କଟକ: ସହରରେ ଆଜି ମାତ୍ର ୩୦ ମିନିଟର ବର୍ଷାରେ ପଙ୍କୋଦ୍ଧାର କାମର ବାସ୍ତବ ସ୍ଥିତି ପଦାରେ ପଡି ଯାଇଛି। ମହାନଗର ନିଗମ ପକ୍ଷରୁ ସାହିବସ୍ତିର ଛୋଟ ନଳାରୁ ଏମ୍ଏସ୍ଡବ୍ଲୁସି ୧ ଓ ୨ ଡ୍ରେନ ପରି ବଡ ନାଳ ସଫା କରାଯାଇଥିବା ଦାବି କରାଯାଉ ଥିବା ବେଳେ ଅଧ ଘଣ୍ଟାଏ ବର୍ଷାରେ ସହରର ୪୦ ପ୍ରତିଶତରୁ ଅଧିକ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଯାଇଛି। ସହରରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିଲେ ବି ସହରର ସମସ୍ତ ଖାଲୁଆ ଅଞ୍ଚଳରେ ସିଏମ୍ସି ପକ୍ଷରୁ ବର୍ଷା ଜଳ ନିଷ୍କାସନ ପାଇଁ ପାଣି ପମ୍ପ ବସି ପାରିଲା ନାହିଁ। ଅଳ୍ପ କିଛି ସ୍ଥାନରେ ପାଣି ପମ୍ପ ବସିଥିଲେ ବି ଏହାକୁ ଠିକ୍ ସମୟରେ ଚାଲୁ କରାଯାଉ ନଥିବାରୁ ପାଣି ନିଷ୍କାସନରେ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି। ସହରରେ ମେ’ ୨୦ ତାରିଖ ସୁଦ୍ଧା ପଙ୍କୋଦ୍ଧାର କାମ ଶେଷ କରିବାକୁ ମେୟର ସୁବାସ ସିଂହ ଏପ୍ରିଲ ୮ରେ ନିର୍ଦ୍ଦେଶ ଦେଇଥିଲେ।
କିନ୍ତୁ ଏବେ ୧୫୦ଟି ଡ୍ରେନରୁ ୨୨ଟିରେ ସଫେଇ କାମ ଆରମ୍ଭ ହୋଇନାହିଁ। ଯେଉଁ ଡ୍ରେନରେ ସଫେଇ କାମ ହୋଇଛି ତାହା ଠିକ୍ ଭାବେ ହୋଇ ନଥିବାରୁ ବର୍ଷା ଜଳ ନିଷ୍କାସନରେ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି। ବର୍ଷାରେ ସହରର କାଜି ବଜାର, ମେହେନ୍ଦିପୁର, ଓଡ଼ିଆ ବଜାର, କେଶରପୁର, ସୂତାହାଟ, ବାଦାମବାଡି ରକ୍ସିଲେନ୍, ନାରାୟଣ ମିଶ୍ର ଲେନ୍, ଓଏମପି ଗଡା, ତୁଳସୀପୁର ପଞ୍ଚମୁଖୀ ହନୁମାନ ମନ୍ଦିର, ଅପର୍ଣ୍ଣାନଗର, କୈବଲ୍ୟବିହାର, ବିଦ୍ୟାଧରପୁର, ଯୋବ୍ରା, ଆଦି ସ୍ଥାନରେ ପାଣି ଜମି ରହିଛି। ବର୍ଷାଜଳ ନିଷ୍କାସନ ନହୋଇ ବିଭିନ୍ନ ରାସ୍ତାରେ ଦୁଇ ଫୁଟର ପାଣି ଛିଡା ହୋଇଥିବାର ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/tulasipur-tv-center-road-2.jpg)