କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ପରିସରରେ ନର୍ଦ୍ଦମା ପାଣି ଜମିବାକୁ ନେଇ ବିଶ୍ବବିଦ୍ୟାଳୟର ଶତାଧିକ ଛାତ୍ର ଗତକାଲି ପୌର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନୀ କରିଛନ୍ତି। ପୂର୍ବାହ୍ନ ୧୧ଟାରେ ଶତାଧିକ ଛାତ୍ର ବିଶ୍ବବିଦ୍ୟାଳୟ ପରିସରରୁ ପଦଯାତ୍ରାରେ ବାହାରି ନିଗମ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବିଶ୍ବବିଦ୍ୟାଳୟ ପରିସରରେ ନର୍ଦ୍ଦମା ପାଣି ଜମିବା ନେଇ ସେମାନେ ତୀବ୍ର ବିରକ୍ତି ପ୍ରକାଶ କରିବା ସହ ତୁରନ୍ତ ନିଷ୍କାସନ ଦାବିରେ ସିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ମାଲଗୋଦାମ ପାର୍ଶ୍ବରେ ଥିବା ଡ୍ରେନ୍ରୁ ପାଣି ରେଭେନ୍ସା ପରିସରକୁ ପଶି ନ୍ୟୁ ହଷ୍ଟେଲ୍, ନ୍ୟୁ ପିଜି, ଧର୍ମପଦ, ଲଳିତଗିରି ହଷ୍ଟେଲ୍ ସହ ବିଭିନ୍ନ କ୍ବାର୍ଟର୍ସ ପରିସରରେ ବହୁଦିନ ଧରି ଜମି ରହୁଛି। ଏହାକୁ ନେଇ ଏକାଧିକ ବାର ପୌର ନିଗମକୁ କୁହାଯିବା ସତ୍ତ୍ବେ ସମସ୍ୟାରେ କୌଣସି ସୁଧାର ନ ଆସିବାରୁ ଆଜି ଶତାଧିକ ଛାତ୍ର ଏଭଳି ପଦକ୍ଷେପ ନେଇଥିଲେ। ବାଧ୍ୟହୋଇ ନିଗମ କର୍ତ୍ତୃପକ୍ଷ ଓ ବିଧାୟକ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଏହାର ସମାଧାନ ପାଇଁ ନିଷ୍ପତ୍ତି ନେବା ପରେ ଛାତ୍ରମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ଛାତ୍ରଙ୍କ ଅଭିଯୋଗ ମୁତାବକ, ବିଶ୍ବବିଦ୍ୟାଳୟର ଉକ୍ତ ୪ଟି ହଷ୍ଟେଲ୍ରେ ୮ଶହରୁ ଅଧିକ ଛାତ୍ର ରହୁଛନ୍ତି। ଗତ ୨ଦିନର ବର୍ଷାରେ ସେ ସମସ୍ତ ହଷ୍ଟେଲ୍କୁ ନର୍ଦ୍ଦମା ପାଣି ପଶିଥିଲା। ପାଣି ହଷ୍ଟେଲ୍ର ରୋଷେଇ ଘରୁ ଆରମ୍ଭ କରି ତଳମହଲାର ସମସ୍ତ ରୁମ୍ରେ ୨ଦିନ ଧରି ଭରି ରହିଥିଲା। ଏହା ପୂର୍ବରୁ ରେଭେନ୍ସା ପରିସରରେ ଥିବା ବିଭିନ୍ନ କ୍ବାର୍ଟର୍ସରେ ୧୦ ଦିନରୁ ଅଧିକ ସମୟ ଧରି ନର୍ଦ୍ଦମା ପାଣି ପଶୁଥିଲା।
ଏହାର ପ୍ରତିକାର ପାଇଁ ପୌର ନିଗମକୁ କୁହାଯାଇଥିଲା। ମାତ୍ର ଏହା ଉପରେ ନିଗମ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ରେଭେନ୍ସା ପରିସରରୁ ବର୍ଜ୍ୟ ଓ ବର୍ଷାପାଣି ମାଲଗୋଦାମ ଦେଇ ଏକ ଡ୍ରେନ୍ ମାଧ୍ୟମରେ ତାଳଦଣ୍ଡା କେନାଲ୍କୁ ନିଷ୍କାସନ ହୋଇଥାଏ। ମାତ୍ର ତାଳଦଣ୍ଡା କେନାଲ ସଂପ୍ରସାରଣ ପାଇଁ ଉକ୍ତ ଡ୍ରେନ୍କୁ ଏବେ ବନ୍ଦ ରଖାଯାଇଛି। ଅନ୍ୟପଟେ ଜାଇକା କାମ ପାଇଁ ଉକ୍ତ ଡ୍ରେନ୍ର ବିଭିନ୍ନ ସ୍ଥାନରେ ମାଟି ଜମି ରହିଛି। ରେଭେନ୍ସା ପରସିରରୁ ପାଣି ନିଷ୍କାସନ ପାଇଁ ଜାଇକା ପକ୍ଷରୁ ଏକ ମଟର ପମ୍ପର ବ୍ୟବସ୍ଥା କରାଯାଇଥିଲା। ମାତ୍ର ତାହା ଠିକ ସମୟରେ ଚାଲୁ ନଥିବାରୁ ପାଣି ନିଷ୍କାସନରେ ସମସ୍ୟା ଦେଖାଯାଇଛି। ଜାଇକା ପକ୍ଷରୁ ଅଧିକ ସଂଖ୍ୟାର ପାଣି ପମ୍ପର ବ୍ୟବସ୍ଥା କରିବାକୁ ପୌର ନିଗମ ଓ ସିଏମ୍ସିକୁ କୁହାଯାଇଥିଲା। ହେଲେ ଜାଇକା କାମ କରୁଥିବା ଠିକାଦାର ଗୁରୁତ୍ବ ଦେଇ ନଥିଲେ। ହଷ୍ଟେଲରେ ନର୍ଦ୍ଦମା ପାଣି ଜମି ରହିବାରୁ ଛାତ୍ରମାନଙ୍କୁ ଏକ ଅସ୍ବାସ୍ଥ୍ୟକର ପରିବେଶରେ ରହିବା ସହ ଛାତ୍ରବାସର ରୋଷଇ ଘରେ ପାଣି ରହିବାରୁ ଖାଦ୍ୟ ପ୍ରସ୍ତୁତିରେ ବି ସମସ୍ୟା ହେଉଥିଲା। ରେଭେନ୍ସା ପରିସରରୁ ପାଣି ନିଷ୍କାସନ ପାଇଁ ଆଜି ଶତାଧିକ ଛାତ୍ର ପୌର ନିଗମ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ। ଛାତ୍ର ଅଶୋକ ତାଣ୍ଡିଙ୍କ ନେତୃତ୍ବରେ ଆୟୋଜିତ ଧାରଣାରେ ଛାତ୍ର ବାବାଜୀ ପତି, ଜାହିଦ୍ ଅଖତର, ଆଦିତ୍ୟ ସିଂହ, ଓମ୍ ସାଇ ପ୍ରମୁଖ ନେତୃତ୍ବ ନେଇଥିଲେ। ଅପ୍ରୀତିକର ପରିସ୍ଥିତି ଉପୁଜିବା ପୂର୍ବରୁ ମେୟର୍ ସୁବାସ ସିଂହ ଏନେଇ ସେମାନଙ୍କ ସହିତ ଆଲୋଚନା କରିଥିଲେ ଓ ଘଟଣାସ୍ଥଳ ପରିଧାର୍ନ କରିବାର ପ୍ରତିଶ୍ରୁତି ଦେଇଥିଲେ। ଛାତ୍ରଙ୍କ ଧାରଣା ପରେ ଆଜି ଅପରାହ୍ନରେ ମେୟର୍, କମିସନର୍ଙ୍କ ସମେତ ବିଭିନ୍ନ ଅଧିକାରୀ ରେଭେନ୍ସାକୁ ଆସି ସ୍ଥିତି ଅନୁଧ୍ୟାନ କରିବା ସହ ଏହାର ସମାଧାନ ଖୁବ ଶୀଘ୍ର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
/sambad/media/post_attachments/wp-content/uploads/2022/07/RAVENSHAW-CHATRA-NKA-CMC-OFFICE-GHERAU-5-1024x358.jpg)
ରେଭେନ୍ସା ପରିସରକୁ ବାହାରୁ ନର୍ଦ୍ଦମା ପାଣି ପଶୁଥିଲା। ମାଲଗୋଦାମ ପଟୁ ପଚା ପାଣି ପରିସରରେ ପଶି ହଷ୍ଟେଲ୍, କ୍ବାର୍ଟର୍ସରେ ଦିନ ଦିନ ଧରି ଜମିକି ରହୁଥୁଲା। ହଷ୍ଟେଲ୍ର ରୋଷଇଘର ବି ଏଥିରୁ ମୁକ୍ତ ରହୁ ନଥିଲା। ବାରମ୍ବାର ଆବେଦନ ଓ ଅଭିଯୋଗ ସତ୍ତ୍ବେ ପୌର ନିଗମ କର୍ତ୍ତୃପକ୍ଷ ଏହାକୁ ହାଲୁକା ଭାବେ ନେଇ ଅଶୁଣା କରି ଦେଉଥିଲେ। ହେଲେ, ବହୁଦିନର ଅସନ୍ତୋଷ ଶେଷରେ ଆଜି ନେଇଥିଲା ନୂଆ ରୂପ। ଶତାଧିକ ଛାତ୍ର ରେଭେନ୍ସା ପରିସରରୁ ପଦଯାତ୍ରାରେ ବାହାରି ସହର ଦେଇ ପୌର ନିଗମ କାର୍ଯ୍ୟାଳୟରେ ପହଞ୍ଚିଲେ। ନିଗମ ପକ୍ଷରୁ କରାଯାଉଥିବା ଅଣଦେଖାର ତୀବ୍ର ପ୍ରତିବାଦ କଲେ, ବିକ୍ଷୋଭ ପ୍ରଦର୍ଶନ ବି କଲେ। ସ୍ଥିତି ବିଗିଡ଼ିବା ଅଶାଙ୍କା ଦେଖି ମେୟର୍ ସୁବାସ ସିଂହ ଆସି ସେମାନଙ୍କ ସହ ଆଲୋଚନା କଲେ। ଅପରାହ୍ନରେ ମେୟର୍, କମିସନର୍ ଓ ବରିଷ୍ଠ ଅଧିକାରୀଙ୍କ ସହ ଚୌଦ୍ବାର-କଟକ ବିଧାୟକ ରେଭେନ୍ସା ପରିସରକୁ ଆସିଲେ। ସ୍ଥିତି ଦେଖିଲେ, ରେଭେନ୍ସା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କଲେ ଓ ତୁରନ୍ତ ସମସ୍ୟା ଦୂର କରିବା ପାଇଁ ବ୍ୟବସ୍ଥା ବି କରିଲେ। ଯାହା ବାରମ୍ବାର ଅଭିଯୋଗ ଓ ଦାବିରେ ହୋଇ ପାରୁ ନଥିଲା, ଛାତ୍ରଙ୍କ ପଦଯାତ୍ରା ଓ ବିକ୍ଷୋଭର କେଇଘଣ୍ଟା ଭିତରେ ତା’ର ବ୍ୟବସ୍ଥା ହେଲା।
/sambad/media/post_attachments/wp-content/uploads/2022/07/IMG_20220720_205957092826-678x1024.jpg)
ବିଶ୍ବବିଦ୍ୟାଳୟ ଚାରିପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ ଦାବି
ରେଭେନ୍ସା ବିଶ୍ବବିଦ୍ୟାଳୟ ପାଚେରିକୁ ଲାଗିକି ଥିବା ଡ୍ରେନ୍ ଉପରୁ ଜବରଦଖଲ ଉଚ୍ଛେଦ ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦାବି ହୋଇଛି। ଡ୍ରେନ୍ ଉପରେ ଶତାଧିକ ବ୍ୟକ୍ତି ଜବରଦଖଲ କରି ବ୍ୟବସାୟ କରିବା ସହ ଅନେକ କାର୍ଯ୍ୟାଳୟ ରହିଛି। ଜବରଦଖଳ ପାଇଁ ଡ୍ରେନ୍ଗୁଡିକ ବର୍ଷ ବର୍ଷ ଧରି ସଫା ନହୋଇ ମାଟି ଓ ପଙ୍କରେ ଭରି ରହିଛି। ଏଥିପାଇଁ ଟିକିଏ ବର୍ଷାରେ ରେଭେନ୍ସା ପରିସରରେ ଜଳବନ୍ଦୀର ସମସ୍ୟା ଦେଖାଯାଉଛି ବୋଲି ଅଭିଯୋଗ ହୋଇଛି। ପୌର ନିଗମ କର୍ତ୍ତୃପକ୍ଷ ରେଭେନ୍ସା ପରିସରକୁ ଲାଗିକି ଥିବା ଡ୍ରେନ୍ ଉପରୁ ଜବରଦଖଲ ହଟାଇ ନାଳ ସଫା କରିଲେ ବିଶ୍ବବିଦ୍ୟାଳୟରେ ଜଳବନ୍ଦୀର ସମସ୍ୟା ଦୂର ହେବ ବୋଲି ରେଭେନ୍ସା ଛାତ୍ର ସଂସଦର ପୂର୍ବତନ ସଭାପତି ଆଇନଜୀବୀ ଶୁଭେନ୍ଦୁ ମହାନ୍ତି କହିଛନ୍ତି।
ରେଭେନ୍ସାରେ ବିଧାୟକ ଓ ପୌର ନିଗମ କର୍ତ୍ତୃପକ୍ଷ
ରେଭେନ୍ସା ପରିସରରୁ ନର୍ଦ୍ଦମା ପାଣି ନିଷ୍କାସନ ଦାବିରେ ପୂର୍ବାହ୍ନରେ ପୌର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ତରଫରୁ ବିକ୍ଷୋଭ ପ୍ରଦର୍ଶନ ପରେ ଅପରାହ୍ନ ୩ଟାରେ ନିଗମର କର୍ତ୍ତୃପକ୍ଷ ରେଭେନ୍ସାକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ନିଗମର ଅଧିକାରୀ ଓ ରେଭେନ୍ସା କର୍ତ୍ତୃପକ୍ଷ ବିଶ୍ବବିଦ୍ୟାଳୟର ବିଭିନ୍ନ ହଷ୍ଟେଲ ଓ କ୍ବାର୍ଟର୍ସ ବୁଲି ଜମି ରହିଥିବା ନର୍ଦ୍ଦମା ପାଣିର ସ୍ଥିତି ବୁଲି ଦେଖିଥିଲେ। ତାଳଦଣ୍ଡା କେନାଲ୍ ସଂପ୍ରସାରଣ ଓ ଜାଇକା କାମ ପାଇଁ ପାଣି ନିଷ୍କାସନରେ ସମସ୍ୟା ହେଉଥିବାର ନିଗମ ତରଫରୁ କୁହାଯାଇଛି। ରେଭେନ୍ସା ଚାରିପାଖରେ ଥିବା ଡ୍ରେନକୁ ଖୁବ୍ ଶୀଘ୍ର ସଫା କରାଯିବା ସହ ଅଧିକ ସଂଖ୍ୟାରେ ମଟର୍ ବସାଇ ପାଣି ନିଷ୍କାସନର ବ୍ୟବସ୍ଥା କରାଯିବ ବୋଲି ମେୟର୍ ଛାତ୍ରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ କୁଳପତିଙ୍କ ସମ୍ମିଳନୀ କକ୍ଷରେ ନିଗମ କର୍ତ୍ତୃପକ୍ଷ ଓ ବିଶ୍ବବିଦ୍ୟାଳୟର ଅଧିକାରୀଙ୍କ ସହ ଏକ ବୈଠକ ବସିଥିଲା। ଏଥିରେ ରେଭେନ୍ସା ପରିସରରେ ଥିବା ସମସ୍ତ ଡ୍ରେନ୍କୁ ସଫା କରାଯିବା ସହ ଆବଶ୍ୟକ ହେଲେ ସେଗୁଡ଼ିକୁ ଭାଙ୍ଗି ଓସାରିଆ କରିବା ଉପରେ ନିଷ୍ପତ୍ତି ନିଆଯାଇଛି। ରେଭେନ୍ସା ସ୍ଥିତି ଦେଖିବାକୁ ବିଧାୟକ ସୌଭିକ ବିଶ୍ବାଳ, ଡେପୁଟି ମେୟର୍ ଦମୟନ୍ତୀ ମାଝୀ, କମିସନର ନିଖିଲ୍ ପୱନ୍ କଲ୍ୟାଣ, କର୍ପୋରେଟର ସୁବ୍ରତ ଘଡ଼େଇ, ସିଟି ଇଂଜିନିୟର ସୁବାରାଓ ପାତ୍ର, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଡି.ଆର୍. ତ୍ରିପାଠୀ, ନଗର ଉପସଭାପତି ରାଜେନ୍ଦ୍ର ରଣା, ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ଲେଙ୍କା, ବିଭୂତି ସ୍ବାଇଁ, ବିଶ୍ବବିଦ୍ୟାଳୟ କୁଳସଚିବ ଡକ୍ଟର ଭକ୍ତଚରଣ ପ୍ରଧାନ, ରେଭେନ୍ସା ଉନ୍ନୟନ ଅଧିକାରୀ ଡକ୍ଟର କିଶୋର ଦାସଙ୍କ ସମେତ ଜାଇକା ଅଧିକାରୀ ପ୍ରମୁଖ ଉପସ୍ଥିତି ଥିଲେ।