ଆଜି ସଜବାଜ, ମଙ୍ଗଳବାରଠୁ ରଜ

କଟକ: ଓଡ଼ିଶାର ପୁରପଲ୍ଲୀରୁ ଆରମ୍ଭ କରି ସହରନଗର ପର୍ଯ୍ୟନ୍ତ ସବୁଠି ରଜ ଉତ୍ସବ ଆନନ୍ଦଉଲ୍ଲାସରେ ପାଳିତ ହୋଇଥାଏ। ଏହି ପର୍ବ ଝିଅ ଓ ମହିଳାଙ୍କ ପାଇଁ ହୋଇଥିଲେ ‌ମଧ୍ୟ ସବୁ ବର୍ଗର ପୁରୁଷ ଏଥିରେ ସାମିଲ ହୋଇଥାନ୍ତି। ୪ଦିନ ଧରି ପାଳିତ ରଜ ଉତ୍ସବ ଦୋଳିଖେଳ, ରଜପାନ, ପୋଡ଼ପିଠା, ପୁଚିଖେଳ ଭଳି ମଉଜ ମଜଲିସ୍‌ରେ ଅତିବାହିତ ହୋଇଥାଏ। ସଂପ୍ରତି କଟକ ସହରରେ ବିଭିନ୍ନ ମହିଳା ଅନୁଷ୍ଠାନ, ଯୁବ ସଂଗଠନ, ସାଂସ୍କୃତିକ ପରିଷଦ, ସାହିବସ୍ତିରେ ଉତ୍ସାହର ସହ ରଜ ପାଳନ କରାଯାଉଛି। ରଜ ଅବସରରେ ବଳଭଦ୍ରପୁର ଜୟ ମହାବୀର ଫାଉଣ୍ଡେସନ୍‌, କଟକ ସହର ତୈଳିକ ବୈଶ୍ୟ ସମାଜ, ଅରୁଣୋଦୟ ନଗର ମହିଳା ପରିଷଦ, ବାଦାମବାଡ଼ି ମା’ ଅମ୍ବିକା ମହିଳା ସମିତି, କଳିଙ୍ଗ ଭାରତୀ ପକ୍ଷରୁ ରଜ ମ‌ହୋତ୍ସବ ପାଳିତ ହେଉଥିବା ବ‌େଳେ ରଜ ପାଇଁ ପାନ୍ଥନିବାସ ପକ୍ଷରୁ ସ୍ବତନ୍ତ୍ର ପୋଡ଼ପିଠା ପ୍ରସ୍ତୁତି ଚାଲିଛି। ଆସନ୍ତାକାଲି(ସୋମବାର) ସଜବାସ। ଏହି ତିଥିରେ ଝିଅ ଓ ମହିଳାମାନେ ନିଜକୁ ସଜାଇବା ବା ଶିଙ୍ଗାର କରିବା ପରମ୍ପରା ରହିଛି। ମଙ୍ଗଳବାର ପହିଲି ରଜ। ରଜ ଉତ୍ସବ ପହିଲି ରଜକୁ ମିଶାଇ ୪ଦିନ ଧରି ପାଳିତ ହୁଏ। ବଳଭଦ୍ରପୁର ଜୟ ମହାବୀର ଫାଉଣ୍ଡେସନ୍‌ ପକ୍ଷରୁ ମଙ୍ଗଳବାର ପହିଲି ରଜଠାରୁ ୪ଦିନ ବ୍ୟାପି ରଜ ଉତ୍ସବ ପାଳିତ ହେବ। ଫାଉଣ୍ଡେସନ୍‌ର ସଭାପତି ପ୍ରଦୀପ୍ତ ରାଉତଙ୍କ କହିବା ଅନୁସାରେ, ପହିଲି ରଜଠୁ ଆରମ୍ଭ ହେଉଥିବା ଏହି ଉତ୍ସବକୁ ଅଞ୍ଚଳ ସବୁ ଝିଅ, ମହିଳାଙ୍କୁ ନିମନ୍ତ୍ରଣ କରାଯାଇଛି। ଛତ୍ରବଜାର ପୂଜାଘର ପଛ ପଡ଼ିଆରେ ଦୋଳି ଖେଳିବା ବ୍ୟବସ୍ଥା କରାଯିବା ସହ ପୋଡ଼ପିଠା, ଦହିବରା-ଆଳୁଦମ୍‌, ରଜ ପାନ, ବିଭିନ୍ନ ମିଠା ଆଦି ବ୍ୟଞ୍ଜନର ବ୍ୟବସ୍ଥା ରହିଛି। ସହରରେ ରଜର ମାହୋଲକୁ ଉଜ୍ଜୀବିତ କରିବା ଫାଉଣ୍ଡେସନ୍‌ର ଉଦ୍ଦେଶ୍ୟ ବୋଲି ଶ୍ରୀ ରାଉତ କହିଛନ୍ତି।

ରଜ ପାଇଁ ପାନ୍ଥନିବାସ ପକ୍ଷରୁ ସ୍ବତନ୍ତ୍ର ଭାବେ ପୋଡପିଡ଼ା, ଆରିଶା ପିଠା, ମଣ୍ଡା, କାକରା ଆଦି ତିଆରି କରାଯାଉଛି। ଏହା ୪/୫ଦିନ ଧରି ମିଳିବ। ରଜ ପାଇଁ ପୋଡପିଡ଼ା କିଲୋ ଦର ୪ଶହ ଟଙ୍କା ରହିଥିବା ବ‌େଳେ ଅନ୍ୟ ପିଠା ଗୋଟାକୁ ୨୦ଟଙ୍କାରେ ଜନସାଧାରଣଙ୍କୁ ବିକ୍ରି କରିବା ବ୍ୟବସ୍ଥା ରହିଛି ବୋଲି ପାନ୍ଥନିବାସ ପକ୍ଷରୁ ଧୂଳେଶ୍ବର ଜେନା ସୂଚନା‌ ‌ଦେଇଛନ୍ତି। କଟକ ସହର ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଆସନ୍ତା ୧୬ତାରିଖରେ ସହିଦ୍‌ ଭବନରେ ଦିନବ୍ୟାପୀ ଉତ୍ସବ ପାଳିତ ହେବ। କାର୍ଯ୍ୟକ୍ରମରେ ପୁଚିଖେଳ, ନୃତ୍ୟ, ଗୀତ, ଝୋଟି, ପିଠାପଣା, ରଜସୁନ୍ଦରୀ ଭଳି ପ୍ରତିଯୋଗିତା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏହି ଉତ୍ସବରେ ଝିଅବୋହୂଙ୍କ ପ୍ରତିଭା ଅନେଷ୍ବଣ କରିବା ଓ ସମସ୍ତଙ୍କ ମଧ୍ୟରେ ଉତ୍ସବର ମ‌ାହୋଲ ତିଆରି କରିବାକୁ ଉଦ୍ୟମ ଚାଲିଛି ବୋଲି ଅନୁଷ୍ଠାନର ଅନୁଷ୍ଠାନର ସାଧାରଣ ସଂପାଦକ ତଥା କର୍ପୋରେଟର ପ୍ରଦୀପ କୁମାର ସାହୁ କହିଛନ୍ତି। ସାରସ୍ବତ ଅନୁଷ୍ଠାନ ‘କଳିଙ୍ଗ ଭାରତୀ ଓ ଉତ୍କଳ ଛାତ୍ର ସାହିତ୍ୟ ସମାଜ’ ପକ୍ଷରୁ ଜୁନ୍‌ ୧୩ ଓ ୧୪ତାରିଖ ଦୁଇ ଦିନ ଧରି ମିସନ୍‌ ରୋଡ୍‌ ଭଞ୍ଜମଣ୍ଡପରେ ରଜ ଉତ୍ସବ ପାଳନ କରାଯିବ। ଅନୁଷ୍ଠାନର ପରାମର୍ଶଦାତା ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦଙ୍କ କହିବା ଅନୁସାରେ, ୧୩ ତାରିଖରେ ସଜବାଜ ପ୍ରତିଯୋଗିତା‌ ହେବ। ଏଥିରେ ପୁଚିଖେଳ, ମେହେନ୍ଦୀ, ମ୍ୟୁଜିକ୍ ଚେୟାର୍‌, ରଜ ପିଠା, ରଜ କୁଆଁରି ଓ ୧୪ତାରିଖ ପହିଲି ରଜରେ ରଜ ପାନ, ରଜ କୁଆଁରି ପ୍ରତିଯୋଗିତା କରାଯିବ। ପ୍ରତିଦିନ ଅପରାହ୍‌ଣ ୪ଟା ୩୦ରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ଓଡ଼ିଶୀ ନୃତ୍ୟ ଓ କବାଡ଼ି ଖେଳ ଆଦି କରାଯିବ ବୋଲି ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି। ବାଦାମବାଡ଼ିସ୍ଥିତ ମହିଳା ସଂଗଠନ ମା’ ଅମ୍ବିକା ମହିଳା ସମିତି ପକ୍ଷରୁ ଆସନ୍ତା ମଙ୍ଗଳବାର ଠାରୁ ୪ଦିନ ବ୍ୟାପୀ ରଜ ମହୋତ୍ସବ ପାଳନ କରାଯିବ। ଏଥିରେ ବାଦାମବାଡ଼ି ଅଞ୍ଚଳର ମହିଳା ଓ ଝିଅମାନଙ୍କୁ ସାମିଲ କରାଯିବ। ସମସ୍ତଙ୍କ ପାଇଁ ‌ଦୋଳି ଖେଳ, ରଜପାନ, ପୋଡ଼ପିଠା କରାଯିବ। ସମିତିର ସଭାନେତ୍ରୀ କିରଣବାଳା ମହାନ୍ତିଙ୍କ କହିବା ଅନୁସାରେ, ଅଞ୍ଚଳର ଝିଅବୋହୂ୍ଙ୍କ ମନରେ ରଜର ମାହୋଲ ସୃଷ୍ଟି କରିବା ସହ ସମସ୍ତଙ୍କ ମଧ୍ୟରେ ଏକତା ଭା‌ବ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସମତିର ୨୫ଜଣ ସଦସ୍ୟ କିଛି ବର୍ଷ ହେଲା ଏଭଳି ଉଦ୍ୟମ ଆରମ୍ଭ କରିଛନ୍ତି। କରୋନା ପାଇଁ ୨ବ‌ର୍ଷ ରଜ ଉତ୍ସବ ବନ୍ଦ ଥିଲା। ପୁଣି ଏକାଠି ହୋଇ ପାଳନ କରିବାର ସୁଯୋଗ ରହିଥିବାରୁ ଏବର୍ଷ ରଜ ବେଶ୍ ଉପଭୋଗୀୟ ହେବ ‌ବୋଲି ସଭାନେତ୍ରୀ ଶ୍ରୀମତୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର