ରେଭେନ୍ସା ବିଶ୍ବବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟାକୁ ନେଇ ଦ୍ବନ୍ଦ୍ବ: ଡ଼ାକଯୋଗେ ମୂଳ ପ୍ରମାଣପତ୍ର ଦେବାକୁ ନିର୍ଦେଶ

ସମୟରେ ନ ପହଞ୍ଚିଲେ ବାଦ୍‌ ପଡ଼ିବେ ଛାତ୍ରଛାତ୍ରୀ

କଟକ: କରୋନା ମହାମାରୀ ପାଇଁ ଚଳିତ ବର୍ଷ ବିଶ୍ବବିଦ୍ୟାଳୟଗୁଡ଼ିକରେ ବିଳମ୍ବରେ ନାମ ଲେଖା କରାଯାଉଛି। ବିଭିନ୍ନ ବିଶ୍ବବିଦ୍ୟାଳୟ ଓ କଲେଜ ଗୁଡ଼ିକରେ ସାମ୍ସ ମାଧ୍ୟମରେ ଅନ୍‌ଲାଇନ୍‌ ନାମ ଲେଖା କାମ ଚାଲୁଛି।  କରୋନା କଟକଣା ମଧ୍ୟରେ ଛାତ୍ରଛାତ୍ରୀଙ୍କ ସମସ୍ତ ମୂଳ ପ୍ରମାଣପତ୍ରକୁ କଲେଜ କିମ୍ବା ବିଶ୍ବବିଦ୍ୟାଳୟ ଯାଞ୍ଚ କରାଇ ନେଉଛନ୍ତି। କିନ୍ତୁ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ବିଶ୍ବବିଦ୍ୟାଳୟର ପ୍ରଥମ ଯୋଗ୍ୟତା ତାଲିକା ଗତ ୩୦ ସେପ୍ଟେମ୍ବରରେ ବାହାରିଥିଲା।

ଏଥିରେ ୩ ଅକ୍ଟୋବର ସୁଦ୍ଧା ଅନ୍‌ଲାଇନ୍‌ରେ ଫି ଦାଖଲ କରି ୧୫ ଅକ୍ଟୋବର ସୁଦ୍ଧା ସମସ୍ତ ମୂଳ ପ୍ରମାଣପତ୍ରକୁ ସ୍ପିଡ୍‌ ପୋଷ୍ଟ ମାଧ୍ୟମରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚାଇବାକୁ କୁହାଯାଇଛି। ଯେଉଁମାନଙ୍କ ମୂଳ ପ୍ରମାଣପତ୍ର ସମୟ ମଧ୍ୟରେ ପହଞ୍ଚିବ ନାହିଁ, ସେମାନଙ୍କୁ ନାମ ଲେଖା ପ୍ରକ୍ରିୟାରୁ ବାଦ କରାଯିବ ବୋଲି କୁହାଯାଇଛି। ସେହିପରି ଦ୍ବିତୀୟ ଯୋଗ୍ୟତା ତାଲିକା ଚଳିତ ମାସ ୮ ତାରିଖରେ ପ୍ରକାଶ ପାଇଛି। ଏଥିରେ ଆସନ୍ତା ୧୧ ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି ଦାଖଲ କରିବା ସହିତ ଆସନ୍ତା ୨୧ ତାରିଖ ମଧ୍ୟରେ ମୂଳ ପ୍ରମାଣପତ୍ର ସ୍ପିଡ ପୋଷ୍ଟରେ ଦେବାକୁ କୁହାଯାଇଛି। ଯେଉଁ ମାନଙ୍କର ମୂଳ ପ୍ରମାଣ ପତ୍ର ଧାର୍ଯ୍ୟ ତାରିଖ ମଧ୍ୟରେ ପହଞ୍ଚିବ ନାହିଁ, ସେମାନଙ୍କୁ ନାମ ଲେଖା ପ୍ରକ୍ରିୟାରୁ ବାଦ ଦିଅ‌ାଯିବ ବୋଲି ରେଭେନ୍ସା କର୍ତ୍ତୃପକ୍ଷ କହିଛନ୍ତି।

ଏହା ବିଶ୍ବବିଦ୍ୟାଳୟର ୱେବ୍‌ସାଇଟ୍‌ରେ ନଥିଲେ ମଧ୍ୟ ଅନ୍ୟ ଏକ ପରିଚ୍ଛେଦରେ ଦର୍ଶାଯାଇଥିବା ପ୍ରକାଶ କୁମାର ପଣ୍ଡା କହିଛନ୍ତି। ସ୍ପିଡ୍‌ପୋଷ୍ଟ ମାଧ୍ୟମରେ ମୂଳ ପ୍ରମାଣପତ୍ରକୁ ଦେବାକୁ ଅନେକ ଅଭିଭାବକ ଓ ଛାତ୍ରଛାତ୍ରୀ ଭୟ କରୁଥିବା ବେଳେ ସେଗୁଡିକ ହଜିଗଲେ ତାହାର ଉତ୍ତରଦାୟୀ କିଏ ରହିବେ ବୋଲି ଶ୍ରୀ ପଣ୍ଡା କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି। କରୋନା ସଂକ୍ରମଣକୁ ଦେଖି ବିଶ୍ବବିଦ୍ୟାଳୟ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯାଇ ସେମାନଙ୍କୁ ସ୍ପିଡ୍‌ପୋଷ୍ଟ ମାଧ୍ୟମରେ ସେମାନଙ୍କ ପ୍ରମାଣପତ୍ରକୁ ଦେବାକୁ କୁହାଯାଇଛି ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର