ରେଭେନ୍ସାର ‘ଇଷ୍ଟ’ ଓ ‘ୱେଷ୍ଟ’କୁ ୧୦୦: ସାହିତ୍ୟ, ସଂସ୍କୃତି, ରାଜନୀତିର ଅନ୍ତୁଡ଼ିଶାଳ

କଟକ: ଐତିହାସିକ ରେଭେନ୍ସା ବିଶ୍ବବିଦ୍ୟାଳୟର ଦୁଇ ଐତିହାସିକ ହଷ୍ଟେଲ ଇଷ୍ଟ୍‌ (ପୂର୍ବ) ଓ ୱେଷ୍ଟ୍‌ (ପଶ୍ଚିମ) ଛାତ୍ରାବାସକୁ ପୂରଣ କରିବାକୁ ଯାଉଛି ଶହେ ବର୍ଷ। ୧୯୨୧ରେ ରେଭେନ୍ସା କଲେଜର ମୂଳ କୋଠାର ଉଭୟ ପାର୍ଶ୍ବରେ ନିର୍ମିତ ହୋଇଥିବା ଏହି ଦୁଇଟି ହଷ୍ଟେଲ ବହୁ ଐତିହାସିକ ଘଟଣାର ମୂକ ସାକ୍ଷୀ ହୋଇ ରହିଛି। ରାଜ୍ୟ ତଥା ଦେଶର ସାହିତ୍ୟ, ସଂସ୍କୃତି ଓ ରାଜନୀତିକୁ ବାଟ ଦେଖାଇଛି ଏହି ହଷ୍ଟେଲ। ‘ଇଷ୍ଟ୍‌’ ହଷ୍ଟେଲ୍ ପ୍ରତିଷ୍ଠା ସହିତ ଆତ୍ମପ୍ରକାଶ କରିଥିଲା ଏହାର ମୁଖପତ୍ର ‘ଜାଗରଣ’। ‘ଜାଗରଣ’ ବି ଏହି ଅବସରରେ ଶହେ ବର୍ଷ ପୂର୍ତ୍ତି ପାଳନ କରୁଛି। ଅନ୍ୟପଟେ ‘ୱେଷ୍ଟ୍‌’ ହଷ୍ଟେଲର ମୁଖପତ୍ର ‘ଉର୍ମି’ ଆତ୍ମପ୍ରକାଶ କରିଥିଲା ୧୯୨୭ ମସିହାରେ। ଏହି ଦୁଇଟି ମୁଖପତ୍ରରେ ଲେଖନୀ ଚାଳନା ଆରମ୍ଭ କରି ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିବା ଅନେକ ଦିଗ୍‌ଗଜଙ୍କ ସ୍ମୃତି ଏହି ‌‌ଦୁଇଟି ହଷ୍ଟେଲ ସହ ଜଡ଼ିତ ହୋଇ ରହିଛି। ଇ‌ଷ୍ଟ୍ ହଷ୍ଟେଲରେ ଦିନେ ଆତ୍ମପ୍ରକାଶ କରିଥିବା ‘ଅବକାଶ’ ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟରେ ନୂତନ ଯୁଗର ବାହକ ହୋଇଥିଲେ। ଓଡ଼ିଆ ସାହିତ୍ୟ ଜଗତରେ ନୂତନ ପରଂପରା ଓ ଧାରା ସୃଷ୍ଟି କରିଥିବା ସବୁଜ ଯୁଗର କବି ଅନ୍ନଦା ଶଙ୍କର ରାୟ, କାଳିନ୍ଦୀଚରଣ ପାଣିଗ୍ରାହୀ, ଶରତ ଚନ୍ଦ୍ର ମୁଖାର୍ଜୀ (ସେମାନଙ୍କ ବଂଧୁ ଥିଲେ‌ ବୈକୁଣ୍ଠ ପଟ୍ଟନାୟକ) ଥିଲେ ଇଷ୍ଟ୍ ହଷ୍ଟେଲର ଅନ୍ତେବାସୀ। କାଳିନ୍ଦୀ ପାଣିଗ୍ରାହୀ, ରମାକାନ୍ତ ରଥ, ଲଳିତ ମାନସିଂହ, ସୀତାକାନ୍ତ ମହାପାତ୍ରଙ୍କ ଭଳି ବିଭିନ୍ନ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବ୍ୟକ୍ତିବିଶେଷ। ସେହିପରି ୱେଷ୍ଟ୍ ହଷ୍ଟେଲରେ ରହୁଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ମାୟାଧାର ମାନସିଂହ, ଗୋକୁଳ ଚନ୍ଦ୍ର ପତି, ସୁଭାଷ ଖୁଣ୍ଟିଆ, ମହେନ୍ଦ୍ର କୁମାର ରାଉତ, ଅମୂଲ୍ୟ ପଣ୍ଡାଙ୍କ ଭଳି ଅନେକ ଦିଗ୍‌ଗଜ।

Sambad

ଇଷ୍ଟ୍‌ରେ ଏବେ ୧୮୩ ଜଣ ଛାତ୍ରଙ୍କ ପାଇଁ ରହିବା ବ୍ୟବସ୍ଥା ଅଛି। ଅନ୍ତେବାସୀଙ୍କ ପାଇଁ ୩୨ଟି ସିଙ୍ଗିଲ୍‌ ବେଡ୍‌, ଗୋଟିଏ ଡବଲ୍‌ ବେଡ୍‌, ୩୭ଟି ୪ଟି ବେଡ୍‌ ଥିବା ରୁମ୍‌ ସହିତ ଗୋଟିଏ ହଷ୍ଟେଲ କାର୍ଯ୍ୟାଳୟ, ପାଠାଗାର, ପୁରାତନ ଛାତ୍ର ସଂସଦ ଅଫିସ, ଜିମ୍‌, ସର୍ଭର ରୁମ ଇତ୍ୟାଦି ରହିଛି। ଅନ୍ତେବାସୀଙ୍କ ପାଇଁ ୩୨ଟି ଶୌଚାଳୟ ରହିଛି। ସେହିପରି ୱେଷ୍ଟରେ ୧୮୦ ଛାତ୍ରଙ୍କ ପାଇଁ ରହିବାର ବ୍ୟବସ୍ଥା ଥିବା ବେଳେ ଏଠାରେ ସିଙ୍ଗଲ ବେଡ୍‌ର ୨୭ଟି ରୁମ୍‌, ୪ଟି ବେଡ୍‌ ଥିବା ୪୨ଟି ରୁମ ସହିତ ହଷ୍ଟେଲ କାର୍ଯ୍ୟାଳୟ ଏବଂ ୩୨ଟି ଶୌଚାଳୟ ରହିଛି। ଦୁଇଟି ହଷ୍ଟେଲର ଛାତ, ସଭା ମଞ୍ଚ, ଭାଙ୍ଗି ଥିବା କାନ୍ଥ, ଶୌଚାଳୟ ଆଦି ମରାମତି ସହିତ ହଷ୍ଟେଲକୁ ଏବେ ରଙ୍ଗ କରାଯାଉଛି। ଶତବାର୍ଷିକ ଉତ୍ସବ ପାଇଁ ୱେଷ୍ଟରେ ଏକ ସ୍ମାରକୀ ସ୍ତମ୍ଭ ସ୍ଥାପନ ଯୋଜନା ରହିଛି। ସେହିପରି ହ‌େଷ୍ଟଲର ସମ୍ମୁଖରେ‌ ଷ୍ଟିଲ ରେଲିଂ ଦିଆଯାଉଛି। ୱେଷ୍ଟ ହଷ୍ଟେଲରେ ଏକ ପାଠାଗାର, କମ୍ପ୍ୟୁଟର ଲ୍ୟାବ, ଖେଳ ସରଞ୍ଜାମ ଆଦିର ବ୍ୟବସ୍ଥା କରିବାକୁ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଛୁ ବୋଲି କୁହନ୍ତି ହଷ୍ଟେଲର ସାଧାରଣ ସଂପାଦକ ମହମ୍ମଦ ସା‌ନେ ଅଲ୍ଲୀ କହିଛନ୍ତି। ଅନ୍ୟପଟେ‌ ୱେଷ୍ଟ ପରିସରରେ ଏକ ଫାଉ‌େଣ୍ଟନ୍‌, ହଷ୍ଟେଲ ସାମନାରେ ଷ୍ଟିଲ୍‌ ରେଲିଂ ବ୍ୟବସ୍ଥା କରିବାକୁ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରାଯାଇଛି ବୋଲି ହଷ୍ଟେଲ ସାଧାରଣ ସଂପାଦକ ଶୁଭ୍ରଜିତ ସ୍ବାଇଁ କହିଛନ୍ତି। ଇଷ୍ଟ ହଷ୍ଟେଲର ଶତବାର୍ଷିକୀ ଉତ୍ସବ ପାଇଁ ଛାତ୍ରାବାସର ମରାମତି କାମ ଆରମ୍ଭ ହୋଇଛି। ଡିସେମ୍ବର ୨୪ରେ ‌ବିଶ୍ବବିଦ୍ୟାଳୟ, ହଷ୍ଟେଲର ପୁରାତନ ଛାତ୍ର ଓ ଅନ୍ତେବାସୀଙ୍କ ସହଯୋଗରେ ଉଦ୍‌ଘାଟନୀ ଉତ୍ସବ ଆୟୋଜନ କରାଯିବ ବୋଲି ହଷ୍ଟେଲ ୱାଡେନ୍‌ ଡକ୍ଟର ଗୁରୁଦେବ ମେ‌ହେର କହିଛନ୍ତି। ଡିସେମ୍ବର ୨୪ ତାରିଖରେ ଇଷ୍ଟ ଓ ୨୬ ତାରିଖରେ ୱେଷ୍ଟ ହଷ୍ଟେଲ ପକ୍ଷରୁ ଶତବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର