ରେକର୍ଡ ସଂରକ୍ଷଣ ପାଇଁ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ, ରହିଛି ଦୁଇଶହ ବର୍ଷ ତଳର ରେକର୍ଡ

କଟକ: ଓଡ଼ିଶା ହାଇକୋର୍ଟର ରେକର୍ଡ ରୁମରେ ରହିଛି ପ୍ରାୟ ଦୁଇ ଶହ ବର୍ଷ ତଳର ନଥି। ବ୍ରିଟିଶ ଅମଳର ଅଦାଲତି ରେକର୍ଡ ଗୁଡ଼ିକ ଏବେବି ସମ୍ପୂର୍ଣ ଅକ୍ଷତ ଅବସ୍ଥାରେ ରହିଛି। ଅନ୍ୟ ହାଇକୋର୍ଟର ନିର୍ଦ୍ଦେଶନାମା ସଂପର୍କିତ ନଥି ରେକର୍ଡ ରୁମରେ ଅଛି। ଦେଶର ଅଦାଲତ ଗୁଡିକରେ ପେପର-ଲେସ୍ ବ୍ୟବସ୍ଥା ଲାଗୁ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଅଦାଲତି ରେକର୍ଡ ସବୁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସଂରକ୍ଷିତ କରାଯାଉଛି। ପ୍ରତି ବର୍ଷ ହାଇକୋର୍ଟରେ ପ୍ରାୟ ଏକ ଲକ୍ଷ ମାମଲା ରୁଜୁ ହେଉଥିବା ବେଳେ ୮୫ ହଜାର ମାମଲାର ରାୟ ପ୍ରକାଶ ପାଉଛି। ଏଭଳି ସ୍ଥିତିରେ ପ୍ରତିବର୍ଷ ରେକର୍ଡ ସଂଖ୍ୟା ବଢି ଚାଲିଛି। ଅଦାଲତି ରେକର୍ଡ ସଂରକ୍ଷଣ ପାଇଁ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ପଦକ୍ଷେପ ନିଆଯାଉଛି। ହାଇକୋର୍ଟର ରେକର୍ଡ ରୁମ୍ ଡିଜିଟାଇଜେସନ୍ ସେଣ୍ଟର (ଆରଆରଡିସି) ଓଡ଼ିଶା ଜୁଡିସିଆଲ ଏକାଡେମି ତଥା ନବ ନିର୍ମିତ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ କୋଠା ନିକଟରେ ପ୍ରତିଷ୍ଠା କରାଯାଇଛି। ୨୦୨୧, ସେପ୍ଟେମ୍ବର ୧୧ରେ ସୁପ୍ରିମକୋର୍ଟର ବିଚାରପତି ତଥା ଇ-କମିଟି ଅଧ୍ୟକ୍ଷ ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଏହି ଆରଆରଡିସିକୁ ଉଦଘାଟନ କରିଥିଲେ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୂରଲୀଧର ଦାୟିତ୍ବ ନେବା ସମୟରେ ରେକର୍ଡ ରୁମ୍‌ ଭର୍ତ୍ତି ହୋଇ ରହିଥିଲା। ରେକର୍ଡ ସଂରକ୍ଷଣ, ରଖିବା, ପୁନରୁଦ୍ଧାର ଓ ରକ୍ଷା କରିବା ଏକ ଆହ୍ବାନ ହୋଇ ଛିଡା ହୋଇଥିଲା। ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶରେ ରେକର୍ଡ ସ୍କାନିଂ ପ୍ରକ୍ରିୟାର ଆରମ୍ଭ କରାଯାଇଥିଲା। ରେକର୍ଡ ସବୁ ସୁରକ୍ଷିତ ରଖିବା ପାଇଁ ଏହାର ସ୍କାନିଂ କରିବା, ସ୍କାନ କରାଯାଇଥିବା ରେକର୍ଡର ଡାଟାବେସ୍ ପ୍ରସ୍ତୁତ କରିବା, ଗୋଟିଏ ବଟନ ଚିପି ଏହି ସବୁ ତଥ୍ୟ ପାଇ ପାରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା।

ଏହା ଦ୍ବାରା ରେକର୍ଡ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯେପରି ନେବା ପାଇଁ ଆବଶ୍ୟକ ନ ପଡେ ତାହା ସୁନିଶ୍ଚିତ କରାଯାଇଥିଲା। ଏଥି ପାଇଁ ହାଇକୋର୍ଟ ପକ୍ଷରୁ ନୂତନ ନିୟମାବଳୀ ଜାରି କରି ବିଜ୍ଞପ୍ତି ପ୍ରକାଶ କରାଯାଇଥିଳା। ରେକର୍ଡର ଡିଜିଟାଇଜେସନ୍ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ସ୍କାନ କରାଯାଇଥିବା ରେକର୍ଡକୁ ଯତ୍ନର ସହିତ ରଖାଯାଉଛି। ଆରଆରଡିସି ଓ କୋର୍ଟ ଭିତରୁ ସ୍କାନ ହୋଇଥିବା ରେକର୍ଡ ନିକଟରେ ଯେ କୌଣସି ସମୟରେ ପହଞ୍ଚି ହେବ। ଯଦି କୌଣସି ଖଣ୍ଡପୀଠ ପୁରୁଣା ରେକର୍ଡ ଦେଖିବାକୁ ଚାହାନ୍ତି ତେବେ ସୁରକ୍ଷିତ ନେଟୱର୍କ ଦ୍ବାରା କମ୍ପ୍ୟୁଟର ମାଉସର ଗୋଟିଏ କ୍ଲିକରେ ଏପରି ସ୍କାନ କରାଯାଇଥିବା ରେକର୍ଡ ଦେଖି ପାରିବେ। ଇଣ୍ଟରନେଟ୍ ମାଧ୍ୟମରେ ଏପରି ରେକର୍ଡ ପାଖରେ ପହଞ୍ଚି ହେବ ନାହିଁ। ଫଳରେ ବ୍ୟବସ୍ଥାର ହ୍ୟାକିଂ ଆଶଙ୍କା ନାହିଁ। ସିଭିଲ ଓ କ୍ରିମିନାଲ ରେକର୍ଡ ରୁମ ସେମାନଙ୍କ କର୍ମଚାରୀଙ୍କ ଦ୍ବାରା ସ୍କାନିଂ କାର୍ଯ୍ୟ ସଂପାଦନ କରୁଥିବା ବେଳେ ଏହାକୁ ତଦାରଖ କରିବାକୁ ବରିଷ୍ଠ ଅଧିକାରୀ ରହିଛନ୍ତି। ‌କେତେକ ରେକର୍ଡ ଦୁର୍ବଳ ଅବସ୍ଥାରେ ରହିଛି। ଏହି ସବୁ ରେକର୍ଡ ସ୍କାନିଂ ପ୍ରକ୍ରିୟା ଦେଇ ଯାଇ ପାରିବ ନାହିଁ। ପୃଥକ କୋଠରୀରେ ଏଭଳି ରେକର୍ଡ ସବୁକୁ ସ୍ଥାୟୀ ଭାବେ ସଂରକ୍ଷିତ କରି ରଖାଯାଉଛି। ଏଭଳି କୋଠରୀକୁ ଫ୍ରାଜିଲ ରୁମ କୁହାଯାଉଛି। ଦୁଇ ଶହ ବର୍ଷରୁ ଅଧିକର ରେକର୍ଡକୁ ଏପରି କୋଠରୀରେ ରଖାଯାଉଛି। ଐତିହାସିକଙ୍କ ସହିତ ଏଭଳି ରେକର୍ଡ ସଂକ୍ରାନ୍ତରେ ପରାମର୍ଶ କରିବା ପାଇଁ ପ୍ରସ୍ତାବ ରହିଛି। ରାଜ୍ୟ ନ୍ୟାୟପାଳିକା ଓ ନ୍ୟାୟିକ ବ୍ୟବସ୍ଥାର କ୍ରମବିବର୍ତ୍ତନ ସଂକ୍ରାନ୍ତରେ ଗବେଷଣା ପାଇଁ ଐତିହାସିକଙ୍କୁ ସୁବିଧା ପ୍ରଦାନ ଲାଗି ପ୍ରସ୍ତାବ ରହିଛି।

ହାଇକୋର୍ଟ ସହିତ ଜିଲ୍ଲା ଅଦାଲତ ଗୁଡିକରେ ମଧ୍ୟ ରେକର୍ଡ ରୁମ୍ ଡିଜିଟାଇଜେସନ୍ ପାଇଁ ପଦକ୍ଷେପ ନିଆ‌ଯାଉଛି। ବାଲେଶ୍ବର, କଟକ, ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାରେ ଏଭଳି ବ୍ୟବସ୍ଥା ଆରମ୍ଭ କରାଯାଇଛି। ଆରଆରଡିସି ଠାରେ କଟକ ଜିଲ୍ଲାର ରେକର୍ଡ ଡିଜିଟାଇଜେସନ୍ କାର୍ଯ୍ୟ ଚାଲୁଥିବା ବେଳେ ଅନ୍ୟ ତିନି ଜିଲ୍ଲା ଅଦାଲତ ପରିସରରେ ଏହି ବ୍ୟବସ୍ଥା କରାଯାଇଛି। ସମସ୍ତ ୩୦ଟି ଜିଲ୍ଲାରେ ରେକର୍ଡ ଡିଜିଟାଇଜେସନ୍ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। ଏଥି ସହିତ ଅଦାଲତି କାର୍ଯ୍ୟ ପେପର-ଲେସ୍ କରିବା ଉପରେ ଗୁରୁତ୍ବାରୋପ କରାଯାଉଛି। ଏବେ ହାଇକୋର୍ଟରେ ତିନୋ‌ଟି ବେଞ୍ଚ ପେପରସେଲ୍ ବ୍ୟବସ୍ଥାରେ କାର୍ଯ୍ୟ କରୁଛନ୍ତି। ମୁଖ୍ୟ ବିଚାରପତିଙ୍କ ବେଞ୍ଚକୁ ପାଇଲଟ ପ୍ରୋଜେକ୍ଟ ଭାବେ ଗ୍ରହଣ କରାଯାଇଛି। ଇ-ଫାଇଲିଂ ମାଧ୍ୟମରେ ନୂଆ ମାମଲା ଓ ନଥିପତ୍ର ଦାଖଲ ପାଇଁ ବ୍ୟବସ୍ଥା କରାଯାଇଛି। ହାଇକୋର୍ଟରେ ଇ-ଫାଇଲିଂ ଷ୍ଟେସନ୍ ଏଥି ପାଇଁ ପ୍ରତିଷ୍ଠା କରାଯିବା ସହିିତ ଆଇନଜୀବୀଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ କରାଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଇ-ଫାଇଲିଂ ବ୍ୟବସ୍ଥାରେ ମାମଲା ଦାଖଲ ବାଧ୍ୟତାମୂଳକ କରାଯାଇଛି। ଆଜି ଆରଆରଡିସି ପରିଦର୍ଶନ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ଲାଗି ବ୍ୟବସ୍ଥା କରାଯାଇଥିଲା। ହାଇକୋର୍ଟ ରେଜିଷ୍ଟ୍ରିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଗଣମାଧ୍ୟମ ପ୍ରତିନିଧିଙ୍କୁ ଆ‌ରଆରଡିସି ଦେଖାଇଥିଲେ। ଅଦାଲତି ରେକର୍ଡ ସଂରକ୍ଷଣ ପାଇଁ ଆଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ଗ୍ରହଣ କରାଯାଇଥିବା ବ୍ୟବସ୍ଥା ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର