ଚାଉଳିଆଗଂଜରେ ବସ୍ତି ପ୍ରତିବାଦରେ ସୁରକ୍ଷା ମଞ୍ଚର ମହାରାଲି; ଶୁକ୍ରବାର ରାଜରାସ୍ତାକୁ ଓହ୍ଲାଇବାର ଚେତାବନୀ

ଜିଲ୍ଲାପାଳ, ଡିସିପି, ଥାନା ଆଇଆଇସିଙ୍କୁ ଦାବିପତ୍ର; ବସ୍ତି ହେବ... ରୋକ୍‌ଠୋକ୍ ଶୁଣାଇ ଦେଲେ ଜିଲ୍ଲାପାଳ

କଟକ: ଓଏମପି ଷଷ୍ଠ ବାଟାଲିୟନ ଦ୍ବିତୀୟ କ୍ୟାମ୍ପସ୍ ଉଚ୍ଛେଦ ବିବାଦ ଅଧିକ ତୀବ୍ର ହେବାରେ ଲାଗିଛି। ନାଗରିକ ସୁରକ୍ଷା ମଞ୍ଚ ଆଜି କଟକ ଜିଲ୍ଲାପାଳଙ୍କ ସହିତ ଯେଉଁ ଆଲୋଚନା କରିଛି, ଏଥିରେ ଜିଲ୍ଲାପାଳ ନକାରାତ୍ମକ ମତ ଦେଇଛନ୍ତି। ଏହି କ୍ବାର୍ଟର୍ ଉଚ୍ଛେଦ କାର୍ଯ୍ୟକ୍ରମ କୌଣସି ପରିସ୍ଥିତିରେ ବନ୍ଦ କରାଯାଇପାରିବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ ଭାବେ ଶୁଣାଇ ଦେଇଛନ୍ତି। ଏଣୁ ମଞ୍ଚ ପକ୍ଷରୁ ଆସନ୍ତା ଶୁକ୍ରବାର ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ଏହା ସହିତ ଦ୍ବିତୀୟ କ୍ୟାମ୍ପସ୍ ଭିତରେ ବସ୍ତି ପାଇଁ ଚାଲିଥିବା କାର୍ଯ୍ୟକ୍ରମକୁ ବନ୍ଦ କରାଯିବାକୁ ଚେତାବନୀ ବି ଦିଆଯାଇଛି। ସୂଚନା ଅନୁଯାୟୀ, ଓଏମପି ଷଷ୍ଠ ବାଟାଲିୟନର ଦ୍ବିତୀୟ କ୍ୟାମ୍ପସ ଭିତରେ ଥିବା ୧୫୬ କ୍ବାର୍ଟର ଉଚ୍ଛେଦକୁ ବିରୋଧ କରି ଗଠନ କରାଯାଇଥିବା ନାଗରିକ ସୁରକ୍ଷା ମଞ୍ଚ ଆଜି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟକୁ ଏକ ବାଇକ୍ ରାଲିରେ ଯାଇଥିଲା। ପ୍ରାୟ ୩୦୦ରୁ ଅଧିକ ମହିଳା ଓ ପୁରୁଷ ରାଲିରେ ଯାଇଥିଲେ।

ଏ ପ୍ରସଂଗରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା ପାଇଁ କାର୍ଯ୍ୟାଳୟ ଭିତରକୁ ୩୦ରୁ ଅଧିକ ଲୋକଙ୍କୁ ଡକାଯାଇଥିଲା। ମଞ୍ଚର ଗୋଟିଏ ଦାବି ଥିଲା କି କ୍ୟାମ୍ପସ୍ ଭିତରେ ବସ୍ତି ନହେଉ। ଜିଲ୍ଲାପାଳ ଏହି ପ୍ରସ୍ତାବକୁ ମନା କରିଦେଇଥିଲେ। ଜିଲ୍ଲାପାଳ କହିଥିଲେ ଯେ ଅସ୍ଥାୟୀ ଭାବେ ବସ୍ତିକୁ କ୍ୟାମ୍ପସ୍ ଭିତରକୁ ଅଣାଯିବ। ପରେ ସୁବିଧା ସୁଯୋଗ ଦେଖି ବସ୍ତିକୁ ସ୍ଥାନାନ୍ତର କରାଯିବ। ଅନ୍ୟପଟେ ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ ମଞ୍ଚର ସଦସ୍ୟ ଡିିସିପିଙ୍କ କାର୍ଯ୍ୟାଳୟକୁ ଯାଇଥିଲେ।

Sambad

ଡିସିପିଙ୍କ ଅନୁପସ୍ଥିତିରେ ଏଡିସିପି ପ୍ରମୋଦ ରଥଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଶେଷରେ ଚାଉଳିଆଗଞ୍ଜ ଆଇଆଇସି ତାପସ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଆଲୋଚନା ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ବେଳେ ସୁରକ୍ଷା ମଞ୍ଚ ଆଗାମୀ ଶୁକ୍ରବାର ଦିନ ରାଜରାସ୍ତାକୁ ଓହ୍ଲାଇବ।

ଏଥିରେ ପୂର୍ବାଞ୍ଚଳର ସମସ୍ତ ପୂଜା କମିଟି ସହିତ ସାହି ବାସିନ୍ଦା ସାମିଲ ହେବା ନେଇ ସୂଚନା ମିଳିଛି। ଆଜି ଜିଲ୍ଲାପାଳଙ୍କ ସହିତ ଆଲୋଚନାରେ ଚୌଦ୍ବାର-କଟକ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ସମେତ ଚାଉଳିଆଗଞ୍ଜ ପୂଜା କମିଟି ସମ୍ପାଦକ ନିରଞ୍ଜନ ସାହୁ(ଶିବ), ପୂର୍ବତନ କର୍ପୋରେଟର ଚିରଞ୍ଜୟ ସାହୁ, ପ୍ରମୋଦ ସାହୁ, ଉଦୟନାଥ ବେହେରା, ଚତୁର୍ଭୂଜ ସାହାଣି, ନିରଞ୍ଜନ ସାହୁ(ଚଗଲା), ଟୁକୁନା ପୃଷ୍ଟି, ନରେନ୍ଦ୍ର ପାତ୍ର, ସୁକାନ୍ତ ସାହାଣି, ସୁରଜିତ ସାହୁ, ମନୋଜ ସାହୁ, ସୀତା ସାହୁ, ମିନା ସାହୁ, ଲିପିକା ରାୟ, ଜଗନ୍ନାଥ ମଲ୍ଲିକ, ଅରକ୍ଷିତ ସାହୁ, ସୁରେନ୍ଦ୍ରନାଥ ସାହୁ, ଶିବ କୁମାର ସାହୁ, ଜଟିଆ ପାତ୍ର, ସାନୁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର