ରେଭେନ୍ସା ଅସ୍ଥାୟୀ କର୍ମଚାରୀଙ୍କ ଦରମା ବୃଦ୍ଧିକୁ ନେଇ ଦ୍ବନ୍ଦ୍ବ

କୁଳପତିଙ୍କ କାର୍ଯ୍ୟାକାଳ ଶେଷ ସମୟରେ ଫାଇଲ୍‌ ହେବ ପାସ୍‌!

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ୮୦ରୁ ଅଧିକ ଅସ୍ଥାୟୀ କର୍ମଚାରୀଙ୍କ ଦରମା ବୃଦ୍ଧି କରିବା ଦିଗରେ ଉଦ୍ୟମ ଆରମ୍ଭ ହୋଇଛି। ବିଶ୍ବବିଦ୍ୟ‌ାଳୟ ପକ୍ଷରୁ ଏକ କମିଟି ଗଠନ କରାଯାଇ ଅସ୍ଥାୟୀ କର୍ମଚାରୀଙ୍କ ସମସ୍ତ ବିଷୟର ତଥ୍ୟ ଦେବାକୁ କୁହାଯାଇଛି। ମାତ୍ର ଉକ୍ତ କମିଟି ନିଜେ ବେନିୟମ ଭାବେ ଅସ୍ଥାୟୀ କର୍ମଚାରୀଙ୍କ ଗ୍ରେଡେସନ୍‌ ଓ ପେ-ଫିକ୍‌ସେସନ୍‌ କରି ଏକ ଫାଇଲ କୁଳପତିଙ୍କ ନିକଟକୁ ପଠାଇଥିବା ଅଭିଯୋଗ ହୋଇଛି। ସ୍ଥାୟୀ ତଥା ସରକାରଙ୍କ ଦ୍ବାରା ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ଗ୍ରେଡେସନ୍‌ ଓ ପେ-ଫିକସେସନ୍‌ କରିବାର ନିୟମ ରହିଛି। ହେଲେ ବିଶ୍ବବିଦ୍ୟାଳୟରେ ଅସ୍ଥାୟୀ ଭାବେ କାମ କରୁଥିବା ଓ କୌଣସି ପଦବି ବିପକ୍ଷରେ ନିଯୁକ୍ତି ପାଇ ନଥିବା କର୍ମଚାରୀଙ୍କ ପାଇଁ ଉକ୍ତ କମିଟି କିପରି ପେ-ଫିକସେସନ୍‌ ସ୍ଥିର କରିଛି ତାହା ଏବେ ପ୍ରଶ୍ନ ହୋଇଛି।

କୋଭିଡ୍‌ କାରଣରୁ ବିଶ୍ବବିଦ୍ୟାଳୟ ଆର୍ଥକ ସଂକଟ ମଧ୍ୟ ଦେଇ ଗତି କରୁଥିବାବେଳେ ଅସ୍ଥାୟୀ କର୍ମଚାରୀଙ୍କ ଦରମା ବୃଦ୍ଧି ଦିଗରେ କର୍ତ୍ତୃପକ୍ଷ ହଠାତ ଚେଇଁ ଉଠିବାକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି। କୁଳପତିଙ୍କ କାର୍ଯ୍ୟକାଳ ଶେଷ ହୋଇ ଆସୁଥିବାବେଳେ କମିଟି କିପରି ଅସ୍ଥାୟୀ କର୍ମଚାରୀଙ୍କ ଦରମା ବୃଦ୍ଧି ଫାଇଲ୍‌ କୁଳପତିଙ୍କୁ ପଠାଇଛି ତାହାକୁ ନେଇ ଅନେକ ଅଭିଯୋଗ ଉଠାଇଛନ୍ତି। ଅସ୍ଥାୟୀ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଁ ଏକ ପତ୍ର ସେମାନଙ୍କଠାରୁ ଆସିବା ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ କମିଟି ଗଠନ କରାଯାଇ ସବୁ ବିଷୟକୁ ଦେଖିବାକୁ କୁହାଯାଇଥିଲା। ଏବେ କମିଟି ତାର ସମସ୍ତ ତଥ୍ୟ ପ୍ରଦାନ କରିଛି। ଏହା ଉପରେ ଯାହାବି ନିଷ୍ପତ୍ତି ନିଆଯିବ, ସବୁ ନିୟମ ମଧ୍ୟରେ କରାଯିବ ବୋଲି କୁଳପତି ପ୍ରଫେସର ଇଶାନ କୁମାର ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର