୧୧ବର୍ଷ ପରେ ଖେଳ ଉପଯୋଗୀ ହେବ ରେଭେନ୍ସା ଟେନିସ୍‌ କୋର୍ଟ!

କଟକ: ଦୀର୍ଘ ୧୧ ବର୍ଷ ପରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି ରେଭେନ୍ସା ବିଶ୍ବବିଦ୍ୟାଳୟର ଟେନିସ୍‌ କୋର୍ଟ। କୋର୍ଟ ଆରମ୍ଭ ପରଠାରୁ ନିର୍ମାଣଗତ ତ୍ରୁଟି ଯୋଗୁଁ ଏହା ଖେଳ ଉପଯୋଗୀ ହେଉ ନଥିଲା। ଏହାବାଦ୍‌ ରେଭେନ୍ସା କର୍ତ୍ତୃପକ୍ଷଙ୍କୁ ଟେନିସ୍‌ କୋର୍ଟ ହସ୍ତାନ୍ତରରେ ବିଳମ୍ବ ହେବାରୁ ଏହାର ରକ୍ଷଣାବେକ୍ଷଣ ବି ହୋଇପାରୁ ନଥିଲା। ଯାହାଫଳରେ କୋର୍ଟ ଅସୁରକ୍ଷିତ ହୋଇଯାଇଥିଲା ବେଳେ ସୁରକ୍ଷା ବାଡ଼ା (ଗ୍ରିଲ) ଭାଙ୍ଗିଗଲାଣି। ହେଲେ ଚଳିତବର୍ଷ ଏହାକୁ ନୂଆ ରୂପ ଦେବା ପାଇଁ ରେଭେନ୍ସା ବିଶ୍ବବିଦ୍ୟାଳୟ ପକ୍ଷରୁ ଆର‌୍‌ ଆଣ୍ତ ବିକୁ ସୁପାରିଶ କରାଯାଇଛି। ନଭେମ୍ବରରେ ଅନ୍ତଃବିଶ୍ବବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତା ରେଭେନ୍ସାରେ ଆୟୋଜିତ ହେବାକୁ ଥିବାରୁ ଏହାପୂର୍ବରୁ ପଡ଼ିଆ ସହିତ ଟେନିସ୍‌ କୋର୍ଟ ଓ ବାସ୍କେଟ୍‌ବଲ୍‌ କୋର୍ଟ ନବୀକରଣ କରାଯିବାକୁ ରେଭେନ୍ସା ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ, ଏହି ଅବ୍ୟବହୃତ ସିନ୍ଥେଟିକ୍‌ ଟେନିସ୍‌ କୋର୍ଟ ପାଇଁ ପାଖାପାଖି ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଦ୍ବାଦଶ ଅର୍ଥ କମିସନ୍‌ରୁ ରେଭେନ୍ସାକୁ ମିଳିଥିବା ସାଢେ ୫କୋଟି ଟଙ୍କାର ଅନୁଦାନରୁ ଏହି ଟଙ୍କା ଖର୍ଚ୍ଚ କରାଯାଇଥିଲା। ତେବେ ଅନୁଦାନ ଅର୍ଥରୁ କେବଳ ଟେନିସ୍‌ କୋର୍ଟ ନୁହେଁ, ବାସ୍କେଟବଲ୍‌ କୋର୍ଟ ପାଇଁ ବି ବ୍ୟୟବରାଦ ହୋଇଥିଲା। ମୋଟ ଉପରେ ନୂଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ୨୦ଲକ୍ଷ ଟଙ୍କା ମିଳିଥିଲା। ନିର୍ମାଣ କାମ ପାଇଁ ଓଡ଼ିଶା ପୁଲିସ ହାଉସି˚ କର୍ପୋରେସନ୍‌କୁ ଦାୟିତ୍ବ ଦିଆଯାଇଥିଲେ ବି ମୋଟ ୩୧ ଲକ୍ଷ ଟଙ୍କାର ଅଟକଳ କରିବାରୁ ଏହାକୁ ସମସ୍ତ କାମ ଦିଆଯାଇ ନଥିଲା। କେବଳ ବାସ୍କେଟ୍‌ବଲ୍‌ କୋର୍ଟକୁ ୪ଲକ୍ଷ ୩୫ହଜାର ୧୩୮ ଟଙ୍କାରେ ପୁଲିସ୍‌ ହାଉସି˚ କର୍ପୋରେସନ୍‌୍‌ ନିର୍ମାଣ କରିଥିଲା। ସିନ୍ଥେଟିକ ଟେନିସ୍‌ କୋର୍ଟ ନିର୍ମାଣ ଦାୟିତ୍ବ ପୂର୍ତ୍ତବିଭାଗକୁ ଦିଆଯାଇଥିଲା। ଏହି କାମ ପାଇଁ ୧୬ଲକ୍ଷ ୩୬ହଜାର ୭୫୪ ଟଙ୍କା ବରାଦ ହୋଇଥିଲା।

୨୦୧୧ ମସିହାରେ ଉଭୟ କୋର୍ଟର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। କିନ୍ତୁ ତତ୍କାଳୀନ କୁଳପତି ତରବରିଆ ଭାବେ ବିଲ୍‌ ପାସ୍‌ କରିଦେବାରୁ ଟେନିସ୍‌ କୋର୍ଟ ମାନଦଣ୍ତ ଅନୁଯାୟୀ ନିର୍ମାଣ ହୋଇଛି କି ନାହିଁ ତାହା ତର୍ଜମା କରାଯାଇ ନଥିଲା। ଯେଉଁଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ସବୁକିଛି ଠିକ୍‌ଠାକ୍‌ ଥିବା ସେତେବେଳେ ଦର୍ଶାଇଥିଲେ। କିନ୍ତୁ ଟେନିସ୍‌ କୋର୍ଟରେ ସିନ୍ଥେଟିକ୍‌ ବିଛାଯାଇ ନଥିଲା ବେଳେ ପଡ଼ିଆ ଅସମତୁଲ ରହିଥିଲା। ଦୀର୍ଘବର୍ଷ ପର୍ଯ୍ୟନ୍ତ ଟେନିସ୍‌ କୋର୍ଟ ବ୍ୟବହାରରେ ଆସିପାରୁ ନଥିବାରୁ ଏହାର ନେଟ୍‌ ଓ ଗ୍ରିଲ୍‌ ନଷ୍ଟ ହୋଇଗଲାଣି। ଯେତେବେଳେ ଛାତ୍ରଛାତ୍ରୀ ଆର‌୍‌ ଆଣ୍ତ ବି ଅଧିକାରୀଙ୍କୁ ଘେରାଉ କରୁଥିଲେ, ସେତେବେଳେ କେବଳ ଗ୍ରିଲ ରଙ୍ଗ କରାଯାଇ ଛାଡ଼ିଦିଆଯାଉଥିଲା। କିନ୍ତୁ ଏବେ ଆଗକୁ ଅନ୍ତଃବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହେବାକୁ ଯାଉଥିବାରୁ ରେଭେନ୍ସା ପଡ଼ିଆକୁ ନବୀକରଣ କରାଯାଉଛି। ଏହାରି ମଧ୍ୟରେ ଟେନିସ୍‌ କୋର୍ଟ ଓ ବାସ୍କେଟ୍‌ବଲ୍‌ କୋର୍ଟ ମରାମତି କରିବାକୁ କତ୍ତୃର୍ପକ୍ଷ ଚିନ୍ତା କରିଥିଲେ। ଯଦିଓ ନୂଆ ଛାତ୍ରଛାତ୍ରୀ ନାମଲେଖା ପୂର୍ବରୁ ଏହି କାମ ଶେଷ କରିବାକୁ ଯୋଜନା କରାଯାଉଥିଲା, କିନ୍ତୁ ଏବେ ସମୟ କମ୍‌ ଥିବାରୁ ନଭେମ୍ବର ପର୍ଯ୍ୟନ୍ତ ଏହାର ଅବଧିକୁ ବଢାଇ ଦିଆଯାଇଥିବା କୁହାଯାଇଛି।

ସମ୍ବନ୍ଧିତ ଖବର