କଟକ: ବର୍ଷ ଶେଷ ଦିନ ଡିସେମ୍ବର ୩୧ରେ ମଦ୍ୟପଙ୍କୁ ଜଗିବାକୁ କଠୋର ପଦକ୍ଷେପ ନେଇଛି ପରିବହନ ବିଭାଗ। ଡିସେମ୍ବର ୩୧ ଅପରାହ୍ଣ ୩ଟାରୁ ଜିଲ୍ଲାଵାରି ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି ସହିତ ମଦୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିରୋ ଆଵାରରେ ଦୁର୍ଘଟଣା ହ୍ରାସ ଦିଗରେ ପଦକ୍ଷେପ ନେବାକୁ ପରିବହନ ଆୟୁକ୍ତ ଅମିତାଭ ଠାକୁର ନିର୍ଦ୍ଦେଶ ଦେଇଛନ୍ତି। ଇଂରାଜୀ ନୂଆବର୍ଷ ସେଲିବ୍ରେସନ୍ ଆଳରେ ମଦ ପିଇ ଦ୍ରୁତଗତିରେ ଗାଡ଼ି ଚଳାଇବା ଭଳି ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ। ଏ ସଂକ୍ରାନ୍ତରେ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ପରିବହନ ଆୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ବେପରୱା ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ଗୁରୁତ୍ୱପୂର୍ଣ୍ଣ ଛକ, ଟ୍ରାଫିକ୍ ପଏଣ୍ଟ ଭଳି ସ୍ଥାନରେ ସ୍ୱତନ୍ତ୍ର ଟିମ୍ଙ୍କୁ ଯାଞ୍ଚ ଦାୟିତ୍ୱ ଦିଆଯିବ। ଦୋଷୀ ଗାଡ଼ିଚାଳକଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସଂପୃକ୍ତ ଗାଡ଼ିର ମାଲିକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ। ମଦ୍ୟପାନ କରି ଗାଡ଼ି ଚାଳନା କରୁଥିଲେ ମୋଟର ଯାନ ଆଇନର ଧାରା ୧୮୫ ଅନୁଯାୟୀ ଗାଡ଼ି ଜବତ କରାଯିବ। ଏହାସହିତ ଡ୍ରାଇଭିଂ ଲାଇସେନ୍ସ ବାତିଲ ଓ ଜରିମାନା ଲାଗୁ କରାଯିବ। ସେହିଭଳି ଦ୍ରୁତଗତି, ବେପରୱା ଗାଡ଼ିଚାଳନା ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ। ଏହା ବ୍ୟତୀତ ନିୟମ ଉଲ୍ଲଙ୍ଘନକାରୀ ଗାଡ଼ି ଚାଳକ ଯଦି ପରିଚୟ ପ୍ରଦାନରେ ସହଯୋଗ ନ କରନ୍ତି ତେବେ ନିୟମ ଅନୁଯାୟୀ ମୋଟର ଯାନ ନିୟମ ଧାରା ୧୩୩ ଅନୁଯାୟୀ ସଂପୃକ୍ତ ଗାଡ଼ିର ମାଲିକଙ୍କ ଠାରୁ ଗାଡ଼ି ଚାଳକର ସମସ୍ତ ବିବରଣୀ ମଗାଯିବ। ଯଦି କେହି ପ୍ରଦାନରେ ଖିଲାପ କରନ୍ତି ତେବେ ମୋଟର ଯାନ ନିୟମ ୧୭୯ ଧାରାରେ ମାମଲା ରୁଜୁ ହେବ। ଏହାସହିତ ଏକ ମାସ ଜେଲଦଣ୍ଡ କିମ୍ବା ଦୁଇ ହଜାର ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ।
ଡିସେମ୍ବର ୩୧ ଅପରାହ୍ଣରୁ ଯାଞ୍ଚ
ବଣଭୋଜି ସ୍ଥାନରେ ବି ଯାଞ୍ଚ କଡ଼ାକଡି
ଅନ୍ୟପଟେ ଜାନୁଆରି ପହିଲାରୁ ସାରା ରାଜ୍ୟରେ ଏଥର ସଡ଼କ ସୁରକ୍ଷା ସପ୍ତାହ ବଦଳରେ ସଡ଼କ ସୁରକ୍ଷା ମାସ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି। ତେଣୁ ଏଭଳି ସ୍ବତନ୍ତ୍ର ଏନ୍ଫୋର୍ସମେଣ୍ଟ ଅଭିଯାନ ଜିରୋ ଆଵାରରୁ ଆରମ୍ଭ ହୋଇ ଜାନୁଆରି ମାସରେ ବି ଜାରି ରହିବ। ବଣଭୋଜି ଅଞ୍ଚଳରେ ମଦ୍ୟପାନ କରି ଯାନ ଚାଳନା ବିରୋଧରେ ଅଧିକ ଯାଞ୍ଚ ହେବ। ବଣଭୋଜି ସ୍ଥଳକୁ ଆସୁଥିବା ଗାଡ଼ିଗୁଡ଼ିକ ଯେଉଁଭଳି ସମସ୍ତ ସୁରକ୍ଷା ନିୟମ ପାଳନ କରିବେ ସେଥିପାଇଁ ମଧ୍ୟ ଏସ୍ଓପି ଜାରି କରାଯାଇଛି। ସେହିଭଳି ନାବାଳକ/ନାବାଳିକା ଗାଡ଼ିଚାଳନା ବିରୋଧରେ ସ୍କୁଲ ଓ କଲେଜ ନିକଟରେ ଯାଞ୍ଚ ପାଇଁ ନିଷ୍ପତ୍ତି ହୋଇଛି। ଏହାସହିତ ମୋଟର ଯାନ ବୀମା ସଂକ୍ରାନ୍ତୀୟ ଯାଞ୍ଚ ମଧ୍ୟ କରାଯିବ। ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ କହିବା ଅନୁଯାୟୀ, ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜନସଚେତନତାକୁ ପ୍ରାଧାନ୍ୟ ଦିଆଯାଇଛି। ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ। ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ହ୍ରାସ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହା ସହିତ ଇଂରାଜୀ ନୂଆବର୍ଷ ପାଳନର ଉତ୍ସାହରେ ଅନେକ ସମୟରେ ଯୁବପିଢ଼ି ନିଶାସକ୍ତ ହୋଇ ଗାଡ଼ି ଚାଳନା କରୁଛନ୍ତି। ଏହା ଖୁସିର ସମୟକୁ ଦୁଃଖରେ ପରିଣତ କରୁଛି। ତେଣୁ ଏଭଳି ଦୁର୍ଘଟଣା ରୋକିବାକୁ ଜିରୋ ଆଵାରରେ ଯାଞ୍ଚ ପାଇଁ ନିଷ୍ପତ୍ତି ହୋଇଛି। ଯେଉଁମାନେ ନିୟମ ମାନି ନିଜ ସୁରକ୍ଷାକୁ ଗୁରୁତ୍ୱ ଦିଅନ୍ତି, ସେମାନଙ୍କୁ ସମ୍ମାନିତ କରିବାକୁ ମଧ୍ୟ ବିଭାଗର ଯୋଜନା ଥିବା ଶ୍ରୀ ଠାକୁର ସୂଚନା ଦେଇଛନ୍ତି।