କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଶିକ୍ଷାଦାନ ଅପେକ୍ଷା ଅଣଶିକ୍ଷା ‘ନନ୍ ଟିଚିଂ’ କାମରେ ପୂର୍ଣ୍ଣ ସମୟ ନିୟୋଜିତ କରାଯାଇଛି। ବିଶ୍ବବିଦ୍ୟାଳୟର ବିଭିନ୍ନ ନନ୍ ଟିଚିଂ ପଦବି ଉପଯୁକ୍ତ ପେସାର ଲୋକଙ୍କୁ ରଖାଯିବା ବଦଳରେ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ରଖାଯାଇଛି। ପାଠପଢ଼ା ବଦଳରେ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଅଣଶିକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଥିବାରୁ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ ଠାରୁ ଆରମ୍ଭ କରି ରିସର୍ଚ, ପବ୍ଲିକେସନ୍ ଓ ପ୍ରକଳ୍ପ ଆଦି କାମରେ ବାଧା ସୃଷ୍ଟି ହେଉଛି। ରେଭେନ୍ସାରେ ଅଧ୍ୟାପକଙ୍କ ଅଭାବ ଥିବା ସମୟରେ ଯେଉଁ ଅଳ୍ପ କେତେଜଣ ସ୍ଥାୟୀ ଅଧ୍ୟାପକ ଅଛନ୍ତି ସେମାନଙ୍କୁ ବିଭିନ୍ନ କାମରେ ବ୍ୟବହାର କରାଯାଉଥିବାରୁ ବିଶ୍ବବିଦ୍ୟାଳୟ ଶିକ୍ଷାର ମାନ କମୁଥିବା ଅଭିଯୋଗ ହୋଇଛି। ରେଭେନ୍ସାରେ ଦୀର୍ଘବର୍ଷ ଧରି ଅଧ୍ୟାପକଙ୍କ ଅଭାବ ରହିଛି। ବିଶ୍ବବିଦ୍ୟାଳୟରେ ୨୬୬ଟି ସ୍ଥାୟୀ ଅଧ୍ୟାପକ ପଦବି ଥିବା ବେଳେ ଏବେ ଅଛନ୍ତି ମାତ୍ର ୭୪ଜଣ ଅଧ୍ୟାପକ। ସେମାନଙ୍କୁ ନେଇ ସ୍ନାତକ, ସ୍ନାତକୋତ୍ତର, ଏମ୍ଫିଲ୍ ଓ ପିଏଚ୍ଡି ପାଠ୍ୟକ୍ରମରେ ଶିକ୍ଷା ଦିଆଯାଉଛି। ଅଧ୍ୟାପକ ଅଭାବ ଯୋଗୁଁ କର୍ତ୍ତୃପକ୍ଷ ଅସ୍ଥାୟୀ ଓ ନିମନ୍ତ୍ରିତ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନେଇ କାମ ଚଳାଇଛନ୍ତି। ସେପଟେ ରେଭେନ୍ସାରେ ଥିବା ୭୪ଜଣ ସ୍ଥାୟୀ ଅଧ୍ୟାପକଙ୍କୁ ଶିକ୍ଷାଦାନ ସହ ବିଶ୍ବବିଦ୍ୟାଳୟର ବିଭିନ୍ନ ଅଣଶିକ୍ଷା କାମରେ ‘ଫୁଲ୍ଟାଇମ୍’ ଭାବେ ନିୟୋଜିତ କରାଯାଇଛି।
ବିଶ୍ବବିଦ୍ୟାଳୟ ଡେଭେଲପମେଣ୍ଟ ଅଫିସର୍, ଡେପୁଟି ଓ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର୍, ଆସିଷ୍ଟାଣ୍ଟ ଓ ଡେପୁଟି କଣ୍ଟ୍ରୋଲର ଅଫ୍ ଏକ୍ଜାମିନେସନ୍, ସିକ୍ୟୁରିଟ୍ ଇନ୍ଚାର୍ଜ, ଲାଇବ୍ରେରି ଇନ୍ଚାର୍ଜ, ପାୱାରହାଉସ୍ ଇନ୍ଚାର୍ଜ, ଗେଷ୍ଟ ହାଉସ୍ ଇନ୍ଚାର୍ଜ ପରି ବହୁ ପଦବିରେ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନିୟୋଜିତ ରଖାଯାଇଛି। ଏହି ସମସ୍ତ ପଦବିରେ ଶିକ୍ଷାଦାନ କରୁ ନଥିବା ବ୍ୟକ୍ତିଙ୍କୁ ନିଯୁକ୍ତି କରବା ପାଇଁ ରେଭେନ୍ସା ନିୟମରେ ରହିଛି। ମାତ୍ର ବିଶ୍ବବିଦ୍ୟାଳୟ ପକ୍ଷରୁ ଶିକ୍ଷାଦାନ କରୁଥିବା ଅଧ୍ୟାପକଙ୍କୁ ଏଥିରେ ନିଯୁକ୍ତି କରାଯାଇଛି। ଏପରିକି ରେଭେନ୍ସା ଦ୍ବିତୀୟ କ୍ୟାମ୍ପସ୍ରେ ଶହ ଶହ କୋଟି ଟଙ୍କାର କାମ ଚାଲିଥିବା ବେଳେ ଏହାର ତଦାରଖ କରିବାକୁ ବିଶ୍ବବିଦ୍ୟାଳୟର ନିଜସ୍ବ ଇଂଜିନିୟର ନାହାନ୍ତି। ବିଶ୍ବବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଅଣଶିକ୍ଷା କାମରେ ବ୍ୟବହାର କରାଯାଉଥିବାରୁ ଶିକ୍ଷାଦାନ, ଗବେଷଣା, ପ୍ରୋଜେକ୍ଟ, ବୁକ୍ କିମ୍ବା ଜର୍ନାଲ ପବ୍ଲିକେସନ୍ ଆଦି କାମ ପାଇଁ ସେମାନଙ୍କୁ ଯଥେଷ୍ଟ ସମୟ ମିଳୁ ନଥିବା ଅଭିଯୋଗ ହୋଇଛି। ସ୍ଥାୟୀ ଅଧ୍ୟାପକଙ୍କୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବା ପାଇଁ ଯଥେଷ୍ଟ ସମୟ ମିଳୁନାହିଁ। ଏପରି ସ୍ଥିତିରେ ସରକାର ଓ ରେଭେନ୍ସା କର୍ତ୍ତୃପକ୍ଷ ‘ନନ୍ ଟିଚିଂ’ ଅଧିକାରୀ ଓ କର୍ମଚାରୀ ନିୟୋଜିତ କରିବା ସହ ଅଧ୍ୟାପକଙ୍କୁ ଶିକ୍ଷାଦାନ କ୍ଷେତ୍ରରେ ସମୟ ଦେବାକୁ ସୁଯୋଗ ଦେବାକୁ ସାଧାରଣରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/RAVENSHAW-2082235.jpg)