କଟକ:  ରେଭେନ୍ସା ବିଶ୍ବବିଦ୍ୟାଳୟର ୪ ଏକର ଜମିରେ ଛତ୍ରବଜାର ପରିବା ମାର୍କେଟ ନିର୍ମାଣକୁ ବିରୋଧ କରି ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ରଙ୍କ ପକ୍ଷରୁ କୁଳପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। 'ଓଡ଼ିଶା ଫର୍ମର ଷ୍ଟୁଡେଣ୍ଟ ଲିଡର୍ସ ଫୋରମ' ତରଫରୁ ଆଜି ଅପରାହ୍ନ ୩ଟାରେ ରେଭେନ୍ସା କୁଳପତି ପ୍ରଫେସର ଡକ୍ଟର ସଂଜୟ କୁମାର ନାୟକଙ୍କୁ ଏହି ଦାବିପତ୍ର ଦିଆଯାଇଛି। ରେଭେନ୍ସା କଲେଜରୁ ବିଶ୍ବବିଦ୍ୟାଳୟ ହେବା ପରେ ଏହାର  ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ସଂଖ୍ୟାରେ ଛାତ୍ରାବାସ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ପାଇଁ ଆବଶ୍ୟକ କ୍ବାଟର୍ସ ସହିତ ପାଠାଗାର, ପରୀକ୍ଷାଗାର ଏବଂ ଶିକ୍ଷାର ଆଧୁନିକୀକରଣ କରିବାକୁ ଆବଶ୍ୟକ ହେଉଥିବା ଭିତ୍ତିଭୂମିର ବିକାଶ ପାଇଁ ଅଧିକ ଜମିର ଆବଶ୍ୟକତା ରହିଛି। ମାତ୍ର ରେଭେନ୍ସା କର୍ତ୍ତୃପକ୍ଷ ଏହାକୁ ବିଚାର ନକରି ରେଭେନ୍ସାର ୪ ଏକର ଜମିକୁ ପରିବା ହାଟ କରିବାକୁ ସିଏମ୍‌ସିକୁ ଦେବା ଘଟଣାକୁ ‌ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି। ମାଲଗୋଦାମ ଅଞ୍ଚଳରେ ଥିବା ବିଶ୍ବବିଦ୍ୟାଳୟର ଉକ୍ତ ଜମିକୁ ପରିବା ହାଟ କରିବାକୁ ସିଏମ୍‌ସିକୁ ପ୍ରଦାନ କରାଯିବା ବିଷୟରେ ଗତ ୧୩ ତାରିଖରେ ସମ୍ବାଦରେ ଖବର ପ୍ରକାଶ ପାଇଥିଲା।

Advertisment

ଖବର ପ୍ରକାଶ ପରେ ବିଭିନ୍ନ ମହଲରେ ଏହାକୁ ବିରୋଧ କରାଯିବା ସହିତ ଜମିକୁ ତୁରନ୍ତ ଫେରସ୍ତ କରିବାକୁ ଦାବି କରାଯାଇଛି। ବିଶ୍ବବିଦ୍ୟାଳୟ ପାଇଁ ଅଧିକ ଜମି ଆବଶ୍ୟକ ଥିବା ବେଳେ ଏହାର ୪ ଏକର ଜମିକୁ ଛତ୍ରବଜାର ପରିବା ହାଟକୁ ଟେକି ଦେବାକୁ ନିନ୍ଦା କରାଯାଇଛି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ସରକାର ଏହିଭଳି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିର ପୁନର୍ବିଚାର କରିବା ସହ ଏ ଦିଗରେ ଶୀଘ୍ର ପଦକ୍ଷେପ ନେବା ପାଇଁ ଛାତ୍ରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାକୁ କାର୍ଯ୍ୟକ୍ଷମ କରା ନ‌ଗଲେ ଆସନ୍ତା ଦିନରେ ଆନ୍ଦୋଳନ କରାଯିବ ବୋଲି ଫେରମ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି। କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ବିଶ୍ବଜିତ ଦାସ, ସୁଧିର କୁମାର ରାଉତ, ତ୍ରିଲୋଚନ ମହାନ୍ତି, ମହମ୍ମଦ ଆରିଫୁଦିନ୍‌ ଖାନ୍‌, ତପନ ମିଶ୍ର, ଅମୂଲ୍ୟ ରତନ ଦାସ, ଆଦିତ୍ୟ ପ୍ରତାପ ବାଘସିଂହ ପ୍ରମୁଖ ଯୋଗ ଦେଇଥିଲେ।