କଟକ: ସୁକିନ୍ଦା ବିଧାୟକ ତଥା ସମବାୟ, ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି। ସୁକିନ୍ଦା ଆସନରୁ ଶ୍ରୀ ବଳ ସାମନ୍ତଙ୍କ ନିର୍ବାଚନକୁ ଚାଲେଞ୍ଜ କରି ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ସୁକିନ୍ଦା ବିଧାନସଭା ଆସନ ନିର୍ବାଚନ ଫଳାଫଳକୁ ଅସିଦ୍ଧ ଘୋଷଣା ପାଇଁ ପରାଜିତ ବିଜେଡି ପ୍ରାର୍ଥୀ ପ୍ରୀତିରଂଜନ ଘଡାଇ ହାଇକୋର୍ଟରେ ୨୦୨୪ରେ ମୋକଦ୍ଦମା ଦାୟର କରିଥିଲେ। ଏହି ନିର୍ବାଚନୀ ମୋକଦ୍ଦମାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଖାରଜ କରିବା ପାଇଁ ପ୍ରତିପକ୍ଷ ଶ୍ରୀ ବଳ ସାମନ୍ତ ଅନ୍ତରୀଣ ଆବେଦନ ଦାୟର କରିଥିଲେ। ତାଙ୍କ ବିରୋଧରେ ନିର୍ବାଚନୀ ଆବେଦନରେ ଉଲ୍ଲେଖ ଅଭିଯୋଗ ଅସ୍ପଷ୍ଟ ଓ ନିରାଧାର ହୋଇଥିବାରୁ ଏହାକୁ ଖାରଜ କରାଯାଉ ବୋଲି ଅନ୍ତରୀଣ ଆବେଦନରେ ଦର୍ଶାଯାଇଥିଲା। ଶ୍ରୀ ବଳ ସାମନ୍ତଙ୍କ ଅନ୍ତରୀଣ ଆବେଦନକୁ ହାଇକୋର୍ଟ ଗ୍ରହଣ କରି ମୂଳ ନିର୍ବାଚନୀ ମୋକଦ୍ଦମାକୁ ଖାରଜ କରିଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ବଳ ସାମନ୍ତଙ୍କ ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ଆହୁରି ପଢନ୍ତୁ: Manoj Das: ଗୀତଗୋବିନ୍ଦ ସଦନରେ ମନୋଜ ଦାସ ଜୟନ୍ତୀ: ମନୋଜଙ୍କ ପ୍ରତିଟି ରଚନାରେ ଅଦମ୍ୟ ପରିପକ୍ଵତା
ମାମଲାର ବିବରଣୀରୁ ପ୍ରକାଶ ଯେ ବିଜେପି ପ୍ରାର୍ଥୀ ଶ୍ରୀ ବଳ ସାମନ୍ତ ମିଥ୍ୟା ସତ୍ୟପାଠ ଦେଇଥିବାରୁ ତାଙ୍କ ନିର୍ବାଚନ ରଦ୍ଦ କରାଯାଉ ବୋଲି ଦର୍ଶାଇ ଶ୍ରୀ ଘଡାଇ ଏହି ନିର୍ବାଚନୀ ମୋକଦ୍ଦମା ଦାୟର କରିଥିଲେ। ତାଙ୍କ ବିରୋଧରେ ଥିବା ଅପରାଧକ ମାମଲା ସଂକ୍ରାନ୍ତରେ ଶ୍ରୀ ବଳ ସାମନ୍ତ ସତ୍ୟପାଠରେ ଭୁଲ ତଥ୍ୟ ଦେଇଛନ୍ତି। ଶିକ୍ଷାଗତ ଯୋଗ୍ୟତା ପ୍ରସଂଗରେ ଦେଇଥିବା ତଥ୍ୟ ମଧ୍ୟ ଭୁଲ। ସତ୍ୟପାଠର କେତେକ ସ୍ତମ୍ଭ ସେ ପୂରଣ ନ କରି ଖାଲି ଛାଡି ଦେଇଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଏଭଳି ସ୍ଥିତିରେ ଶ୍ରୀ ବଳ ସାମନ୍ତଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ୨୦୨୪, ଜୁଲାଇ ୨୯ରେ ମାମଲାର ପ୍ରତିପକ୍ଷ ଶ୍ରୀ ବଳ ସାମନ୍ତଙ୍କୁ ହାଇକୋର୍ଟ ନୋଟିସ ଜାରି କରିଥିଲେ। ଆଇନଜୀବୀଙ୍କ ମାଧ୍ୟମରେ ସେ ମାମଲାରେ ହାଜର ହୋଇ ଜବାବ ଦାଖଲ କରିଥିଲେ ଓ ନିର୍ବାଚନୀ ମୋକଦ୍ଦମାକୁ ଖାରଜ କରିବାକୁ ଏକ ଅନ୍ତରୀଣ ଆବେଦନ ରୁଜୁ କରିଥିଲେ। ଶ୍ରୀ ବଳ ସାମନ୍ତଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/17/odisha-high-court-2025-12-17-13-53-19.png)