କଟକ: ଧାରଣା ଓ ପ୍ରତିବାଦ ନକରିବା ସମେତ ୨୬ଟି ପ୍ରସଙ୍ଗ ଉପରେ ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଗତକାଲି ଜାରି କରିଥିବା ବିଜ୍ଞପ୍ତିକୁ ଆଜି ଫେରାଇ ନେଇଛନ୍ତି। ଯେଉଁ ଧାରଣାକୁ ବେଆଇନ ବୋଲି ଘୋଷଣା କରିଥିଲେ, ଆଜି ସେଇ ଧାରଣା ଯୋଗୁଁ କର୍ତ୍ତୃପକ୍ଷଙ୍କୁ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ପଡ଼ିଛି। ବିଶ୍ବବିଦ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ବିରୋଧ କରି ଆଜି ଶତାଧିକ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ପରେ କର୍ତ୍ତୃପକ୍ଷ ନିଷ୍ପତ୍ତି ପ୍ରତ୍ୟାହାର କରି ନେଇଛନ୍ତି। ବର୍ତ୍ତମାନ ପାଇଁ ଏହା ଲାଗୁ କରାଯାଉ ନାହିଁ ବୋଲି କର୍ତ୍ତୃପକ୍ଷ ଦ୍ବିତୀୟ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ପରେ ଛାତ୍ରଛାତ୍ରୀ ଧାରଣାରୁ ଓହରିଛନ୍ତି। ରେଭେନ୍ସା କର୍ତ୍ତୃପକ୍ଷ ଗତକାଲି ଜାରି କରିଥିବା ବିଜ୍ଞପ୍ତିକୁ ବିଭିନ୍ନ ମହଲରେ ବିରୋଧ ଓ ନିନ୍ଦା କରାଯାଇଥିଲା। ରେଭେନ୍ସା ଛାତ୍ରଛାତ୍ରୀ ଧାରଣା କି ବିକ୍ଷୋଭ ପ୍ରଦର୍ଶନ କରିପାରିବେ ନାହିଁ। ଛାତ୍ରଛାତ୍ରୀ ସେମାନଙ୍କ ସମସ୍ୟାକୁ ନେଇ ବିଶ୍ବବିଦ୍ୟାଳୟ ଫାଟକ ସମ୍ମୁଖରେ କିମ୍ବା ରାସ୍ତାରେ ପ୍ରତିବାଦ କରି ବସିପାରିବେ ନାହିଁ ଭଳି ୨୬ଟି ପ୍ରସଙ୍ଗରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅତ୍ୟନ୍ତ କଠୋର ଭାବେ କଟକଣା ଜାରି କରିଥିଲେ। ଛାତ୍ରଛାତ୍ରୀଙ୍କ ଅନୁଶାସନ ଓ ଉପଯୁକ୍ତ ଆଚରଣ ପାଇଁ ଗତକାଲି ଏକ ବିଜ୍ଞପ୍ତି (ଚିଠି ନଂ- ୪୨୧୫/୨୦-୧୦-୨୦୨୨) ପ୍ରକାଶ କରାଯାଇଥିଲା। ବିଶ୍ବବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଆଚରଣକୁ ନେଇ କୁଳପତିଙ୍କ ନିର୍ଦେଶକ୍ରମେ କୁଳସଚିବ ଏହି ସ୍ବତନ୍ତ୍ର ବିଜ୍ଞପ୍ତି ପ୍ରକାଶ କରିଥିଲେ।
ହେଲେ, ଯେଉଁ ଧାରଣା ଓ ଆନ୍ଦୋଳନ ଉପରେ କଟକଣା ଲାଗୁ କରାଯାଇଥିଲା ଆଜି ତାହାକୁ ବିରୋଧ କରି ଶତାଧିକ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ। ଅପରାହ୍ନ ୨ଟାରେ ସେମାନେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ସ୍ଥିତି ବିଗୁଡ଼ୁଥିବା ଦେଖି କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଯାଇଥିଲେ। ଏପରିକି ଛାତ୍ରଛାତ୍ରୀ ଆନ୍ଦୋଳନରେ ବସିଥିବା ବେଳେ କୁଳପତି କିମ୍ବା କୁଳ ସଚିବ କାର୍ଯ୍ୟାଳୟକୁ ଆସି ନଥିଲେ। ତେବେ, ଏହି ସମୟରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଫେରାଇ ନିଆଯାଇଥିଲା। କର୍ତ୍ତୃପକ୍ଷ ନିଷ୍ପତ୍ତି ପ୍ରତ୍ୟାହାର କରିବା ପରେ ପରେ ଛାତ୍ରଛାତ୍ରୀ ଆନ୍ଦୋଳନ ପ୍ରତ୍ୟାହାର କରିନେଇଥିଲେ। ସେପଟେ, ଛାତ୍ରୀମାନେ ଆଉ ପାଦେ ଆଗକୁ ଯାଇ କର୍ତ୍ତୃପକ୍ଷଙ୍କ ଠାରୁ ବିଶ୍ବବିଦ୍ୟାଳୟରେ ଉପଯୁକ୍ତ ସୁବିଧା ସୁଯୋଗ ଦାବି କରିଛନ୍ତି। ସମସ୍ତ ଛାତ୍ରୀନିବାସ ପାଇଁ ପୃଥକ ଭାବେ ଗେଟ୍ ରଖିବା, ଛାତ୍ରୀନିବାସ ପରିସରରେ ଲନ୍ ବଦଳରେ ନୂଆ ହଷ୍ଟେଲ କରିବା, ବିଶ୍ବବିଦ୍ୟାଳୟରେ ପୂର୍ବପରି ଛାତ୍ର ସଂସଦ ନିର୍ବାଚନ କରିବା, ଛାତ୍ରଛାତ୍ରୀଙ୍କ ପ୍ରତି ସୁରକ୍ଷାକର୍ମୀଙ୍କ ଦୁର୍ବ୍ୟବହହାର ବନ୍ଦ କରିବା, ହଷ୍ଟେଲଗୁଡିକରେ ୱାଇଫାଇ ବ୍ୟବସ୍ଥା କରିବା, ଆଲୋଚନା ବିନା କୌଣସି ନୂଆ ନିୟମ ଲାଗୁ ନକରିବା, ହଷ୍ଟେଲ ମେସ୍ ବ୍ୟବସ୍ଥାରେ ସୁଧାର ଆଣିବା, ବିଭାଗଗୁଡ଼ିକରେ ଆବଶ୍ୟକସଂଖ୍ୟକ କ୍ଲାସ୍ରୁମ୍ କରିବା, ବିଶ୍ବବିଦ୍ୟାଳୟ ପରିସରରୁ ଗଛକଟା ବନ୍ଦ କରିବା ନେଇ ଆଜି ଏକାଧିକ ଛାତ୍ରୀନିବାସର ଅନ୍ତେବାସୀ ଦାବିପତ୍ର ପ୍ରଦାନ କରିଛନ୍ତି। ଏହା ଉପରେ ଆସନ୍ତା ୭ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଛାତ୍ରୀମାନଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।