ରେଭେନ୍ସା ସାଇନ୍‌-ଡାଏ ଉଠିବା ନିଷ୍ପତ୍ତି ଆଜିି

ଦିନ ୧୨ଟାରେ ରେସିଡେନ୍ସିଆଲ୍‌ କମିଟି ବୈଠକ, ଧାରଣାରୁ ଓହରିଲା ଛାତ୍ର କ୍ରିୟାନୁଷ୍ଠାନ କମିଟି

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଯୋଗୁଁ ଗତ ୮ତାରିଖରେ ଘୋଷଣା କରାଯାଇଥିବା ସାଇନ୍‌-ଡାଏକୁ ଉଠାଇବା ଉପରେ ଆସନ୍ତାକାଲି ନିଷ୍ପତ୍ତିି ନିଆଯିବ। ବିଶ୍ୱବିଦ୍ୟାଳୟ ରେସିଡେନ୍ସିଆଲ୍‌ କମିଟିର ଏକ ସ୍ୱତନ୍ତ୍ର ବୈଠକ ଆସନ୍ତା କାଲି ଦିନ ୧୨ଟାରେ କୁଳପତିଙ୍କ ସମ୍ମିଳନୀ କକ୍ଷରେ ବସିବ। ବୈଠକରେ ବିଭିନ୍ନ ଛାତ୍ର ସଂଗଠନର ପକ୍ଷରୁ ସାଇନ୍‌-ଡାଏ ଉଠାଇବାକୁ ଦିଆଯାଇଥିବା ଦାବିପତ୍ର ଓ ଆଜି ରେଭେନ୍ସା ଛାତ୍ର କ୍ରିୟାନୁଷ୍ଠାନ କମିଟି ସହିତ କର୍ତ୍ତୃପକ୍ଷ କରିଥିବା ଆଲୋଚନାକୁ ସମୀକ୍ଷା କରାଯାଇ ନିଷ୍ପତ୍ତିି ଗ୍ରହଣ କରାଯିବ। ଅନ୍ୟପଟେ ସାଇନ୍‌-ଡାଏ ଉଠିଲେ ଆସନ୍ତା ୨୦ ତାରିଖ ମଧ୍ୟରେ ସମସ୍ତ ପରୀକ୍ଷା ଶେଷକରି ୨୭ ତାରିଖରେ ପରୀକ୍ଷାଫଳ ଘୋଷଣା କରିବାକୁ ଉଦ୍ୟମ କରାଯିବ ବୋଲି କୁଳପତି ପ୍ରଫେସର ଡକ୍ଟର ଇସାନ କୁମାର ପାତ୍ର ସୂଚନା ଦେଇଛନ୍ତି।

ସାଇନ୍‌-ଡାଏକୁ ବିରୋଧ କରି ଦୁଇଦିନ ଧରି ରେଭେନ୍ସା ଫାଟକ ସମ୍ମୁଖରେ ଧାରଣା ଦେଇଥିବା ଛାତ୍ର କ୍ରିୟାନୁଷ୍ଠାନ କମିଟି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ପରେ ଆଜି ଧାରଣାରୁ ଓହରି ଯାଇଛି। କମିଟିର ବିଭିନ୍ନ ଦାବି ଗୁଡିକ କର୍ତ୍ତୃପକ୍ଷ ମାନି ନେବା ସହ ସାଇନ୍‌-ଡାଏକୁ ଉଠାବାକୁ ପ୍ରତିଶ୍ରୁତି ଦେବା ପରେ ଛାତ୍ର କ୍ରିୟାନୁଷ୍ଠାନ କମିଟି ଧାରଣାକୁ ପ୍ରତ୍ୟହାର କରି ନେଇଥିବା ସୂଚନା ଦେଇଛି। ଗତ ମଙ୍ଗଳବାର ଦିନ ୧୨ଟାରେ ରେଭେନ୍ସା ଛାତ୍ର କ୍ରିୟାନୁଷ୍ଠାନ କମିଟି ବିଭିନ୍ନ ଦାବି ନେଇ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ୧୦ଘଣ୍ଟାରୁ ଅଧିକ ସମୟଧରି କୁଳପତିଙ୍କୁ ଘେରାଉ କରି ରଖିଥିଲେ। କର୍ତ୍ତୃପକ୍ଷଙ୍କ ସହିତ ଏକାଧିକ ଥର ଆଲୋଚନା କରାଯାଇ ଥିଲେ ବି କୌଣସି ସୁଫଳ ନମିଳିବାରୁ ଶେଷରେ ବିଶ୍ୱବିଦ୍ୟାଳୟରେ କର୍ତ୍ତୃପକ୍ଷ ରାତି ୧୦ଟାରେ ସାଇନ୍‌-ଡାଏ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର