ନିଶା ଦେଇ ଦୁଷ୍କର୍ମ, ବ୍ଲାକ୍‌ମେଲ୍‌  ପୀଡ଼ିତା ଛାତ୍ରୀଙ୍କ ଆତ୍ମହତ୍ୟା  

ସଂପର୍କୀୟ ଭାଇ ଗିରଫ 

କଟକ/ସାଲେପୁର: ଥଣ୍ଡା ପାନୀୟରେ ନିଶା ମିଶାଇ ନାବାଳିକା ଛାତ୍ରୀ ସହ ଦୁଷ୍କର୍ମ ଏବଂ ତାହାର ରେକର୍ଡିଂ କରି ବ୍ଲାକ୍‌ ମେଲ୍‌ କରିବା ଭଳି ଅଭାବନୀୟ ଘଟଣା ଘଟିଛି ସାଲେପୁର ଅଞ୍ଚଳରେ। ଏଭଳି ଘଟଣାରେ ଅତିଷ୍ଠ ହୋଇ ନାବାଳିକା ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ବେଳେ ଘଟଣାରେ ସଂପୃକ୍ତ ସଂପର୍କୀୟ ଭାଇକୁ ପୁଲିସ ଗିରଫ କରିଛି। କିନ୍ତୁ ଏ କ୍ଷେତ୍ରରେ ପୁଲିସର ବିଳମ୍ବିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ନାବାଳିକାର ଜୀବନ ଗଲା ବୋଲି ଅଭିଯୋଗ ହେଉଛି।

ସୂଚନା ଅନୁଯାୟୀ ସାଲେପୁର ଅଞ୍ଚଳର ଛାତ୍ରୀ ବାସନ୍ତି (ଛଦ୍ମନାମ) ହେଉଛନ୍ତି ଯୁକ୍ତ ୨ ଶେଷ ବର୍ଷର ଛାତ୍ରୀ। ତାଙ୍କ ଗ୍ରାମର ସଂପର୍କୀୟ ଭାଇ ବାସନ୍ତିଙ୍କୁ ଦୁଇମାସ ତଳେ ଥଣ୍ଡାପାନୀୟରେ ନିଶାଦେଇ କାରରେ ଅପହରଣ କରିନେଇଥିଲା। ଜଗତପୁରରେ ଏକ ଘରେ ରଖି ବାରମ୍ବାର ଦୁଷ୍କର୍ମ କରିବା ସହ ମୋବାଇଲରେ ତାହାର ରେକର୍ଡିଂ କରି ନେଇଥିଲା। ସେହି ଫଟୋ ଦେଖାଇ ଗଲା ପ୍ରାୟ ୨ ମାସ ହେଲା ବାସନ୍ତିଙ୍କୁ ବ୍ଲାକମେଲ କରି ଚାଲିିଥିଲା। ତାକୁ ବିବାହ ନକଲେ ଉଠାଇଥିବା ସବୁ ଅଶ୍ଳୀଳ ଫଟୋକୁ ଭାଇରାଲ୍‌ କରି ଦେବ ବୋଲି ବାରମ୍ବାର ଧମକ ଦେଇ ଚାଲିଥିଲା ଅରୁଣ। ବାସନ୍ତି ଓ ତାଙ୍କ ପରିବାର ଲୋକଙ୍କୁ ମାରିଦେବାର ଧମକ ମଧ୍ୟ ଦେଇଥିଲା। ଟଙ୍କା ବି ମାଗୁଥିଲା। ଗଲା ୭ ତାରିଖ ସକାଳେ ସେ ପୁଣି ବାସନ୍ତିଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ପୁଣି ବ୍ଲାକମେଲ୍‌ କରିଥିଲା। ତାର ଏଭଳି ଆଚରଣରେ ମାନସିକ ଭାରସାମ୍ୟ ହରାଇ ବାସନ୍ତି ବେକରେ ଓଢଣୀ ଗୁଡାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଗଲା ୭ ତାରିଖରେ ବାସନ୍ତିଙ୍କ ବାପା ଏ ସଂକ୍ରାନ୍ତରେ ଜପକୁଦ ଫାଣ୍ଡିରେ ଏତଲା ଦେଇଥିଲେ ମଧ୍ୟ ପୁଲିସ ଗତକାଲି ମାମଲା ରୁଜୁ କରି ଆଜି ଅଭିଯୁକ୍ତକୁ ଗିରଫ କରିଛି। ଏଭଳି ଘଟଣାକୁ ନେଇ ସାଧାରଣରେ  ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। କଟକର ଖାନନଗର ଶ୍ମଶାନରେ ମୃତ ବାସନ୍ତିଙ୍କ ଅନ୍ତିମ ସଂସ୍କାର କରାଯାଇଛି। କଟକ ଜିଲ୍ଲାର ଗୋବିନ୍ଦପୁର ଥାନା ଅଞ୍ଚଳରେ ସମାନ ଧରଣର ଘଟଣାରେ ଜଣେ ନାବାଳିକାର ଜୀବନ ଯାଇଥିବା ବେଳେ ଏବେ ସାଲେପୁର ଅଞ୍ଚଳରେ ଜଣେ ନାବାଳିକାର ଜୀବନ ଯିବା ଘଟଣା ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।

ସମ୍ବନ୍ଧିତ ଖବର