କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟର ବିଭିନ୍ନ ସେଲଫ୍ ଫାଇନାନ୍ସିଂ ବିଭାଗରେ କାର୍ଯ୍ୟ କରୁଥିବା ଠିକା ବା ଅସ୍ଥାୟୀ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ବଢୁନି ଦରମା। ଏପରିକି ବିଶ୍ବବିଦ୍ୟାଳୟ ପକ୍ଷରୁ ଦରମା ବୃଦ୍ଧି ପାଇଁ ପ୍ରସ୍ତାବ ପାସ୍ ହୋଇଥିଲେ ବି ଏହାକୁ ପାଳନ କରିବାକୁ କର୍ତ୍ତୃପକ୍ଷ ଗୁରୁତ୍ବ ଦେଉ ନଥିବାର ଅଭିଯୋଗ ହୋଇଛି। ରେଭେନ୍ସାରେ କାମ କରୁଥିବା ଠିକା ଅଧ୍ୟାପକଙ୍କ ଦରମା ୨୦୧୬ରେ ଶେଷଥର ପାଇଁ ବଢିଥିବା ବେଳେ ଗତ ୬ବର୍ଷ ମଧ୍ୟରେ ଏ ଦିଗରେ କର୍ତ୍ତୃପକ୍ଷ ହାତ ବାନ୍ଧି ବସିଛନ୍ତି। ଦରମା ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ ଦରମା ନ ବଢିବାକୁ ନେଇ କର୍ତ୍ତୃପକ୍ଷ ମୁହଁ ଖୋଲୁ ନଥିବାରୁ ବିଶ୍ବବିଦ୍ୟାଳୟର ଅସ୍ଥାୟୀ ଅଧ୍ୟାପକ ଓ ଅଧ୍ୟାପିକା ଏବେ ଆଶଙ୍କା ମଧ୍ୟରେ ଅଛନ୍ତି। ରେଭେନ୍ସା ସେଲ୍ଫ ଫାଇନାନ୍ସିଂ ବିଭାଗର ଅସ୍ଥାୟୀ ଅଧ୍ୟାପକଙ୍କ ଦରମା ପ୍ରତିବର୍ଷ ୫ ପ୍ରତିଶତ ବଢିବ ଓ ପରଫରମାନ୍ସ ବେସ୍ଡ ଆସେସ୍ମେଣ୍ଟରେ ରିନୁଆଲ କରାଯିବ ବୋଲି ୨୦୧୬ରେ ଏକ୍ଜିକ୍ୟୁଟିଭ୍ କାଉନସିଲ୍(ଇସି)ରେ ନିଷ୍ପତ୍ତି ନିଆଯାଇଥିଲା। ସେହିବର୍ଷ ଇସି ନିଷ୍ପତ୍ତି ଅନୁସାରେ ଠିକା ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଚାକିରି ରିନୁଆଲ କରାଯିବା ସହିତ ଦରମା ବଢିଥିଲା। ମାତ୍ର ଏହା ପରଠାରୁ ସେମାନଙ୍କ ଦରମା ବୃଦ୍ଧି କରିବା ଦିଗରେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନାହାନ୍ତି। ପ୍ରତିବର୍ଷ ବିଶ୍ବବିଦ୍ୟାଳୟର ୫ଟି ସେଲ୍ଫ ଫାଇନାନ୍ସିଂ ବିଭାଗରୁ ୧୧ କୋଟିରୁ ଅଧିକ ଟଙ୍କା ରେଭେନ୍ସା ଆୟ କରୁଛି। ୫ଟି ବିଭାଗର ୩୬ଜଣ ଠିକା ଅଧ୍ୟାପକଙ୍କୁ ଏହାର ମାତ୍ର ୧୦ରୁ ୧୨ ପ୍ରତିଶତ ଦରମା ଆକାରରେ ଦିଆଯାଉଥିବା ବେଳେ ବାକି ଟଙ୍କା କୁଆଡେ ଯାଉଛି ବୋଲି ସାଧାରଣରେ ପ୍ରଶ୍ନ ହୋଇଛି।
ଅନ୍ୟପଟେ ଦରମା ବୃଦ୍ଧି କରିବାକୁ କର୍ତ୍ତୃପକ୍ଷଙ୍କୁ କହିଲେ ଅନ୍ୟ ବିଶ୍ବବିଦ୍ୟାଳୟକୁ ଚାଲିଯିବାକୁ କହୁଥିବାର କିଛି ଅଧ୍ୟାପକ ଓ ଅଧ୍ୟାପିକା ଅଭିଯୋଗ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ ଓ ବିପିୟୁଟିରେ ସମାନ ବିଭାଗରେ କାମ କରୁଥିବା ଠିକା ଅଧ୍ୟାପକଙ୍କୁ ୬୫ରୁ ୫୦ ହଜାର ଟଙ୍କା ଦରମା ବାବଦରେ ମିଳୁଥିବା ବେଳେ ରେଭେନ୍ସାର ଅସ୍ଥାୟୀ ଅଧ୍ୟାପକଙ୍କୁ ୩୦ରୁ ୩୩ ହଜାର ଟଙ୍କା ମିଳୁଛି। ଦରମା ବୃଦ୍ଧି ପାଇଁ ବାରମ୍ବାର ଦାବି ହେବା ପରେ ଏହାକୁ ବିଚାର କରି ଗତ ଜୁନ୍ ୭ ତାରିଖରେ ବିଶ୍ବବିଦ୍ୟାଳୟର କୁଳସଚିବ, ପିଜି କାଉନସିଲ୍ ଅଧ୍ୟକ୍ଷା, ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ଓ ବିତ୍ତିୟ ଅଧିକାରୀ (ସିଓଏଫ୍)ଙ୍କୁ ନେଇ ଏକ ବୈଠକ ଡକାଯାଇ ଠିକା ଅଧ୍ୟାପକଙ୍କ ଦରମା ବୃଦ୍ଧି କରିବାକୁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥିରେ ବିପିୟୁଟିର ଠିକା ଅଧ୍ୟାପକଙ୍କୁ ମିଳୁଥିବା ଦରମାକୁ ୨୦୨୨ ଜୁଲାଇରୁ ରେଭେନ୍ସାରେ ଲାଗୁ କରିବାକୁ କୁହାଯିବା ସହ ଏକ ନିର୍ଦ୍ଦେଶାନାମା ଜାରି କରାଯାଇ ସମସ୍ତଙ୍କୁ ଅବଗତ କରାଯିବ ବୋଲି ଏଥିରେ ନିଷ୍ପତ୍ତି ନିଆଗଲା। ମାତ୍ର ଏହାକୁ ରେଭେନ୍ସା କର୍ତ୍ତୃପକ୍ଷ କାର୍ଯ୍ୟକ୍ଷମ କରିବାକୁ ଏବେ ଭୁଲି ଯାଇଛନ୍ତି। ଏନେଇ ବିଶ୍ବବିଦ୍ୟାଳୟ କୁଳପତି ଓ ପିଜି କାଉନସିଲ୍ ଅଧ୍ୟକ୍ଷାଙ୍କ ମତାମତ ଲୋଡିବାରୁ ଏହା ଉପରେ କୌଣସି ମତାମତ ରଖିବେ ନାହିଁ ବୋଲି ସେମାନେ କହିଛନ୍ତି। ଦରମା ବୃଦ୍ଧି ପ୍ରସ୍ତାବ ପାସ୍ ହେବାପରେ ଏହାକୁ ନେଇ କର୍ତ୍ତୃପକ୍ଷ ନିରବ ରହିବା ବହୁ ବର୍ଷ ଧରି ଅଳ୍ପ ଦରମାରେ ରେଭେନ୍ସାରେ କାମ କରୁଥିବା ଠିକା ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/RAVENSHAW-2093047.jpg)