କଟକ: ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍ (ଏନ୍ଜିଟି)ଙ୍କ ନିର୍ଦେଶ ରହିଛି ନଦୀଶଯ୍ୟାରେ ବର୍ଜ୍ୟବସ୍ତୁ କିମ୍ବା ଅନ୍ୟ କୌଣସି ସାମଗ୍ରୀ କେହି ପକାଇ ପାରିବେ ନାହିଁ। ଯେମିତି ନଦୀଶଯ୍ୟା ପ୍ରଦୂଷିତ ହେବ ନାହିଁ, ସେଥିପ୍ରତି ପ୍ରଶାସନ ଯତ୍ନବାନ ରହିେବ। ମାତ୍ର କଟକରେ ଏନ୍ଜିଟିଙ୍କ କଟକଣାକୁ ଖୋଲା ଖୋଲି ଉଲ୍ଲଂଘନ କରୁଛି ଜାଇକା ଓ ସିଏମ୍ସି। ଖାନନଗରର କାଠଯୋଡ଼ି ବୁରୁଜ ପାର୍କ ନିକଟରେ ପ୍ରତ୍ୟେକ ଦିନ ସହରର ବିଭିନ୍ନ ଡ୍ରେନରୁ ବାହାରୁ ଥିବା କୁଢକୁଢ ପଙ୍କ ଓ ମାଟି ଗଦା କରାଯାଉଛି। ସହରବାସୀ ନଦୀଶଯ୍ୟାକୁ କଂକ୍ରିଟ ବର୍ଜ୍ୟବସ୍ତୁରେ ପୋତିଲେ ଏହାକୁ ଦେଖିବାକୁ ପ୍ରଶାସନ ରହିଥାଏ। ମାତ୍ର ଏଠି ସିଏମ୍ସି ଓ ଜାଇକା ପକ୍ଷରୁ ନଦୀଶଯ୍ୟା ପୋତା ଚାଲିଥିବା ବେଳେ ଏହାର ଉତ୍ତରଦାୟିତ୍ବ ନେବାକୁ କେହି ପ୍ରସ୍ତୁତ ନାହାନ୍ତି। ମହାନଦୀ ହେଉ କି କାଠଯୋଡି କୌଣସି ନଦୀଶଯ୍ୟାକୁ ପୋତା ଯାଇପାରିବ ନାହିଁ। ଏନେଇ ଏନ୍ଜିଟ୍ ପକ୍ଷରୁ ନିୟମ କରାଯାଇଛି। ମାତ୍ର ଏବେ ଜାଇକା ଓ ସିଏମ୍ସି ପକ୍ଷରୁ ସହରର ବିଭିନ୍ନ ଡ୍ରେନ ସଫେଇ କାମରେ ବାହାରୁ ଥିବା ପଙ୍କ ଓ ମାଟିକୁ କାଠଯୋଡି ନଦୀଶଯ୍ୟାରେ ପକାଯାଉଛି। ଖାନନଗରସ୍ଥିତ ବୁରୁଜ ପାର୍କ ନିକଟରେ ଥିବା ପଡ଼ିଆରେ ଏହାକୁ ଗଦା କରାଯାଉଛି। ବିଳମ୍ବିତ ରାତିରେ ସହରର ବିଭିନ୍ନ ସ୍ଥାନରୁ ଟ୍ରାକ୍ଟର ମାଧ୍ୟମରେ ପଙ୍କ ଓ ମାଟି ଆଣି ନଦୀଶଯ୍ୟାରେ ପକାଯାଉଛି।
କାଠଯୋଡି ଶଯ୍ୟା ପୋତାଯିବା ସହ ଏହା ଖେଳ ପଡ଼ିଆର କିଛି ଅଂଶକୁ ମଧ୍ୟ ଆବଦ୍ଧ କରୁଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ସହରର ବିଏସସ୍ଡବ୍ଲୁସି-୧ ଡ୍ରେନ ଜାଇକା ସଫା କରୁଥିବା ବେଳେ ବିଏସ୍ଡବ୍ଲୁସି-୨ ଡ୍ରେନକୁ ସିଏମ୍ସି ଇଂଜିନିୟରିଂ ବିଭାଗ ସଫା କରୁଛି। ବୁରଜ ପାର୍କ ନିକଟରେ ଜାଇକା ଓ ନିଗମର ଇଂଜିନିୟରିଂ ବିଭାଗ ରାତିରେ ପଙ୍କ ଓ ମାଟି ଆଣି ପକାଉଥିବାର ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଡ୍ରେନରୁ ବାହାରୁ ଥିବା ପଙ୍କ ଓ ମାଟି ସହରର କେଉଁଠାରେ ପଡିବ ତାହା ସିଏମ୍ସି କହିବା ପରେ ସେଠାରେ ପକାଯାଏ ବୋଲି ଜାଇକା ଅଧିକାରୀ ବସନ୍ତ କୁମାର ପରିଡା କହିଛନ୍ତି। ଅନ୍ୟପଟେ ଡ୍ରେନର ପଙ୍କ ଓ ମାଟି ନଦୀଶଯ୍ୟାରେ ପକାଇବାକୁ ସିଏମ୍ସି ପକ୍ଷରୁ କାହାରିକୁ କୁହାଯାଇ ନାହିଁ ବୋଲି ସିଏମ୍ସି ଇଂଜିନିୟରିଂ ବିଭାଗ ପକ୍ଷରୁ କୁହାଯାଇଛି। ଡ୍ରେନ ସଫେଇ କାମ ଜାଇକା ଓ ସିଏମ୍ସି କରୁଥିବା ବେଳେ ନଦୀଶଯ୍ୟାକୁ କିଏ ପୋତୁଛି, ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।