କଟକ: ରେଭେନ୍‌ସା ବିଶ୍ବବିଦ୍ୟାଳୟ ଜମିକୁ କଟକ ଜିଲ୍ଲା ପ୍ରଶାସନ ନିଜ ଅଧୀନକୁ ନେଇଛି। ରେଭେନ୍‌ସାର ୪ ଏକର ଜମିରେ ପ୍ରଶାସନ ପରିବା ହାଟ ବସାଇବାକୁ ଯୋଜନା କରୁଛି। ଶହ ଶହ ବର୍ଷ ଧରି ଥିବା ରେଭେନ୍‌ସା କ୍ବାର୍ଟରକୁ ଭାଙ୍ଗି ଦିଆଯାଇଛି। ତେବେ ଦୁଇଶହ ବର୍ଷର ଐତିହ୍ୟ ‌ରେଭେନସା ଜମିରେ ଗଢ଼ି ଉଠିଥିବା କ୍ବାର୍ଟରକୁ ମାଟିରେ ମିଶାଇ ସେଠାରେ ହାଟ ବସାଇବା ଯୋଜନାକୁ ଏବେ ସବୁଆଡୁ ବିରୋଧ ହେବା ଆରମ୍ଭ ହୋଇଛି। ପ୍ରଶାସନ ରେଭେନ୍‌ସା କର୍ତୃପକ୍ଷଙ୍କ ଅନୁମତି ନେଇ ଏହା କରିଥିବା କହିବା ସହ ଏ ଜମି ରେଭେନସାର ନୁହେଁ ବୋଲି ମଧ୍ୟ କହିଛି। ସେପଟେ ରେଭେନ୍‌ସା ଦଖଲରେ ଥିବା ଜମିକୁ ପ୍ରଶାସନ ଜାଣିଶୁଣି ରେଭେନ୍‌ସା ନାମରେ ରେକର୍ଡ ନକରି ଏଭଳି କରିଥିବା କୁହାଯାଉଛି। ଏ ନେଇ ରେଭେନ୍‌ସା ପୂର୍ବରୁ ୧୦ ଥର ଆବେଦନ କରିଥିଲେ ବି ଫାଇଲ ସେମିତି ପଡ଼ିଛି। ଏବେ ଏହି ବାହାନାରେ ପ୍ରଶାସନ ରେଭେନ୍‌ସା କ୍ବାର୍ଟରଗୁଡ଼ିକୁ ଭାଂଗି ଦେଇଛି। ଏ ନେଇ ରେଭେନସା କର୍ତୃପକ୍ଷ ଅନୁମତି ମଧ୍ୟ ଦେଇଛନ୍ତି। ରେଭେନସା କର୍ତୃପକ୍ଷଙ୍କ ଅନୁମତି ପାଇବା‌ ପରେ ଏଠାରେ ଥିବା ୮ଟି କ୍ବାର୍ଟରକୁ ଭାଙ୍ଗି ଦିଆଯାଇଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ରେଭେନ୍‌ସା କର୍ତୃପକ୍ଷ କେଉଁ ପରିସ୍ଥିତିରେ ଏହି ମୂଲ୍ୟବାନ ଜମିକୁ ପ୍ରଶାସନକୁ ଦେଇଦେଲେ? ଏହା ବଦଳରେ ରେଭେନସା କର୍ତୃପକ୍ଷ କ’ଣ ପାଇଲେ? ତାକୁ ନେଇ ରେଭେନ୍‌ସାର ପୁରାତନ ଛାତ୍ର, ପ୍ରାଧ୍ୟାପକ ପ୍ରଶ୍ନ ଉଠାଇଛନ୍ତି। ରେଭେନ୍‌ସା ଜମି ପ୍ରଶାସନ ନେଇ କରିବ କ’ଣ?

Advertisment

ରେଭେନ୍‌ସାର ଏ ଜମି ବହୁ ବର୍ଷ ଧରି ରହିଛି। ଏଠାରେ ବର୍ଷ ବର୍ଷ ଧରି ରେଭେନ୍‌ସା କ୍ବାର୍ଟର ଥିଲା। କର୍ମଚାରୀମାନେ ରହୁଥିଲେ। ଏହି ଜମିକୁ ନେଇ ପୂର୍ବରୁ ଅନେକଥର ପ୍ରଶାସନକୁ ଜଣାଯାଇଛି। ରେଭେନ୍‌ସାର ଏ ଜମିକୁ ରେଭେନ୍‌ସା ନାମରେ ରେକର୍ଡ କରିବାକୁ ଚିଠି ଲେଖାଯାଇଛି। ମାତ୍ର ପ୍ରଶାସନ ଏହାକୁ ଗୁରୁତ୍ବ ଦେଇ ନଥିଲା। ଏପରିକି ଜମି ରେଭେନ୍‌ସା ଦଖଲରେ ବ୍ରିଟିଶ ସମୟରୁ ରହି ଆସିଛି। ଏବେ ପ୍ରଶାସନ ଏହାକୁ ନେଇଯାଇଛି। ପ୍ରଶାସନ କ୍ବାର୍ଟରଗୁଡ଼ିକ ଭ‌ାଂଗି ଦେଇଛି। ମାତ୍ର ବଦଳରେ ରେଭେନସାକୁ କିଛି ମିଳିନି। ରେଭେନସାରେ ଜାଗାର ଅଭାବ ରହିଛି। ପରିସର ଭିତରେ ପର୍ଯ୍ୟାପ୍ତ ଜାଗା ନଥିବାରୁ ଅଧ୍ୟାପକ, ପ୍ରାଧ୍ୟାପକଙ୍କ ରହିବା ପାଇଁ କ୍ବାର୍ଟର ନାହିଁ। ଅଧିକାଂଶ ଅଧ୍ୟାପକ, ପ୍ରାଧ୍ୟାପକ ପରିସର ବାହାରେ ରହୁଛି। ପ୍ରଶାସନ ଏହି ଜମିରେ ରେଭେନ୍‌ସ‌ା ବିଶ୍ବବିଦ୍ୟାଳୟ କର୍ମଚାରୀଙ୍କ ପାଇଁ କ୍ବାର୍ଟର ନିର୍ମାଣ କରିଥିଲେ ଏହା ଅଧିକ ଭଲ ହୋଇଥା’ନ୍ତା। ଶୁଣାଯାଉଛି ସେଠାରେ କାଳେ ହାଟ ହେବ। ଏହା ଐତିହ୍ୟ ରେଭେନ୍‌ସା ଅନୁଷ୍ଠାନ ପାଇଁ ଅପମାନ ହେବ। ରେଭେନ୍‌ସା ଜମି ‌ରେଭେନ୍‌ସାର ରହିଲେ ଭଲ ହେବ। ୨୬୭ ଷ୍ଟାଫ୍, କ୍ବାର୍ଟର ୨୧, ଏହି ଜମି ରେଭେନସା ପାଇଁ ବ୍ୟବହାର ହେବା ଉଚିତ୍ ବୋଲି କହିଛନ୍ତି ରେଭେନ୍‌ସା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳସଚିବ ଡକ୍ଟର ସତ୍ୟକାମ ମିଶ୍ର।

ରେଭେନ୍‌ସା ବିଶ୍ବବିଦ୍ୟାଳୟ ହେବା ପରେ ଏହାର କର୍ମଚାରୀ ସଂଖ୍ୟା ବଢ଼ିଛି। ରେଭେନ୍‌ସାରେ ଏବେ ଷ୍ଟାଫ୍( କର୍ମଚାରୀ) ସଂଖ୍ୟା ୨୬୭ ଥିବା ବେଳେ ରେଭେନ୍‌ସା ପରିସରରେ ମାତ୍ର ୨୧ଟି କ୍ବାର୍ଟର ରହିଛି। ରେଭେନ୍‌ସା ପରିସର ବା ପରିସରକୁ ଲାଗି ରେଭେନ୍‌ସା କର୍ମଚାରୀଙ୍କ ପାଇଁ ୨୫୦ କ୍ବାର୍ଟର୍‌ର ଆବଶ୍ୟକତା ରହିଛି। ଏଭଳି ‌ସ୍ଥିତିରେ ରେଭେନସା କ୍ବାର୍ଟରକୁ ଭାଂଗି ଦେଇ ପ୍ରଶାସନ ଏ ଜମିକୁ ନେଇଯିବା ଯୁକ୍ତିଯୁକ୍ତ ନୁହେଁ। ଏହି ଜମିରେ ବହୁତଳ ଅଟ୍ଟାଳିକା ନିର୍ମାଣ କରି ରେଭେନ୍‌ସା ପ୍ରାଧ୍ୟାପକ, ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ କ୍ବାର୍ଟର୍‌ ନିର୍ମାଣ କରାଗଲେ ସମସ୍ତେ ଉପକୃତ ହୋଇପାରିବେ। ଏଠାରେ ଥିବା କ୍ବାର୍ଟର୍‌ରେ ରେଭେନ୍‌ସା କର୍ମଚାରୀ ରହୁଥିଲେ। କିଛିବର୍ଷ ତଳେ ଏହି ସବୁ କ୍ବାର୍ଟରର ମରାମତି କରାଯାଇଥିଲା‌। ମାତ୍ର ଏ ଜମିକୁ ବିନ‌ା ପ୍ରତିବାଦରେ ଟେକି ଦେବା ଠିକ୍ ନୁହେଁ। ଜମି ବଦଳରେ ରେଭେନ୍‌ସା ପାଇଲା କ’ଣ? ବୋଲି ପ୍ରଶ୍ନ କରିଛନ୍ତିରେଭେନ୍‌ସା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳସଚିବ ପଦନ ଜେନା।

ପ୍ରଶାସନ ଜମି ନେଉ, ପରିବା ହାଟ ହେଉ, ଆମର ବିରୋଧ ନାହିଁ। ମାତ୍ର ବଦଳରେ ରେଭେନ୍‌ସାକୁ ପରିସରକୁ ଲାଗି ସେତିକି ଜମି ପ୍ରଶାସନ ଦେଉ। ପ୍ରଶାସନ ରେଭେନସାକୁ କିଛି କ୍ଷତିପୂରଣ ନ ଦେଇ ଏହି ମୂଲ୍ୟବାନ ଜମି ଛଡ଼ାଇ ନେବା ଠିକ୍ ନୁହେଁ। ରେଭେନ୍‌ସା ବିଶ୍ବବିଦ୍ୟାଳୟ କର୍ମଚାରୀ, ପ୍ରାଧ୍ୟାପକ, ଅଧ୍ୟାପକଙ୍କ ପାଇଁ କ୍ବାର୍ଟର ନଥିବାରୁ ସମସ୍ତେ ବାହାରେ ରହୁଛନ୍ତି। ରେଭେନ୍‌ସା ପରିସରକୁ ଲାଗି ରହିଥିବା ରେଭେନ୍‌ସା ଜମିରେ କ୍ବାର୍ଟର ନିର୍ମାଣ କଲେ ଭଲ ହେବ। ବଦଳରେ ‌ସେତିକି ଜମି, ଟଙ୍କା ରେଭେନ୍‌ସାକୁ ମିଳିବା ଉଚିତ୍ ବୋଲି କହିଛନ୍ତି ପୂର୍ବତନ ଛାତ୍ରନେତା ଶୁଭେନ୍ଦୁ ମହାନ୍ତି।

ରେଭେନ୍‌ସା ଜମି ପ୍ରଶାସନ ନେଇଯିବ, ଛାତ୍ର ନେତା ଚୁପ୍‌ ବସି‌ବେ ନାହିଁ। ଏହାକୁ ନେଇ ରେ‌ଭେନ୍‌ସାର ପୁରାତନ ଛାତ୍ରନେତାମାନେ ପ୍ରତିବାଦ କରିବେ। ଖୁବଶୀଘ୍ର ଏହାର ପ୍ରତିବାଦରେ ରେଭେନସା କୁଳପତିଙ୍କୁ ଦାବିପତ୍ର ପ୍ରଦାନ କରାଯିବ। କ୍ବାର୍ଟର ଭାଂଗିବାକୁ ଅନୁମତି କିଏ ଦେଲା ତାକୁ ତଦନ୍ତ ପରିସରକୁ ଆଣିବାକୁ ଦାବି ହେବ। ଏଠାରେ ରେଭେନ୍‌ସା କ୍ବାର୍ଟର ଥିଲା। ଏଠାରେ କ୍ବାର୍ଟର ନିର୍ମାଣ କରାଯିବ। ରେଭେନ୍‌ସା ଜମିରେ ପରିବ‌ା ହାଟ ବସିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ରେଭେନ୍‌ସାର ପୂବର୍ତନ ଛାତ୍ରନେତା ଅଭିଜିତ ବେହେରା।