କଟକ: ହାଇସ୍କୁଲରେ ଶିକ୍ଷକ ଅଭାବ ସାଙ୍ଗକୁ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍‌ ପ୍ରୋସିଡି‌ୟୋର୍‌ (ଏସ୍‌ଓପି) ଦଶମ ‌ଶ୍ରେଣୀ ଶିକ୍ଷାଦାନରେ ବାଧକ ସାଜିଛି। ଚଳିତମାସ ୮ତାରିଖରୁ ହାଇସ୍କୁଲ ଖୋଲାଯାଇଥିଲେ ମଧ୍ୟ ପାଠପଢ଼ାରେ ଅନେକ ବିଭ୍ରାଟ ହେଉଥିବା ସୂଚନା ମିଳିଛି। ବିଷୟ ଶିକ୍ଷକ ଯଥେଷ୍ଟ ସଂଖ୍ୟାରେ ନଥିବାରୁ ଜଣେ ଶିକ୍ଷକଙ୍କୁ ନିରନ୍ତର ଭାବେ ୫/୬ଟି କ୍ଲାସ୍ କରିବାକୁ ପଡ଼ୁଛି। ଅନ୍ୟ ପକ୍ଷରେ ଅଧିକାଂଶ ସ୍କୁଲରେ ବିଜ୍ଞାନଶିକ୍ଷକ ପଦ ଖାଲି ପଡ଼ିଥିବାରୁ ଉଭୟ ଭୌତିକ ବିଜ୍ଞାନ ଓ ଜୀବ ବିଜ୍ଞାନ ବିଷୟ ଆଗେଇ ପାରୁ ନାହିଁ। ଏପରି ସ୍ଥଳେ ଶହେ ଦିନରେ ପାଠ୍ୟକ୍ରମ ସଂପୂର୍ଣ୍ଣ କରିବା ଏକ ପ୍ରକାର ଅସମ୍ଭବ ବ୍ୟାପାର ହୋଇଛି। ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ୍ ଶିକ୍ଷାଧିକାରୀମାନେ ଏବେ ବିଭିନ୍ନ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକଙ୍କ ତାଲିକା ମଗାଇବା ଆରମ୍ଭ କରିଛନ୍ତି। ଶିକ୍ଷକ ଅଭାବ ଥିବା ସ୍କୁଲରେ ଅବସରପ୍ରାପ୍ତ ବିଷୟ ଶିକ୍ଷକ ବା ଯୁକ୍ତ ଦୁଇ ଶିକ୍ଷକଙ୍କୁ ସାମୟିକ ଭାବେ ନିଯୁକ୍ତି ଦେବାକୁ ଯୋଜନା ଚାଲିଛି। ଆସନ୍ତା ସପ୍ତାହରେ ଏଭଳି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଓ ବ୍ଲକ୍ ଶିକ୍ଷାଧିକାରୀ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି।

Advertisment

କରୋନା ପାଇଁ ଜାରି ହୋଇଥିବା ଏସ୍‌ଓପି ଅନୁସାରେ ଗୋଟିଏ ଶ୍ରେଣୀରେ ସର୍ବାଧିକ ୨୫ ପିଲା ବସିବାକୁ ନିର୍ଦ୍ଦେଶ ରହିଛି। କରୋନା ପୂର୍ବରୁ ୧୦୦ କିମ୍ବା ୧୨୦ ଛାତ୍ରଛାତ୍ରୀ ଥିବା ଶ୍ରେଣୀକୁ ଦୁଇଟି ସେକ୍ସନ୍‌ରେ ବିଭକ୍ତ କରାଯାଇଥିଲା। କିନ୍ତୁ ଏବେ ୧୦୦ ଛାତ୍ରଛାତ୍ରୀ ଥିବା ଦଶମ ଶ୍ରେଣୀକୁ ୪ଟି ‌କ୍ଲାସ୍ ରୁମ୍‌ରେ ବସିବାର ବ୍ୟବସ୍ଥା ହେଲା। ଏପରିକି ବହୁ ନୂଆବଜାର ହାଇସ୍କୁଲ, ରେଭେନ୍‌ସା କଲିଜିଏଟ୍ ସ୍କୁଲ, ‌କାଜିବଜାର ହାଇସ୍କୁଲ ଭଳି ଅନେକ ସ୍କୁଲ ରହିଛି ଯେଉଁଠି ଦଶମଶ୍ରେଣୀରେ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏଭଳି ବିଦ୍ୟାଳୟରେ ଗୋଟିଏ ଶ୍ରେଣୀକୁ ୬/୭ଟି କ୍ଲାସ୍‌ ରୁମ୍‌ରେ ବସାଇ ପଠାଇବାର ବ୍ୟବସ୍ଥା ହୋଇଛି। କିନ୍ତୁ ବିଦ୍ୟାଳୟରେ ସେହି ଅନୁସାରେ ଶିକ୍ଷକ ନାହାନ୍ତି। ଏଥିପାଇଁ ଜଣେ ଜଣେ ଶିକ୍ଷକଙ୍କୁ ସମାନ ପାଠକୁ ଏକାଧିକ ଥର ଏକାଧିକ ଶ୍ରେଣୀରେ ପଢ଼ାଇବାକୁ ପଡ଼ୁଛି। ଯାହା ଫଳରେ ସଂପୃକ୍ତ ଶିକ୍ଷକ ବିରକ୍ତି ପ୍ରକାଶ କରୁଥିବା ସୂଚନା ମିଳିଛି। କଟକର ଏକ ପ୍ରମୁଖ ବିଦ୍ୟାଳୟର ପ୍ରଧାନଶିକ୍ଷକ କହିବା

ଅନୁସାରେ, ସରକାରଙ୍କ ଏସ୍‌ଓପି ଅନୁସାରେ ଗୋଟିଏ ସେକ୍ସନକୁ ୨ଟି ସେକ୍ସନ କରାଯାଇଛି। ଏହା ଫଳରେ ଶିକ୍ଷକ ଅଭାବ ଦେଖାଦେଉଛି। ଏଥିପାଇଁ ଡିଇଓ ଓ ବିଇଓ ଦୁଇଦିନ ତଳେ ଆମ ବିଦ୍ୟାଳୟରେ ଅଭାବ ଥିବା ଶିକ୍ଷକଙ୍କ ତାଲିକା ମଗାଇଛନ୍ତି। ଯାହା ଜଣାପଡ଼ୁଛି, ଆସନ୍ତା ସପ୍ତାହରେ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ସଂପୃକ୍ତ ପ୍ରଧାନଶିକ୍ଷକ କହିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜଣେ ପଦସ୍ଥ ଅଧିକାରୀଙ୍କ କହିବା ଅନୁସାରେ, ପୂର୍ବରୁ ଖାଲିଥିବା ଶିକ୍ଷକଙ୍କ ସ୍ଥାନରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ମିଳିଥିଲା। କିନ୍ତୁ କରୋନା ପାଇଁ ତାହା ବନ୍ଦ ରହିଛି। ଏବେ ଦଶମ ପାଇଁ ଶିକ୍ଷକ ଅଭାବ ଥିବାରୁ ୧୦୦ଦିନରେ କୋର୍ସ ସାରିବାକୁ ଥିବାରୁ ପୂର୍ବଭଳି ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି ଦେବାକୁ ଯୋଜନା ଚାଲିଛି। ଯାହା ଜଣାପଡ଼ୁଛି ଆସନ୍ତା ସପ୍ତାହକୁ ପ୍ରାୟ ସେମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ସଂପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି।