ରାଣୀହାଟ ହାଇସ୍କୁଲ୍‌ ପ୍ରଧାନଶିକ୍ଷୟିତ୍ରୀଙ୍କ ଦୁର୍ବ୍ୟବହାରରେ ଶିକ୍ଷକ ଗୁରୁତର ଘଟଣା

ଘଟଣାର ତଦନ୍ତ ଆରମ୍ଭ; ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ: ଜିଲ୍ଲା ଶିକ୍ଷାଧିକାରୀ

କଟକ: ରାଣୀହାଟ ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀଙ୍କ ନିର୍ଯାତନା ଓ ଦୁର୍ବ୍ୟବହାର ସହି ନପାରି ଗୁରୁତର ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିବା ସେହି ସ୍କୁଲର ବରି‌ଷ୍ଠ ଶିକ୍ଷକ ଅମୀୟ କୁମାର ମହାପାତ୍ରଙ୍କ ଘଟଣାର ଆଜି ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। କଟକ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କ ନି‌ର୍ଦ୍ଦେଶରେ ବିଡ଼ାନାସୀ ମ୍ୟୁନିସପାଲ୍ ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ଅଭିଜିତା ଭାସ୍କର ଆଜି ଘଟଣାର ତଦନ୍ତ କରିଛନ୍ତି। ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଭାସ୍କର ଆଜି ରାଣୀହାଟ ହାଇସ୍କୁଲକୁ ଯାଇ ଘଟଣା ସମୟରେ ଉପସ୍ଥିତ ଥିବା ୮ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ପଚରାଉଚରା କରି ସେମାନଙ୍କ ବୟାନ ସଂଗ୍ରହ କରିଛନ୍ତି। କିନ୍ତୁ ପଚରାଉଚରା ସମୟରେ ଘଟଣାସ୍ଥଳରେ ରାଣୀହାଟ ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ନିଜେ ଉପସ୍ଥିତ ରହିବାକୁ ନେଇ ସଂପୃକ୍ତ ସ୍କୁଲ ଶିକ୍ଷକଶିକ୍ଷିକାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାରୁ ପ୍ରକାଶ, ଗତକାଲି ରାଣୀହାଟ ହାଇସ୍କୁଲର ବରିଷ୍ଠ ଶିକ୍ଷକ ଅମୀୟ ମହାପାତ୍ର ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ସମୟରେ ସଂପୃକ୍ତ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ତାଙ୍କୁ ମାନସିକ ନିର୍ଯାତନା ଦେବା ସହ ଦୁର୍ବ୍ୟବହାର କରିଥିଲେ। ଏହି କାରଣରୁ ଶ୍ରୀ ମହାପାତ୍ର ସ୍କୁଲରେ ଗୁରୁତର ଅସୁସ୍ଥ ଅନୁଭବ କରିବା ସହ ବିଦ୍ୟାଳୟରେ ସଂଜ୍ଞାହୀନ ହୋଇ ଟଳି ପଡ଼ିଥିଲେ। ଅନ୍ୟ ଶିକ୍ଷକମାନେ ଆମ୍ବୁଲାନ୍ସ ଡକାଇବା ସହ ତାଙ୍କ ପରିବାରକୁ ଖବର ଦେଇଥିଲେ। ଶ୍ରୀ ମହାପାତ୍ରଙ୍କୁ ପ୍ରଥମେ ବଡ଼ ମେଡିକାଲ ଓ ପରେ ଏକ ଘରୋଇ ଚିକିତ୍ସାଳୟକୁ ନିଆଯାଇଥିଲା।

ତାଙ୍କର ବ୍ରେନ୍‌ ଷ୍ଟ୍ରୋକ୍ ହୋଇଥିବା ବେଳେ ସେ ଏବେ ଆଇସିୟୁରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଶିକ୍ଷକ ଶ୍ରୀ ମହାପାତ୍ରଙ୍କ ପୁ୍ଅ ସୌମ୍ୟ ମହାପାତ୍ରଙ୍କ କହିବା ଅନୁସାରେ, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ତାଙ୍କୁ କିଛି କ୍ଲରିକାଲ କାମ ଦେବା ସହ କାମ ନ କରିଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦ‌େଇଥିଲେ। ଏପରିକି ବରି‌‌ଷ୍ଠ ଶିକ୍ଷକ ଶ୍ରୀ ମହାପାତ୍ର କାମ କରିବା ପରେ ତାଙ୍କୁ ପ୍ରଧାନଶିକ୍ଷୟିତ୍ରୀ ଦୁର୍ବବ୍ୟବହାର କରିଥିଲେ। ଏଥିରେ ବିବ୍ରତ ହୋଇ ଶ୍ରୀ ମହାପାତ୍ର ସ୍କୁଲରେ ସଂଜ୍ଞାହୀନ ହୋଇ ପଡ଼ିଯାଇଥିଲେ ‌ବୋଲି ପୁଅ ସୌମ୍ୟ କହିଛନ୍ତି। କୌଣସି କାରଣ ନଥାଇ ପ୍ରଧାନଶିକ୍ଷୟିତ୍ରୀ ତାଙ୍କୁ ଅଫିସକୁ ଡକାଇ ଗାଳିଗୁଲଜ କରିବା ଫଳରେ ଉଚ୍ଚ ରକ୍ତଚାପରେ ପୀଡିତ ହୋଇ ତାଙ୍କର ଏପରି ଅବସ୍ଥା ହୋଇଛି ବୋଲି ପୁଅ ସୌମ୍ୟ ଅଭିଯୋଗ କରିଛନ୍ତି। ବିଦ୍ୟାଳୟର ଜଣେ ବରି‌ଷ୍ଠ ଶିକ୍ଷକଙ୍କ କହିବା ଅନୁସାରେ, ଅମୀୟ ମହାପାତ୍ର ପ୍ରଧାନଶିକ୍ଷକଙ୍କ ପ୍ରକୋଷ୍ଠରୁ ଫେରିବା ପରେ ସଂଜ୍ଞାହୀନ ହୋଇ ପଡ଼ି ଯାଇଥିଲେ। ଅନ୍ୟ ଶିକ୍ଷକମାନେ ଆମ୍ବୁଲାନ୍ସ ଡାକି ତାଙ୍କୁ ଚିକିତ୍ସା ପାଇଁ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀ ଅଞ୍ଜୁଲତା ବେହେରା କ’ଣ ପାଇଁ ଆମ୍ବୁଲାନ୍ସ ଡକାଗଲା ଓ ଅମୀୟ ସାର୍‌ ଅଭିନୟ କରୁଛନ୍ତି ବୋଲି କହି ଚାଲି ଯାଇଥିଲେ। ଏ ସଂକ୍ରାନ୍ତରେ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି ଯେ, ରାଣୀହାଟ ହାଇସ୍କୁଲ ଘଟଣା ଜଣାପଡ଼ିବା ପରେ ଆଜି ଜଣେ ବରିଷ୍ଠ ପ୍ରଧାନଶିକ୍ଷୟିତ୍ରୀଙ୍କ ଦ୍ବାରା ଘଟଣାର ତଦନ୍ତ ହୋଇଛି। ତଦନ୍ତ ରିପୋର୍ଟ ବିଷୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ଓ ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର