ଅମୃତ ଯୋଜନାରେ ନିମ୍ନମାନର କାମ, ଦବୁଛି ଚହଟା-କାଳିଆବୁଦା ମହାନଦୀ ରିଂବନ୍ଧ ରାସ୍ତା

କଟକ: ସହରର ସାହିବସ୍ତିର ରାସ୍ତା ଅବସ୍ଥା ଶୋଚନୀୟ ଅବସ୍ଥାରେ ଥିବା ବେଳେ ଏବେ ମହାନଦୀ ରିଂବନ୍ଧ ରାସ୍ତା ପାଲଟିଛି ମରଣଯନ୍ତ୍ରା। ମହାନଦୀ ରିଂବନ୍ଧ ରାସ୍ତାରେ ଏବେ ବଡ଼ ବଡ଼ ଖାଲ ଦେଖିବାକୁ ମିଳୁଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଦବି ଲୋକଙ୍କ ଯାତାୟାତରେ ସମସ୍ୟା କରୁଛି। ସହର ମଧ୍ୟରେ ଟ୍ରାଫିକ ସମସ୍ୟା ପାଇଁ ଲୋକେ ରିଂବନ୍ଧ ବ୍ୟବହାର କରୁଥିବା ବେଳେ ଏବେ ରାସ୍ତାର ଅବସ୍ଥାକୁ ଦେଖି ଲୋକେ ଏ ଦେଇ ଯିବାକୁ ଡରୁଛନ୍ତି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇବର୍ଷ ତଳେ ଅମୃତ ଯୋଜନାରେ ରିଂବନ୍ଧରେ ପାଣିପାଇପ୍‌ ବିଛା ଯାଇଥିଲା। ମାତ୍ର ନିମ୍ନମାନର କାମ ଯୋଗୁଁ ଏବେ ରାସ୍ତା ଦବିବା ସହିତ ରାସ୍ତାରେ ଖାଲ ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ଖାଲକୁ ମାଟି ପକାଇ ପୋତାଯାଉଥିବା ବେଳେ ଏହା ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛି।
କଟକବାସୀଙ୍କୁ ସ୍ବଚ୍ଛ ପାଣି ଦେବା ପାଇଁ ସହରରେ ୨୦୧୬ରୁ ଅମୃତ ଯୋଜନା ଆରମ୍ଭ ହୋଇଥିଲା। ଏଥିରେ ସହର ବିଭିନ୍ନ ଅଞ୍ଚଳରେ ପାଣି ପାଇପ୍ ବିଛା କାମ କରାଯାଇଛି।

ଏହା ସହିତ ୨୦୧୯ରୁ ୨୦୨୦ ମଧ୍ୟରେ ଚହଟାନଗର ଗୋଲେଇ ଛକରୁ ଶିଖରପୁର କାଳିଆବୁଦା ଶ୍ମଶାନ ପର୍ଯ୍ୟନ୍ତ ମହାନଦୀ ରିଂବନ୍ଧରେ ପାଣିପାଇପ୍‌ ବିଛାଯାଇଥିଲା। ପାଇପ ବିଛା କାମ ଠିକାଦାରଙ୍କୁ ରାତିରେ କରିବାକୁ କୁହାଯାଇଥିଲା। ଏଥିପାଇଁ ରାତି ୧୧ରୁ ୩ଟା ମଧ୍ୟରେ ରାସ୍ତା ଖୋଳାରୁ ଆରମ୍ଭ କରି ପାଇପ୍‌ ବିଛା ଓ ଏହାକୁ ପୋତିବା ସବୁ କାମ କରାଯାଇଥିଲା। ରାତିରେ କାମ କରାଯାଉଥିବାରୁ ଏହାକୁ ଦେଖିବାକୁ କୌଣସି ଅଧିକାରୀ ନଥିଲେ। ରାତିରେ କାମ ହେବାରୁ ପାଇପ ପୋତିବା କାମରେ ବାଲି ବଦଳରେ ‌ଖୋଲା ଯାଇଥିବା ମାଟିକୁ ବ୍ୟବହାର କରାଯାଇଥିଲ। ଏଥିରେ ମାଟି ଦବିବା ସହିତ ଅନେକ ସ୍ଥାନରେ ବଡ଼ବଡ଼ ଖାଲ ହୋଇଛି। ଏବେ ଉକ୍ତ ରିଂ ବନ୍ଧ ଦେଇ ଯିବାକୁ ସାଧାରଣ ଲୋକେ ଡରଉଛନ୍ତି। ରିଂବନ୍ଧ ରାସ୍ତାରେ ହୋଇଥିବା ଖାଲଖମାକୁ ତୁରନ୍ତ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର