କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ କାଠଯୋଡ଼ି ଛାତ୍ରୀ ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଥିବା ବେଳେ ଏବେ ଖାଦ୍ୟରୁ ପୋକ ବାହାରିବାକୁ ନେଇ ଅନ୍ତେବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢି ଚାଲିଛି। ଖାଦ୍ୟରେ ଦିଆଯାଉଥିବା ପରିବା ତରକାରୀ ଓ ଦହିବୁନ୍ଦିରେ ପୋକ ବାହାରୁଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ହଷ୍ଟେଲର ମେସ୍ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ବାହାର କରାଯିବା ସହିତ ଆସନ୍ତା ୩ ତାରିଖରୁ ଅନ୍ତେବାସୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ଖାଦ୍ୟ ପ୍ରସ୍ତୁତ କରିବାକୁ କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି। ବିଗତ ଦିନରେ ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉ ଥିବାର ଅଭିଯୋଗ କରି ଅନ୍ତେବାସୀ କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ।
ଖାଦ୍ୟମାନରେ ଉନ୍ନତି ଆଣିବାକୁ ଛାତ୍ରୀମାନେ ଦାବି କାରୁଥିବା ବେଳେ ଏବେ ସେଥିରୁ ପୋକ ବାହାରିବାକୁ ନେଇ ଅନ୍ତେବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କର୍ତ୍ତୃପକ୍ଷଙ୍କୁ ଏନେଇ ଅଭିଯୋଗ କରିବା ପରେ ହଷ୍ଟେଲର ମେସ୍ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ତୁରନ୍ତ କାମରୁ ବାହାର କରି ଦିଆଯିବା ସହିତ ଆସନ୍ତା ୩ ତାରିଖରୁ ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଖାଦ୍ୟ ପ୍ରସ୍ତୁତ କରିବାକୁ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ଅନ୍ତେବାସୀମାନେ କହିଛନ୍ତି।