ଫାଟକରେ କୌଣସି ଯାଞ୍ଚ ବ୍ୟବସ୍ଥ‌ା ନାହିଁ। ଯିଏ ଚାହିଁବ ଷ୍ଟେସନରୁ ବାହାରକୁ ଓ ବାହାରୁ ଷ୍ଟେସନ ଭିତରକୁ ଯାଇ ପାରୁଛି। କୌଣସି ସ୍ଥାନ‌ରେ ଯାଞ୍ଚ ନାହିଁ। ପୂର୍ବାଞ୍ଚଳ ଫାଟକରୁ ଓଏମପି ଜାତୀୟ ରାଜପଥକୁ ସଂଯୋଗ ରାସ୍ତାଟି ଅତ୍ୟନ୍ତ ବିପର୍ଯ୍ୟସ୍ତ ସ୍ଥିତିରେ ରହିଛି। ଏ ରାସ୍ତାରେ ଷ୍ଟ୍ରିଟଲାଇଟ ଲାଗି ନାହିଁ। ରାସ୍ତାରେ ବିରାଟ ବିରାଟ ଖାଲଖମା ଭର୍ତ୍ତି ‌ହୋଇଛି। ଜଣେ ଯାତ୍ରୀ ଓହ୍ଲାଇଲେ ତାଙ୍କୁ ରିକ୍ସା କିମ୍ବା ଅଟୋ ମିଳିବାର ବ୍ୟବସ୍ଥା ନାହିଁ। ଅନ୍ୟ ପରିବହନର ବ୍ୟବସ୍ଥା ନଥିବାରୁ ଏ ଫାଟକ ଏକପ୍ରକାର ଜନଶୂନ୍ୟ ରହିଛି। ଏଠାରେ ଥିବା ଏକ ମୋଟର ସାଇକଲ ଷ୍ଟାଣ୍ଡ୍ ମଧ୍ୟ ଉଠି ଯାଇଛି। ଯାତ୍ରୀଙ୍କୁ ସୁବିଧା ନମିଳିବାରୁ ‌ସେମାନେ ଅପରପାର୍ଶ୍ବ ଫାଟକରେ ଓହ୍ଲାଇବାକୁ ପସନ୍ଦ କରୁଛନ୍ତି। ମାଲବାହୀ ଟ୍ରକ ଗୁଡିକ ରାସ୍ତାକୁ କବଜା କରି ରଖିଛନ୍ତି। ପୂର୍ବାଞ୍ଚଳ ଫାଟକକୁ ଲାଗି ରହିଥିବା ଯାତ୍ରୀ ପ୍ରତୀକ୍ଷାଳୟ ବାହାରପଟୁ ତାଲା ପଡିଛି। ଏଠାରେ ଥିବା ଟିକେଟ କାଉଣ୍ଟର କେବେ କେବେ ଖୋଲା ରହୁଥିବା ବେଳେ ଆଉ କେବେ ବନ୍ଦ ରହୁଛି। ଏଭଳି ସ୍ଥିତିରେ କଟକ ରେଳ ଷ୍ଟେସନ ବିକଶିତ ହେବା ବଦଳରେ ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇ ପଡୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର